ଉପାନ୍ତ ଅଞ୍ଚଳ ନୁହେଁ, ରାଜଧାନୀ ଭୁବନେଶ୍ୱରର ଘଟଣା । ଭୂତ ଭୟରେ ୪ ବର୍ଷ ହେଲା ସ୍କୁଲରେ ପଡ଼ିଛି ତାଲା

398

କନକ ବ୍ୟୁରୋ: ଭୂତ ଭୟରେ ସ୍କୁଲରେ ଝୁଲୁଛି ତାଲା । ତାହା ପୁଣି ଖୋଦ୍ ରାଜଧାନୀ ଭୁବନେଶ୍ୱରରେ । ଦୀର୍ଘ ୪ ବର୍ଷ ହେଲା ବନ୍ଦ ଅଛି ଭୁବନେଶ୍ୱର ଶବର ସାହି ପ୍ରାଥମିକ ବିଦ୍ୟାଳୟ, ଆଉ ସଂଧ୍ୟା ହେଲେ ଏଠାରେ ଜମୁଛି ଅସାମାଜିକ ଯୁବକଙ୍କ ଆଡ୍ଡା ।

  • ଭୂତ ଭୟରେ ସ୍କୁଲରେ ତାଲା
  • ୪ ବର୍ଷ ହେଲା ବନ୍ଦ ରହିଛି ସ୍କୁଲ

ରାଜଧାନୀ ଭୁବନଶ୍ୱେରର ୪୩ ନମ୍ବର ୱାର୍ଡ଼ରେ ଥିବା ବଡ଼ଗଡ଼ ସ୍ଥିତ ଶବର ସାହି ପ୍ରାଥମିକ ବିଦ୍ୟାଳୟ । ଘର କାନ୍ଥ ଫାଟି ଆଁ କଲାଣି । ଝରକା କବାଟ ସବୁ ସବୁ ଭାଙ୍ଗି ପଡ଼ିଲାଣି । ଭୂତକୋଠି ହୋଇ ପଡ଼ି ରହିଛି ସ୍କୁଲ ଘର । ସ୍ଥାନୀୟ ବାସିନ୍ଦାଙ୍କ କହିବା ଅନୁସାରେ ୪ବର୍ଷ ତଳେ ସପ୍ତମ ଶ୍ରେଣୀରେ ପଢ଼ୁଥିବା ଜଣେ ପିଲାର ବିଦ୍ୟାଳୟ ପରିସରରେ ଥିବା ପଣସ ଗଛରୁ ପଡ଼ି ମୃତ୍ୟୁ ହୋଇଥିଲା । ପିଲାଟିକୁ ଭୂତ ପେଲିଦେବାରୁ ତାର ମୃତ୍ୟୁ ହୋଇଥିବା ଗୁଜବ ପ୍ରସାରିତ ହୋଇଥିଲା । ଏହାକୁ ଖଣ୍ଡନ କରିବା ପାଇଁ ସ୍କୁଲ ପରିସରରେ କ୍ୟାମେରା ମଧ୍ୟ ଲାଗିଥିଲା । ହେଲେ ଅଭିଭାବକ ମାନେ ପିଲାଙ୍କୁ ସ୍କୁଲକୁ ଛାଡ଼ି ନଥିଲେ ।

ପରେ ନିକଟସ୍ଥ ଏକ ସ୍କୁଲକୁ ପ୍ରଥମରୁ ପଞ୍ଚମ ପର୍ଯ୍ୟନ୍ତ ପାଠ ପଢ଼ୁଥିବା ପିଲାଙ୍କୁ ସ୍ଥାନାନ୍ତର କରିଦିଆଗଲା । ଏବେ ହାତ ଗଣତି କ୍ଲାସ ରୁମ୍, ମାତ୍ର ଦୁଇ ଜଣ ଶିକ୍ଷୟିତ୍ରୀ ଥିବାରୁ ଗୋଟିଏ ଶ୍ରେଣୀ ଗୃହରେ ଦୁଇଟି ଶ୍ରେଣୀର ପିଲାଙ୍କୁ ବସାଇ ପାଠ ପଢ଼ାଯାଉଛି । ସ୍କୁଲ ପରିସରରେ ବି ଖେଳପଡ଼ିଆ ଟିଏ ବି ନାହିଁ । ତେବେ କାହିଁକି ବରଗଡ଼ ଶବର ସାହି ପ୍ରାଥମିକ ବିଦ୍ୟାଳୟକୁ ଏହି ସ୍କୁଲ ସହ ମିଶାଗଲା, ଏହାକୁ ନେଇ ସ୍ଥାନୀୟ ଲୋକେ ପ୍ରଶ୍ନ କରିଛନ୍ତି । ଅନ୍ୟପଟେ ଭୂତ କୋଠି ପାଲଟିଥିବା ପୁରୁଣା ସ୍କୁଲ ସଞ୍ଜ ନଇଁଲେ ଅସାମାଜିକ ବ୍ୟକ୍ତିଙ୍କ ଆଡ୍ଡାସ୍ଥଳୀ ପାଲଟିଛି । ତେଣୁ ଏହି ଭୂତ ଉପାଖ୍ୟାନର ପ୍ରକୃତ କାରଣକୁ ନେଇ ସନ୍ଦେହ ସୃଷ୍ଟି କରିଛି ।