ବ୍ରିଟେନରେ ଉପୁଜିଲା ମହାରାଷ୍ଟ୍ର ସ୍ଥିତି, ବିଦ୍ରୋହୀଙ୍କ ଚାପରେ ଇସ୍ତଫା ଦେଲେ ପ୍ରଧାନମନ୍ତ୍ରୀ ବୋରିସ୍ ଜନସନ

125

କନକ ବ୍ୟୁରୋ : ଖାଲି ଭାରତବର୍ଷ ନୁହେଁ ବିଶ୍ୱର ଅନେକ ରାଷ୍ଟ୍ରରେ ଦେଖିବାକୁ ମିଳିଛି କ୍ଷମତା ସଂକଟ । ମହାରାଷ୍ଟ୍ରରେ ଯେଭଳି ଭାବେ ନିଜ ଦଳର ବିଧାୟକଙ୍କ ବିଦ୍ରୋହ ପାଇଁ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କୁ ଇସ୍ତଫା ଦେବାକୁ ପଡିଥିଲା ଏବେ ସମାନ ସ୍ଥିତି ଦେଖିବାକୁ ମିଳିଛି ବ୍ରିଟେନରେ । ବ୍ରିଟେନ ପ୍ରଧାନମନ୍ତ୍ରୀ ବୋରିସ୍ ଜନସନ ନିଜ ଦଳର ମନ୍ତ୍ରୀମାନଙ୍କ ବିଦ୍ରୋହ ଓ ପରେ ଇସ୍ତଫା ଫଳରେ ଆଜି ବାଧ୍ୟ ହୋଇ ଇସ୍ତଫା ଦେଇଛନ୍ତି । ସେ କେବଳ ପ୍ରଧାନମନ୍ତ୍ରୀ ପଦରୁ ନୁହେଁ ବରଂ ନିଜ ଦଳ କଞ୍ଜରଭେଟିଭ ପାର୍ଟିର ମୁଖିଆ ପଦରୁ ବି ଇସ୍ତଫା ଦେଇଛନ୍ତି । କୁହାଯାଉଛି କି ତାଙ୍କ ମନ୍ତ୍ରୀମଣ୍ଡଳରୁ ୫୦ ରୁ ଅଧିକ ମନ୍ତ୍ରୀ ବି ଇସ୍ତଫା ଦେଇଛନ୍ତି ।

 

ବୋରିସଙ୍କ ଇସ୍ତଫା ପରେ ଏବେ କିଏ ହେବ ବ୍ରିଟେନର ପ୍ରଧାନମନ୍ତ୍ରୀ ତାହାକୁ ନେଇ ଚର୍ଚ୍ଚା ଜୋର ଧରିଛି । ଏହି ଚର୍ଚ୍ଚା ମଧ୍ୟରେ ସବୁଠୁ ଆଗରେ ରହିଛନ୍ତି ଭାରତୀୟ ବଂଶୋଦ୍ଭବ ଋଷି ସୁନକ । ଋଷି ହେଉଛନ୍ତି ଇନଫୋସିସର ସହ ପ୍ରତିଷ୍ଠାତା ତଥା ପ୍ରତିଷ୍ଠ ବ୍ୟବସାୟୀ ନାରାୟଣ ମୂର୍ତ୍ତୀଙ୍କ ଜ୍ୱାଇଁ । ଋଷି ବୋରିସଙ୍କ ମନ୍ତ୍ରୀମଣ୍ଡଳରେ ଅର୍ଥମନ୍ତ୍ରୀ ଥିଲେ । ହେଲେ କିଛି କାରଣ ଯୋଗୁଁ ତାଙ୍କୁ ବିରୋଧ କରାଯିବାରୁ ସେ ମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିଲେ ।