ସାରା ବିଶ୍ୱରେ ବଢ଼ୁଛି କରୋନା ମାମଲା । ସତର୍କ କରାଇଲା ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ । ମାସକରେ ବଢ଼ିଲାଣି ୫୨ ପ୍ରତିଶତ କୋଭିଡ୍ କେସ୍ । 

103

କନକ ବ୍ୟୁରୋ: କେରଳରେ ବଢ଼ୁଥିବା କରୋନା ସଂକ୍ରମଣ ଭାରତରେ ଚିନ୍ତା ବଢ଼ାଇଲାଣି । ହେଲେ ଏବେ କେବଳ ଭାରତର କରୋନା କେସ୍ ବଢ଼ୁ ନାହିଁ, ସାରା ବିଶ୍ୱରେ ମାମଲା ଦ୍ରୁତ ଗତିରେ ବଢ଼ିଚାଲିଛି । ବିଶ୍ୱରେ ଗୋଟିଏ ମାସରେ କୋଭିଡ କେସ୍ ୫୨ ପ୍ରତିଶତ ବଢ଼ିଛି । ଏହି ସମୟ ଭିତରେ ବିଶ୍ୱରେ ସାଢ଼େ ୮ ଲକ୍ଷ ନୂଆ ମାମଲା ଚିହ୍ନଟ ହୋଇଛି । ହେଲେ କରୋନା ଜନିତ ମୃତ୍ୟୁ ସଂଖ୍ୟା କମିଛି । ଗତ ମାସ ତୁଳନାରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୮ ପ୍ରତିଶତ କମିଛି ।

ସାରା ବିଶ୍ୱର ଗତ ମାସରେ କୋଭିଡରେ ୩ ହଜାର ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି । ବିଶେଷକରି କୋଭିଡର ନୂଆ ଭାରିଏଂଟ ଜେଏନ ଡଟ୍ ୱାନ ଏବେ ଚିନ୍ତା ବଢ଼ାଇଛି । ଏବେ ଏହି ପ୍ରଜାତିକୁ ନୀରିକ୍ଷଣରେ ରହିଛି ବିଶ୍ୱସ୍ୱାସ୍ଥ୍ୟ ସଂଗଠନ । କୋଭିଡକୁ ନଇ ଭୟଭୀତ ନହୋଇ ବରଂ ସତର୍କତା ଅବଲମ୍ବନ କରିବାକୁ ପରାମର୍ଶ ଦିଆଯାଇଛି । ଅନ୍ୟପଟେ ଭାରତରେ ଏବେ କେରଳରେ କୋଭିଡ କେସ୍ ବଢ଼ି ଚାଲିଛି । ପ୍ରତିଦିନ ଠାରେ ୨ ଶହରୁ ଅଧିକ ମାମଲା ଚିହ୍ନଟ ହେଉଛି । ନୂଆ ଭାରିଏଂଟ ଜେଏନ ଡଟ୍ ୱାନ ଏହାର କାରଣ ପାଲଟିଛି । କେରଳ ସହ ମହାରାଷ୍ଟ୍ର, ଗୋଆ, ତାମିଲନାଡୁରେ ମଧ୍ୟ ନୂଆ ପ୍ରଜାତି ଚିହ୍ନଟ ହୋଇସାରିଲାଣି । ଭାରତରେ ଏବେ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ୩ ହଜାର ଟପି ସାରିଛି ।