ଦୁଇଲକ୍ଷ ଟଙ୍କା ଧରି ବ୍ୟାଙ୍କ ଆସିଥିଲେ ଯୁବକ : ବ୍ୟାଗରୁ ଗାଏବ ହୋଇଗଲା ୧ଲକ୍ଷ ଟଙ୍କା

206

କନକ ବ୍ୟୁରୋ : ସିସିଟିଭିରେ କଏଦ ହେଲା ବ୍ୟାଙ୍କ ଭିତରୁ ଟଙ୍କା ଚୋରୀର ଦୃଶ୍ୟ । ଟଙ୍କା ଜମା କରିବାକୁ ଧାଡ଼ିରେ ଛିଡ଼ା ହୋଇଥିବା ଜଣେ ଯୁବକଙ୍କ ପଛରେ ଛିଡ଼ା ହୋଇଥିବା ବ୍ୟକ୍ତି ଅତି ଚତୁରତାର ସହ ଚୋରୀ କରୁଥିବା ଚିତ୍ର ସାମ୍ନାକୁ ଆସିଛି । ପଛରେ ଛିଡ଼ା ହୋଇଥିବା ବ୍ୟକ୍ତି ଜଣଙ୍କ ଯୁବକଙ୍କ ବ୍ୟାଗରୁ ଲକ୍ଷେ ଟଙ୍କା ଧରି ଛୁ ମାରିଛନ୍ତି । ସିସିଟିଭିରେ ଏହି ଦୃଶ୍ୟ କଏଦ ହୋଇଛି ।
ଏଭଳି ଏକ ଘଟଣା ରାଉରକେଲାରେ ଦେଖିବାକୁ ମିଳିଛି । ବିଶ୍ରା ଛକ ନିକଟସ୍ଥ ଏସବିଆଇ ମୁଖ୍ୟ ଶାଖାରେ ଟଙ୍କା ଜମା କରିବାକୁ ଯାଇଥିବା ବେଳେ ଲୁଟ୍ର ଶିକାର ହୋଇଛନ୍ତି ମହମ୍ମଦ ଆକିବ । ଆନନ୍ଦ ଭବନ ଲେନର ଏକ କମ୍ପୁଟର ଦୋକାନରେ କାମ କରୁଥିବା ମହମ୍ମଦ ଆକିବ ତାଙ୍କ ବାପାଙ୍କ ପାଖକୁ ୨ ଲକ୍ଷ ଟଙ୍କା ପଠାଇବା ପାଇଁ ବ୍ୟାଙ୍କକୁ ଆସିଥିଲେ । ଜମା କରିବା ପାଇଁ ଧାଡ଼ିରେ ଛିଡ଼ା ହୋଇ ମୋବାଇଲରେ ବ୍ୟସ୍ତ ଥିଲେ ମହମ୍ମଦ । ଏହାର ସୁଯୋଗ ନେଇ ପଛରେ ଛିଡ଼ା ହୋଇଥିବା ବ୍ୟକ୍ତି ଜଣଙ୍କ ଚୋରୀ କରି ସେଠାରୁ ଖସି ପଳାଇଥିଲେ । ଅଭିଯୋଗ ପରେ ରାଉରକେଲା ପ୍ଲାଂଟ ସାଇଡ଼ ପୋଲିସ ସିସିଟିଭି ଫୁଟେଜ ଆଧାରରେ ତଦନ୍ତ କରୁଛି ।