ଇମାମଙ୍କ ୱିକେଟ ନେବା ପୂର୍ବରୁ ମୁହଁ ପାଖକୁ ବଲ ନେଇ କଣ କହୁଥିଲେ ପାଣ୍ଡ୍ୟା? ମ୍ୟାଚ୍ ପରେ ନିଜେ କଲେ ଖୁଲାସା ।

1,473

କନକ ବ୍ୟୁରୋ : ପଡିଆ ଭିତରେ ମନ୍ତ୍ର ପଢୁଥିଲେ କି ହାର୍ଦ୍ଦିକ ପାଣ୍ଡ୍ୟା? ଇମାମଙ୍କ ୱିକେଟ ନେବା ପରେ କାହିଁକି ଆରମ୍ଭ ହେଲା ଏହି ଚର୍ଚ୍ଚା । ଇମାମଙ୍କ ୱିକେଟ ନେବା ପୂର୍ବରୁ ମୁହଁ ପାଖକୁ ବଲ ନେଇ କଣ କରୁଥିଲେ ହାର୍ଦ୍ଦିକ । ମ୍ୟାଚ୍ ପରେ ସୋସିଆଲ ମିଡ଼ିଆରେ ଏବେ ଏଭଳି ଅନେକ ପ୍ରଶ୍ନ ଉଙ୍କି ମାରୁଛି । ଭାରତ-ପାକିସ୍ତାନ ମ୍ୟାଚର ୧୩ ତମ ଓଭରରେ ଏଭଳି କିଛି ଦେଖିବାକୁ ମିଳିଥିଲା ।

ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ଖେଳାଯାଇଥିବା ଭାରତ-ପାକିସ୍ତାନର ଏହି ମ୍ୟାଚରେ ଲୋକାଲ ଷ୍ଟାର ହାର୍ଦ୍ଦିକ ପାଣ୍ଡ୍ୟା ଦମଦାର ପ୍ରଦର୍ଶନ କରିଥିଲେ । ଟିମର ଆବଶ୍ୟକତା ବେଳେ ୱିକେଟ ହାସଲ କରି ପାକିସ୍ତାନକୁ ବ୍ୟାକଫୁଟକୁ ଠେଲି ଦେଇଥିଲେ ହାର୍ଦ୍ଦିକ । ତେବେ ଇମାମ ଉଲ-ହକଙ୍କ ୱିକେଟ ନେବା ପରେ ହାର୍ଦ୍ଦିକଙ୍କୁ ନେଇ ସୋସିଆଲ ମିଡ଼ିଆରେ ଚର୍ଚ୍ଚା ବଢିଥିଲା । ମ୍ୟାଚର ୧୩ ତମ ଓଭରର ପ୍ରଥମ ବଲରେ କୌଣସି ରନ୍ ହୋଇନଥିବା ବେଳେ ଦ୍ୱିତୀୟ ବଲରେ ହାର୍ଦ୍ଦିକଙ୍କୁ ଚୌକା ମାରିଥିଲେ ଇମାମ । କିନ୍ତୁ ପରବର୍ତ୍ତୀ ବଲ ପକାଇବା ପୂର୍ବରୁ ହାର୍ଦ୍ଦିକ ମୁହଁ ପାଖକୁ ବଲକୁ ନେଇ କିଛି କହିଥିଲେ ଏବଂ ସେହି ବଲରେ ହିଁ ଇମାମଙ୍କ ୱିକେଟ ହାସଲ କରିଥିଲେ । ଇମାମଙ୍କ ୱିକେଟକୁ ନେଇ ସୋସିଆଲ ମିଡ଼ିଆରେ ୟୁଜର୍ସ କହିଥିଲେ ହାର୍ଦ୍ଦିକଙ୍କ ମନ୍ତ୍ର କାମ କଲା । ଏପରିକି କିଛି ୟୁଜର୍ସ କହିଥିଲେ ଇମାମଙ୍କ ୱିକେଟ ନେବାକୁ ହାର୍ଦ୍ଦିକଙ୍କ ବ୍ଲାକ ମ୍ୟାଜିକ କାମ ଦେଲା । ତେବେ ହାର୍ଦ୍ଦିକ ସେହି ବଲ ପକାଇବା ପୂର୍ବରୁ କଣ କହୁଥିଲେ ତାହା କାହାକୁ ଜଣାନଥିଲା । କିନ୍ତୁ ମ୍ୟାଚ୍ ପରେ ହାର୍ଦ୍ଦିକ ଏହା ଉପରୁ ପରଦା ହଟାଇଛନ୍ତି । ଇମାମଙ୍କ ୱିକେଟ ନେବା ପୂର୍ବରୁ ହାର୍ଦ୍ଦିକ କଣ କହୁଥିଲେ ତାହା କ୍ୟାମେରା ଆଗରେ କହିଛନ୍ତି ।

