ବୁଲା ବିକାଳିଙ୍କୁ ଷ୍ଟେସନ ମନା। ଆଉ ଟ୍ରେନରେ ପଶି ବିକି ପାରିବେନି କୌଣସି ବି ଫେରିବାଲା। ପୂଜା ପାଇଁ ନିୟମକୁ କଡାକଡି କଲା ରେଳ ମନ୍ତ୍ରାଳୟ

ପୂର୍ବତଟ ରେଳପଥ ପକ୍ଷରୁ ଚଢଉ ଆରମ୍ଭ

1,203

କନକ ବ୍ୟୁରୋ: ପୂର୍ବତଟ ରେଳପଥ ପରିସୀମା ମଧ୍ୟରେ ଥିବା ଷ୍ଟେସନ ଓ ଚଳାଚଳ କରୁଥିବା ଟ୍ରେନଗୁଡିକରେ ଅଣ ସ୍ୱୀକୃତିପ୍ରାପ୍ତ ଫେରିବାଲା ତଥା ବୁଲା ବିକାଳିଙ୍କ ଦ୍ୱାରା ବିକ୍ରୟ କରାଯାଉଥିବା ସାମଗ୍ରୀକୁ ବାରଣ କରାଯାଇଛି । ଅନ୍ୟ କାର୍ଯ୍ୟକଳାପ ଉପରେ ଅଙ୍କୁଶ ଲଗାଇବା ପାଇଁ ଦ୍ୱିତୀୟ ପର୍ଯ୍ୟାୟ କାର୍ଯ୍ୟାନୁଷ୍ଠାନକୁ ତ୍ୱରାନ୍ୱିତ କରାଯାଇଛି । ଗତ ଜୁନ ଓ ଜୁଲାଇରେ ବ୍ୟାପକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ଅଣ ସ୍ୱୀକୃତିପ୍ରାପ୍ତ ବୁଲା ବିକାଳିଙ୍କ କାର୍ଯ୍ୟକଳାପ ବିରୁଦ୍ଧରେ ସଫଳତା ମିଳିଛି । ତେବେ ପୂଜା ଛୁଟି ସମୟରେ ଅଣସ୍ୱୀକୃତିପ୍ରାପ୍ତ ବୁଲା ବିକାଳି କାର୍ଯ୍ୟକଳାପ ବୃଦ୍ଧି ପାଇବା ଆଶଙ୍କା ଥିବାରୁ ପୂର୍ବତଟ ରେଳପଥ ଏହାର ଦକ୍ଷତା ବୃଦ୍ଧି ସହ ବୁଲା ବିକାଳିଙ୍କ ବିରୁଦ୍ଧରେ କଠୋର କାର୍ଯ୍ୟାନୁଷ୍ଠାନ ନେବାକୁ ବାଣିଜ୍ୟିକ ଓ ରେଳପଥ ସୁରକ୍ଷା ବଳକୁ ନିର୍ଦ୍ଦେଶ ଦେଇଛି । ପୂର୍ବତଟ ରେଳପଥର ପ୍ରମୁଖ ସୁରକ୍ଷା ଆୟୁକ୍ତ ରାଜା ରାମଙ୍କ ନେତୃତ୍ୱରେ ଏହି କାର୍ଯ୍ୟାନୁଷ୍ଠାନ ବ୍ୟାପକ କରାଯାଇଛି ।

ଏହାବ୍ୟତୀତ ବୁଲା ବିକାଳିଙ୍କ ଦ୍ୱାରା ଅସମାଜିକ କାର୍ଯ୍ୟକଳାପ ରେଳପଥ କର୍ମଚାରୀଙ୍କ ପାଇଁ ଏବେ ମୁଣ୍ଡବ୍ୟଥାର କାରଣ ପାଲଟିଛି । ବୁଲା ବିକାଳିଙ୍କ ବେଶରେ ଅସାମାଜିକ ବ୍ୟକ୍ତିମାନେ ଜିନିଷ ବିକିବା ବାହାନାରେ ରେଳଯାତ୍ରୀଙ୍କୁ ଲକ୍ଷ୍ୟ କରି ସେମାନଙ୍କଠାରୁ ଟଙ୍କା ପଇସା ସବୁ ଲୁଟି ନେଉଛନ୍ତି । ବେଳେବେଳେ ତ ଯାତ୍ରାମାନଙ୍କର ଜିନିଷପତ୍ର ଷ୍ଟେସନରୁ ଚୋରି ହେବା ମଧ୍ୟ ରେଳବାଇ ପାଇଁ ଉଦବେଗର ବିଷୟ ପାଲଟିଛି । ରେଳପଥ ନଜରକୁ ଆସୁଥିବା ଘଟଣାଗୁଡିକ ମଧ୍ୟରୁ ବହୁ ଘଟଣା ଛଦ୍ମବେଶୀ ଫେରିବାଲାଙ୍କ ଦ୍ୱାରା ଘଟୁଛି । ଏହାବ୍ୟତୀତ ବୁଲା ବିକାଳିମାନଙ୍କ ଦ୍ୱାରା ବିକ୍ରୟ କରାଯାଉଥିବା ଖାଦ୍ୟ ସାମଗ୍ରୀ ଓ ଅନ୍ୟାନ୍ୟ ଜିନିଷପତ୍ର ଉଭୟ ଟ୍ରେନ ଓ ରେଳପଥ ପରିସରରେ ଅଳିଆ ଆବର୍ଜନା ସୃଷ୍ଟି କରିୁଛି ।

ତେବେ ଯାତ୍ରୀମାନଙ୍କ ସୁରକ୍ଷା ପ୍ରତି ବିହିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ସହିତ ଭିକାରି ଏବଂ ଦାନ ଚାନ୍ଦା ମାଗୁଥିବା ବ୍ୟକ୍ତିମାନେ ଯେପରି ଟ୍ରେନରେ ଯାତାୟତ ନକରିବେ , ରେଳ ଷ୍ଟେସନରେ ପ୍ରବେଶ ନକରିବେ ସେଥିପ୍ରତି ଦୃଷ୍ଟି ଦେବାକୁ କୁହାଯାଇଛି । ରେଳ ଷ୍ଟେସନ ପରିସରରୁ ଭିକାରିମାନଙ୍କୁ ହଟାଇବା ପାଇଁ ମଧ୍ୟ କାର୍ଯ୍ୟାନୁଷ୍ଠାନ ନିଆଯାଉଛି । ଏଥିପାଇଁ ପୂର୍ବତଟ ରେଳପଥ ଯାତ୍ରୀ ଓ ରେଳ ବ୍ୟବହାରକାରୀମାନଙ୍କ ସହଯୋଗ ଲୋଡିବା ସହ ଏହାର ନିରାକରଣ ପାଇଁ ଫେରିବାଲା ତଥା ବୁଲା ବିକାଳି, ଭିକାରି ଓ ଚାନ୍ଦା ମାଗୁଥିବା ଲୋକଙ୍କୁ ଏଥିରୁ ନିରୁତ୍ସାହିତ କରିବାକୁ କୁହାଯାଇଛି ।