ସସପେନ୍ସ ବଢ଼ାଇଲା ମହିଳା କ୍ରିକେଟରଙ୍କ ରହସ୍ୟଜନକ ମୃତ୍ୟୁ । ନିଖୋଜ ରାଜଶ୍ରୀ ସ୍ୱାଇଁଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ଚୂଡ଼ାନ୍ତ ଦଳରୁ ବାଦ ପରେ ମିଳି ନଥିଲା ପତ୍ତା । ଗୁରୁଡ଼ିଝାଟିଆ ନିକଟ ଜଙ୍ଗଲରୁ ଝୁଲନ୍ତା ମୃତଦେହ ଉଦ୍ଧାର

89

କନକ ବ୍ୟୁରୋ: ମହିଳା କ୍ରିକେଟର ରାଜଶ୍ରୀ ସ୍ୱାଇଁ । ଯାହାଙ୍କ ବୋଲିଂରେ ପ୍ରତିପକ୍ଷ ଟିମର ବ୍ୟାଟର ଚକମା ଖାଇ ଯାଉଥିଲେ, ତାଙ୍କର ଝଲନ୍ତା ମୃତଦେହ ସାରା ଓଡ଼ିଶାକୁ ଚମକାଇ ଦେଇଛି । ଆଠଗଡ଼ ଗୁରୁୁଡ଼ିଝାଟିଆ ନିକଟ ଜଙ୍ଗଲରୁ ଝୁଲନ୍ତା ଅବସ୍ଥାରେ ମିଳିଛି ତାଙ୍କର ମୃତଦେହ । ଦୁଇ ଦିନ ତଳେ ସେ ନିଖୋଜ ହୋଇ ଯାଇଥିବା ନେଇ କଟକ ମଙ୍ଗଳାବାଗ ଥାନାରେ ଏତଲା ଦେଇଥିଲେ କୋଚ ପୁଷ୍ପାଞ୍ଜଳି ବାନାର୍ଜି । ହେଲେ ଏବେ ଜଙ୍ଗଲ ଭିତରୁ ତାଙ୍କର ମୃତଦେହ ଜବତ କରିବା ପରେ ସାଇଣ୍ଟିଫିକ୍ ଟିମ୍ ନେଇ ତଦନ୍ତ ଆରମ୍ଭ କରିଛି ପୁଲିସ । ଘଟଣା ସ୍ଥଳରେ ସାଥୀ ଖେଳାଳି, କୋଚ୍, ରାଜଶ୍ରୀଙ୍କ ଭଉଣୀ ପହଁଚିବା ପରେ ଅତ୍ୟନ୍ତ ଶୋକାକୂଳ ପରିବେଶ ସୃଷ୍ଟି ହୋଇଥିଲା । ଏପଟେ ଝିଅକୁ ହରାଇ ସଂପୂର୍ଣ୍ଣ ଭାବେ ଭାଙ୍ଗି ପଡିଛନ୍ତି ରାଜଶ୍ରୀଙ୍କ ପରିବାର । ଆଣିଛନ୍ତି ହତ୍ୟା ଭଳି ସାଂଘାତିକ ଅଭିଯୋଗ ।

