ଅଧାବାଟରୁ ଉଭାନ ଟ୍ରକ କାକଟପୁରରୁ ଉଦ୍ଧାର। ଡ୍ରାଇଭର, ହେଲପରଙ୍କୁ ଗିରଫ କଲା ପୋଲିସ।

99

କନକ ବ୍ୟୁରୋ:  ଅଧାବାଟରୁ ଉଭାନ ହେଇଗଲା ଖାଦ୍ୟସାମଗ୍ରୀ ବୋଝେଇ ଟ୍ରକ । ଛତିଶଗଡରୁ ଆସୁଥିବା ଟ୍ରକ ଠିକଣା ସ୍ଥାନରେ ପହଞ୍ଚିବା ଆଗରୁ କୁଆଡେ ନିଖୋଜ ହୋଇଗଲା । ସଠିକ୍ ସମୟରେ ଖାଦ୍ୟ ସାମଗ୍ରୀ ପହଞ୍ଚିଲା ନାହିଁ, କି ଟ୍ରକର ଠିକଣା ମିଳିଲା ନାହିଁ । ତେଣୁ ଛତିଶଗଡରୁ ଖାଦ୍ୟ ବୋଝେଇ ଟ୍ରକ ଓଡିଶା ପଠାଇଥିବା ବ୍ୟବସାୟୀ ଥାନାର ଦ୍ୱାରସ୍ଥ ହେଲେ । ସେପଟେ ବ୍ୟବସାୟୀଙ୍କ ଅଭିଯୋଗକୁ ଭିତି କରି ତଦନ୍ତ ଆରମ୍ଭ କଲା ଛତିଶଗଡ ପୁଲିସ । ଆଉ ଓଡିଶା ପୁଲିସ ସହଯୋଗରେ ଟ୍ରକ ଡ୍ରାଇଭରର ମୋବାଇଲ୍କୁ ଟ୍ରାକ କରି ପୁରୀ ଜିଲ୍ଲା କାକଟପୁରରୁ ଟ୍ରକ ଡ୍ରାଇଭର ଓ ହେଲପ୍ରକୁ ଗିରଫ କରିଛି ଛତିଶଗଡ ପୁଲିସ ।

ସେମାନଙ୍କ ଘର ପାଖରୁ ଟ୍ରକ ଦୁଇଟି ଜବତ ହୋଇଛି । ତେବେ ଟ୍ରକରେ ଥିବା ଖାଦ୍ୟ ପଦାର୍ଥ କୁଆଡେ ଗଲା, ତାହା ଏଯାଏଁ ଜଣାପଡିନାହିଁ । ତେବେ ଅଭିଯୁକ୍ତଙ୍କୁ ଆଜି ନିମାପଡା କୋର୍ଟରେ ହାଜର କରାଯାଇଛି । କୋର୍ଟଙ୍କ ଅନୁମତି କ୍ରମେ ଅଭିଯୁକ୍ତଙ୍କୁ ଛତିଶଗଡ ନେଇ ଅଧିକ ତଦନ୍ତ କରିବ ଛତିଶଗଡ ପୁଲିସ । ସୂଚନା ଅନୁସାରେ, ଗତ ୨୮ ତାରିଖରେ ଛତିଶଗଡ ପରାବାଦ ବଜାର ଭାଟପଡା ଥାନା ଅଞ୍ଚଳରୁ ଖାଦ୍ୟ ସାମଗ୍ରୀ ନେଇ ଏକ ଆଇଚର ବାର ଚକିଆ ଟ୍ରକ ଭୁବନେଶ୍ୱର ଅଭିମୁଖେ ବାହାରିଥିଲା । ହେଲେ ଅଧା ବାଟରୁ ଟ୍ରକଟି କୁଆଡେ ଉଭାନ ହୋଇଯାଇଥିଲା । ଏନେଇ ସାମଗ୍ରୀ ପଠାଇଥିବା ବ୍ୟବସାୟୀ ବିକାଶ ଅଗ୍ରୱାଲ ଥାନାରେ ଅଭିଯୋଗ କରିଥିଲେ । ଭାଟପଡା ପୁଲିସ ଏକ ମାମଲା ରୁଜୁ କରି ଟ୍ରକ ଡାଇଭର ଓ ହେଲପରକୁ କାକଟପୁରରୁ ଗିରଫ କରିଛି ।