ଉଦ୍ଧବ ଦେଲେ ଖୋଲା ଚ୍ୟାଲେଞ୍ଜ । ଯଦି ସାହସ ଅଛି ତେବେ ବିଜେପି ଓ ସିନ୍ଦେ ଗୋଷ୍ଠୀ ଏବେ ନିର୍ବାଚନ ମୈଦାନକୁ ଓହ୍ଲାନ୍ତୁ ।

429

କନକ ବ୍ୟୁରୋ : ମହାରାଷ୍ଟ୍ରର ନୂଆ ମୁଖ୍ୟମନ୍ତ୍ରୀ ଭାବେ ଏକନାଥ ସିନ୍ଦେ ଶପଥଗ୍ରହଣ କରିବା ପରେ ଆରମ୍ଭ ହୋଇଛି ରାଜନୈତିକ ବୟାନବାଜି । ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଶିବସେନା ମୁଖ୍ୟ ଉଦ୍ଧବ ଠାକରେ ସାଂଘାତିକ ଅଭିଯୋଗ ଆଣିବା ସହ କହିଛନ୍ତି ଯେ, ଶିବସେନାକୁ ଶେଷ କରିଦେବାକୁ ଚାହୁଁଛି ବିଜେପି । ଜିଲ୍ଲା ସଭାପତିଙ୍କ ସହ ବୈଠକ କରି କିଛି ଏଭଳି କହିଛନ୍ତି ଉଦ୍ଧବ । ଶିବସେନାକୁ ଆହୁରି ସୁଦୃଢ କରିବାକୁ ଜିଲ୍ଲା ସଭାପତି ମାନଙ୍କୁ ଆହ୍ୱାନ ଦେଇଛନ୍ତି ଉଦ୍ଧବ ଠାକରେ । ଏହାସହ ଉଦ୍ଧବ ଉଭୟ ବିଜେପି ଓ ସିନ୍ଦେ ଗୋଷ୍ଠୀକୁ ଚ୍ୟାଲେଞ୍ଜ ଦେଇ କହିଛନ୍ତି, ଯଦି ସତସାହସ ଅଛି ତେବେ ଏବେ ନିର୍ବାଚନ ଲଢିକି ଦେଖାନ୍ତୁ ।

ଗୋଟିଏ ପଟେ ସିନ୍ଦେଙ୍କ ଗୋଷ୍ଠୀ ଲଗାତାର ନିଜର ଶକ୍ତି ବୃଦ୍ଧି କରୁଥିବା ବେଳେ ଅନ୍ୟପଟେ ଜିଲ୍ଲା ସଭାପତିମାନଙ୍କ ସହ ବୈଠକ କରି ଏବେ ବି ଶିବସୈନିକ ତାଙ୍କ ସହ ଥିବା ନେଇ ସଂକେତ ଦେଇଛନ୍ତି । ଏହି ବୈଠକରେ ଉଦ୍ଧବ କହିଛନ୍ତି ଏଭଳି ରାଜନୈତିକ ଖେଳ ଖେଳିବା ଅପେକ୍ଷା ସାଧାରଣ ଲୋକଙ୍କ ପାଖକୁ ଯାଅ । ଯଦି ଆମେ ଭୁଲ ଥିବୁ ତେବେ ଲୋକ ଆମକୁ ଘରେ ବସାଇଦେବେ ଯଦି ତୁମେ ଭୁଲ ଥିବ ତେବେ ତୁମର ମଧ୍ୟ ସମାନ ଅବସ୍ଥା କରିବେ । ଏହାସହ ଉଦ୍ଧବ କହିଛନ୍ତି, ଯଦି ଲଢିବାର ଅଛି ତେବେ ମୋ ସହ ରୁହ ।

ଏବେ ଶିବସେନାର ୩୯ରୁ ଅଧିକ ବିଧାୟକ ସିନ୍ଦେଙ୍କ ଗୋଷ୍ଠୀରେ ସାମିଲ ହୋଇଛନ୍ତି । ଆଉ ଏହି ବିଧାୟକ ମାନଙ୍କ ବଳରେ ସିନ୍ଦେ ବିଜେପିର ସମର୍ଥନରେ ମହାରାଷ୍ଟ୍ରରେ ସରକାର ଗଢିଛନ୍ତି । ସିନ୍ଦେ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଥିବା ବେଳେ ଦେବେନ୍ଦ୍ର ଫଡନବୀଶ ଉପ-ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି ।