କୋରାପୁଟରେ ସାରର ଘୋର ଅଭାବ। ଚାଷୀଙ୍କୁ ମିଳୁନାହିଁ ୟୁରିଆ ସାର।

73

କନକ ବ୍ୟୁରୋ:  ଚାଷୀଙ୍କୁ ମିଳୁନାହିଁ ୟୁରିଆ ସାର । ସରକାରୀ ଧାର୍ଯ୍ୟରେ ୟୁରିଆ ସାର କିଣିବା ପାଇଁ ଲ୍ୟାମ୍ପ ଆଗରେ ଲାଗୁଛି ଲମ୍ବାଧାଡ଼ି । ଗଛରୁ ଧାନ ବାହାରୁଥିବା ବେଳେ ଜଣେ ଚାଷୀ ପିଛା ମାତ୍ର ୨ ପ୍ୟାକେଟ ସାର ମିଳୁଛି, ଯାହା ପର୍ଯ୍ୟାପ୍ତ ନୁହେଁ । ତେଣୁ ଲ୍ୟାମ୍ପରୁ ସାର ସରିଯାଉଛି, କିନ୍ତୁ ଚାଷୀଙ୍କ ଧାଡ଼ି ସରୁନାହିଁ । ଏଭଳି ଚିତ୍ର ଏବେ କୋରାପୁଟ ଜିଲ୍ଳାର ସବୁ ଲ୍ୟାମ୍ପ ସମ୍ମୁଖରେ ଦେଖିବାକୁ ମିଳୁଛି । ଖରିଫ ଚାଷରେ ଧାନ ରୁଆ ସରିଥିବା ବେଳେ ଏବେ ଚାଷକୁ ଆଗକୁ ବଢାଇବା ପାଇଁ ୟୁରିଆ ସାରର ଆବଶ୍ୟକତା ରହିଛି । ରୁଆ ପରେ ଧାନ ଗଛ ବଡ଼ିବା ପାଇଁ ୟୁରିଆ ସାର ଦରକାର ପଡେ । ହେଲେ ସାର ମିଳୁନଥିବାରୁ ଚାଷୀ ହତାସ ହୋଇଛନ୍ତି ।

ଲ୍ୟାମ୍ପରେ ସାରର ଅଭାବ ଥିବାରୁ ବଜାରରେ ଚଢ଼ା ଦରରେ ବିକ୍ରି ହେଉଥିବା ଅଭିଯୋଗ ହୋଇଛି । ସୋସାଇଟିରେ ୟୁରିଆ ସାର ପ୍ୟକେଟ ପିଛା ୨୬୬ ଟଙ୍କା ରହିଥିବା ବେଳେ ବାହାର ବଜାରରେ ୩୫୦ରୁ ୪୦୦ ଟଙ୍କାରେ ବିକ୍ରି ହେଉଛି । ଲ୍ୟାମ୍ପକୁ ଯେତିକି ସାର ଆସୁଛି, ତାହା ଚାଷୀଙ୍କ ଅଣ୍ଟୁ ନଥିବାରୁ ଚାଷୀଙ୍କ ମଧ୍ୟରେ ଅସନ୍ତୋଷ ବଢୁଛି, ବାଧ୍ୟ ହୋଇ ଲ୍ୟାମ୍ପକୁ ବନ୍ଦ କରିବାକୁ ପଡୁଥିବା ଅଧିକାରୀ ପ୍ରତିକ୍ରିୟା ରଖିଛନ୍ତି । ଡ଼ଙ୍ଗର ଛିଂଚି ଲ୍ୟାମ୍ପ ଅଧିକାରୀ କହିଛନ୍ତି, ଏହି ଲ୍ୟାମ୍ପର ଅନ୍ତର୍ଗତ ଚାଷୀଙ୍କ ପାଇଁ ୧୦ ହଜାର ବସ୍ତା ସାର ଆବଶ୍ୟକତା ରହିଛି, କିନ୍ତୁ ମିଳିଛି ମାତ୍ର ୨୦୦୦ ବସ୍ତା । ତାହା ଚାଷୀଙ୍କୁ କିପରି ଯୋଗାଇବୁ ବୋଲି ଲ୍ୟାମ୍ପ ଅଧିକାରୀ କହିଛନ୍ତି ।