କଣ୍ଠଶିଳ୍ପୀ ବାଣୀ ଜୟରାମଙ୍କ ପରଲୋକ । ୭୮ବର୍ଷ ବୟସରେ ଦେହାନ୍ତ । ଅନେକ ଓଡିଆ ଗୀତ ସହ ପ୍ରାୟ ୧୦ହଜାର ଗୀତରେ କରିଛନ୍ତି କଣ୍ଠଦାନ

175

କନକ ବ୍ୟୁରୋ: ପରଲୋକରେ ପ୍ରସିଦ୍ଧ ପ୍ରଚ୍ଛଦପଟ କଣ୍ଠଶିଳ୍ପୀ ବାଣୀ ଜୟରାମ । ୭୮ ବର୍ଷ ବୟସରେ ତାଙ୍କ ଚେନ୍ନାଇରେ ପରଲୋକ ହୋଇଯାଇଛି । ମୃତ୍ୟୁର କାରଣ ସମ୍ପର୍କରେ ଏ ଯାଏଁ କିଛି ସ୍ପଷ୍ଟ ହୋଇନାହିଁ । ନିକଟରେ ସେ ଜଣେ ସଫଳ ଗାୟିକା ଭାବେ ୫୦ ବର୍ଷ ପୂରଣ କରିଥିଲେ । ତେବେ କଳା କ୍ଷେତ୍ରରେ ଅବଦାନ ପାଇଁ କେନ୍ଦ୍ର ସରକାର ତାଙ୍କୁ ପଦ୍ମଭୂଷଣରେ ସମ୍ମାନିତ କରିଥିଲେ ।

ମେଘ ବରଷିଲା ଟୁପୁରୁ ଟୁପୁରୁ, ୧୯୭୬ ମସିହାର ଓଡିଆ ଫିଲ୍ମ ‘ଶେଷ ଶ୍ରାବଣ’ର ଗୀତ । ସେତେବେବେଳେ ଏହି ଫିଲ୍ମ ଯେଭଳି ହିଟ ହୋଇଥିଲା ଗୀତ ବି ସେଭଳି ହିଟ୍ । ଆଉ ଗୀତକୁ ଗାଇଥିଲେ ଦକ୍ଷିଣର ସୁପ୍ରସିଦ୍ଧ ଗାୟିକା ବାଣୀ ଜୟରାମ । ୭୦ ଓ ୮୦ ଦଶକର ପ୍ରାରମ୍ଭରେ ବାଣୀ ଜୟରାମ ଓଲିଉଡର ଅନେକ ହିଟ ଗୀତରେ କଣ୍ଠଦାନ କରିଥିଲେ । ଚେନ୍ନାଇରେ ରହୁଥିବା ବାଣୀଜୟରାମଙ୍କୁ ସାଧାରଣତନ୍ତ୍ର ଦିବସ ଦିନ କେନ୍ଦ୍ର ସରକାର ସମ୍ମାନଜନକ ପଦ୍ମଭୂଷଣ ଦେବାକୁ ଘୋଷଣା କରିଥିଲେ । ହେଲେ ଆଜି ନିରବୀ ଯାଇଛନ୍ତି କୋକିଳକଣ୍ଠୀ ବାଣୀ ଜୟରାମ ।

ଓଡିଆରେ ବାଣୀ ଜୟରାମଙ୍କ ଅନେକ ଗୀତ ରହିଛି, ଯାହାକୁ ଆଜି ବି ଲୋକେ ଗୁଣୁଗୁଣାଇଥାନ୍ତି । ତାଙ୍କର ଲୋକପ୍ରିୟ ଗୀତ ମଧ୍ୟରେ ରହିଛି ଶେଷ ଶ୍ରାବଣର ମେଘ ବରଷିଲା ଟୁପୁରୁ ଟାପୁରୁ, ଗୌରୀର ଟାଇଟଲ ଗୀତ , ସତୀ ଅନୁସୟାର ଏଇ ଝିଅଟିର ପାଦଟଳମଳ ଓ ଅଲିଭା ଦାଗର ଆହା କି ବଢିଆ ଯୋଡି ତୋର ମୋର ଭଳି ଗୀତ ।

ବାଣୀ ଜୟରାମ ଦକ୍ଷିଣ ଭାରତର ବିଭିନ୍ନ ଭାଷା ସହ ହିନ୍ଦୀ ଓ ଓଡିଆରେ ବି ଅନେକ ଗୀତ ଗାଇଛନ୍ତି । ହିନ୍ଦୀ , ଓଡିଆ ସମେତ ଅନେକ ଭାରତୀୟ ଭାଷାରେ ବାଣୀ ଜୟରାମ ୧୦ ହଜାରରୁ ଅଧିକ ଗୀତ ରେକର୍ଡ କରିଥିଲେ । ତାଙ୍କୁ କୁହାଯାଉଥିଲା ଭାରତୀୟ ସଙ୍ଗୀତ ଜଗତର ମୀରା । ହଠାତ୍ ବାଣୀ ଜୟରାମଙ୍କ ପରଲୋକ ଖବର ପ୍ରଂଶସକଙ୍କୁ ଶକ୍ତ ଧକ୍କା ଦେଇଛି । ନିରବୀ ଯାଇଛି ବାଣୀ ଜୟରାମଙ୍କ ସ୍ୱର, କିନ୍ତୁ ତାଙ୍କର ଗୀତ ପୀଢି ପୀଢି ପାଇଁ ଅମର ହୋଇ ରହିବ ।