ମ୍ୟାଚ୍ ପରେ ପାଣ୍ଡ୍ୟା କହିଛନ୍ତି, ମୁଁ ଅତି ସରଳ ଭାବେ ନିଜ ସହ କଥା ହେଉଥିଲି । ବାସ୍ତବରେ ନିଜକୁ ଗାଳି ଦେଉଥିଲି । ନିଜକୁ ଉତ୍ସାହିତ କରିବା ସହ କହୁଥିଲି, ଠିକ୍ ଜାଗାରେ ବଲ ପକାଇବି, କିଛି ଭିନ୍ନ କରିବାକୁ ଚିନ୍ତା କରିବି ନାହିଁ । କାରଣ ମ୍ୟାଚ୍ ପୂର୍ବରୁ ମୁଁ ଓ ସିରାଜ ଏକ ଗେମ୍ ପ୍ଲାନ କରିଥିଲୁ । ଗୋଟିଏ ସ୍ଥାନରେ ବଲ ପକାଇବୁ, କିଛି ଭିନ୍ନ ପ୍ରୟାସ କରିବୁନି । କାରଣ ପୂର୍ବ ମ୍ୟାଚରେ ବୁମରାହ କିଛି ସେମିତି କରିଥିଲେ ଏବଂ ସଫଳତା ପାଇଥିଲେ । ହାର୍ଦ୍ଦିକ ଏହି କଥା କହିବା ପରେ ଫ୍ୟାନଙ୍କ ମନରେ ଥିବା ମନ୍ତ୍ରପାଠ ଭ୍ରମ ଦୂର ହୋଇଥିଲା ।

ଅନ୍ୟପଟେ ପାକିସ୍ତାନ ବିପକ୍ଷରେ ବିଜୟ ସହ ଟିମ୍ ଇଣ୍ଡିଆ ପଏଣ୍ଟ ଟେବୁଲର ଶୀର୍ଷକୁ ଉଠିଛି । ୩ରୁ ୩ ବିଜୟ ସହ ଭାରତ ନିଜର ସେମିଫାଇନାଲ ଟିକେଟ ଆଡକୁ ପାଦ ବଢାଉଛି । ପାକିସ୍ତାନ ବିପକ୍ଷରେ ରୋହିତ ଓ ଶ୍ରେୟସଙ୍କ ଦମଦାର ଅର୍ଦ୍ଧଶତକ ବଳରେ ଭାରତ ୭ ୱିକେଟରେ ମ୍ୟାଚକୁ ବାଜି ମାରି ନେଇଥିଲା । ବିଶ୍ୱକପରେ ଭାରତ ନିଜର ପରବର୍ତ୍ତୀ ମ୍ୟାଚରେ ବାଂଲାଦେଶକୁ ଭେଟିବ । ଆସନ୍ତା ୧୯ ତାରିଖରେ ପୁନେରେ ଏହି ମ୍ୟାଚ୍ ଖେଳାଯିବ ।