ବଙ୍ଗଳାରୁ ଦିଦିଙ୍କ ହୁଙ୍କାର । ଦିଲ୍ଲୀରୁ ବିଜେପିକୁ କ୍ଷମତାରୁ ହଟାଇବା ମୋର ଶେଷ ଲଢେଇ ।

624

କନକ ବ୍ୟୁରୋ : କେନ୍ଦ୍ରରେ କ୍ଷମତାସୀନ ଥିବା ବିଜେପି ଉପରେ ବର୍ଷିଛନ୍ତି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ । ଆଗାମୀ ୨୦୨୪ରେ ବିଜେପିର ପରାଜୟ ନିଶ୍ଚିତ ବୋଲି କହିଛନ୍ତି ମମତା । ଏପରିକି ବିଜେପିକୁ କ୍ଷମତାରୁ ହଟାଇବା ତାଙ୍କର ଶେଷ ଲଢେଇ ହେବ ବୋଲି ମମତା କହିବା ପରେ ରାଜନୀତି ପାରା ବଢିଛି । ପଶ୍ଚିମବଙ୍ଗରେ ଏକ ଜନସଭାରେ ମମତା କହିଛନ୍ତି, ୨୦୨୪ ଲୋକସଭା ନିର୍ବାଚନରେ ବିଜେପିକୁ ହରାଇବା ମୋର ପ୍ରାଥମିକତା ହେବ । ବିଜେପିକୁ କ୍ଷମତାରୁ ବିଦା କରିବାକୁ ଦିଲ୍ଲୀର ଲଢେଇ ମୋର ଶେଷ ଲଢେଇ ହେବ । ବିଜେପିକୁ ଶାସନ କ୍ଷମତାରୁ ବିଦା କରିବାକୁ ପଣ କରିଛନ୍ତି ମମତା ।

ଏହାଛଡା ମମତା କହିଛନ୍ତି, ପଶ୍ଚିମବଙ୍ଗକୁ ରକ୍ଷା କରିବା ମୋର ପ୍ରଥମ ଲଢେଇ । କିନ୍ତୁ ୨୦୨୪ରେ କେନ୍ଦ୍ରରେ ବିଜେପିକୁ ଶାସନ କ୍ଷମତାରୁ ତଡିବାକୁ ମୁଁ ପଣ କରୁଛି । ଯଦି ଆମକୁ ଡରାଇବାକୁ ଚେଷ୍ଟା କରାଯିବ, ତେବେ ଏହାର ଜବାବ ଦେବୁ ଓ ଜିତିବୁ ମଧ୍ୟ । ପୂର୍ବରୁ ରାଜୀବ ଗାନ୍ଧୀ ମଧ୍ୟ ୪୦୦ରୁ ଅଧିକ ସିଟରେ ବିଜୟୀ ହୋଇଥିଲେ ମଧ୍ୟ ପରେ ପରାଜିତ ହୋଇଥିଲେ । ଇନ୍ଦିରା ଗାନ୍ଧୀ ମଧ୍ୟ ସମଦଶା ଭୋଗିଥିଲେ । ଯେତେ ବଳବାନ ହୁଅନ୍ତୁ ନା କାହିଁକି ସମସ୍ତଙ୍କୁ ପରାଜୟର ସାମ୍ନା କରିବାକୁ ପଡେ । ବିଜେପି ପାଖରେ ଏବେ ୩୦୦ରୁ ଅଧିକ ଆସନ ରହିଛି । କିନ୍ତୁ ଏବେ ହାତରୁ ବିହାର ଯାଇଛି, ଆଗକୁ ଆହୁରି ଅନେକ ରାଜ୍ୟରେ ବିଜେପି ସମାନ ଦଶା ଭୋଗିବ । ୨୦୨୪ରେ ବିଜେପି ପରାଜିତ ହେବ, ଆଉ ଶେଷରେ ରସଗୋଲା ଖାଇବ । କିଛି ଏଭଳି କହି ବିଜେପି ସରକାର ଉପରେ ବର୍ଷିଛନ୍ତି ମମତା ବାର୍ନାଜୀ ।