ଆଖିରେ ଆଖିଏ ସ୍ୱପ୍ନ ନେଇ କ୍ରିକେଟକୁ କ୍ୟାରିୟର କରି ଆଗକୁ ବଢ଼ିଥିଲେ ପୁରୀ ଜିଲ୍ଲା ରାମଚଣ୍ଡୀ ଥାନା ଅଞ୍ଚଳର ଗୁଣୁନିଧି ସ୍ୱାଇଁଙ୍କ ଝିଅ ରାଜଶ୍ରୀ । ୨୦୧୪ ମସିହାରୁ ଓଡ଼ିଶା ଜୁନିୟର ଟିମରୁ ଆରମ୍ଭ ହୋଇଥିଲା ତାଙ୍କର କ୍ରିକେଟ କ୍ୟାରିୟର । କେବଳ ବୋଲିଂ ନୁହେଁ, ଅଲରାଉଣ୍ଡର ଭାବେ ଥିଲା ତାଙ୍କର କ୍ରିକେଟ ଯାତ୍ରା । ଜୁନିୟର ଟିମରୁ ଓଡ଼ିଶା ମହିଳା ସିନିୟର ଟିମର ସଦସ୍ୟ ହୋଇଥିଲେ । କ୍ୟାରିୟରରେ ଉତଥାନ ପତନ ଦେଇ ଗତି କରୁଥିଲା ତାଙ୍କର କ୍ୟାରିୟର । ତାଙ୍କର ମୃତ୍ୟୁ ପରେ ଓସିଏ ଓ ଚୟନ ପ୍ରକ୍ରିିୟାକୁ କାଠଗଡ଼ାକୁ ଟାଣିଛନ୍ତି ପରିବାର ।

  • ୧୦ ଜାନୁଆରୀ ୨୦୨୩
  • ଚୂଡ଼ାନ୍ତ ଟିମରୁ ବାଦ ପଡିଥିଲେ ରାଜଶ୍ରୀ

ପୁଡୁଚେରୀରେ ହେବାକୁ ଥିବା ମହିଳା ଦିନିକିଆ କ୍ରିକେଟର ପ୍ରଥମ ତିନି ମ୍ୟାଚ୍ ପାଇଁ ଘୋଷଣା ହୋଇଥିବା ତାଲିକାରୁ ବାଦ୍ ପଡ଼ିଥିଲେ ରାଜଶ୍ରୀ । ଟିମ୍ରେ ସ୍ଥାନ ନ ପାଇବା ପରେ ସଂପୂର୍ଣ୍ଣ ଭାଙ୍ଗି ପଡିଥିଲେ ରାଜଶ୍ରୀ । ଭଉଣୀ ସହ କଥା ହେବା ବେଳେ ଭୀଷଣ କାନ୍ଦିଥିଲେ ରାଜଶ୍ରୀ ।

ବର୍ତ୍ତମାନ ତାଙ୍କ ସ୍କୁଟି ଓ ହେଲମେଟ୍ ଆଠଗଡ଼ କପୁରସିଂ ଫରେଷ୍ଟ ରୋଡରୁ ମିଳିଥିବା ବେଳେ ସମସ୍ତଙ୍କ ମନରେ ପାପ ଛୁଇଁଥିଲା । ଏବେ ମୃତଦେହ ମିଳିବା ପରେ ରାଜଶ୍ରୀଙ୍କୁ ହତ୍ୟା କରାଯାଇଥିବା ତାଙ୍କ ପରିବାର ଲୋକ ଅଭିଯୋଗ କରିଛନ୍ତି । କ୍ରୀଡ଼ାମନ୍ତ୍ରୀ ତୁଷାରକାନ୍ତି ବେହେରାଙ୍କୁ ଭେଟି ନିଖୋଜ ଝିଅକୁ ଖୋଜି ଆଣିବାକୁ ପରିବାର ଲୋକ ଭୁବନେଶ୍ୱର ଆସିଥିବା ବେଳେ ସେମାନଙ୍କୁ ମିଳିଥିଲା ଝିଅର ମୃତ୍ୟୁ ଖବର ।

ଅନ୍ୟପଟେ ରାଜଶ୍ରୀଙ୍କ ସମ୍ପର୍କୀୟ ଭାଇ ଅଭିଯୋଗ କରିଛନ୍ତି, ଓସିଏର ଖେଳାଳି ଚୟନରେ ପଇସା କାରବାର ହୋଇଛି । ଆଉ ଏଥିପାଇଁ ତାଙ୍କ ଭଉଣୀ ଚୟନରୁ ବାଦ୍ ପଡ଼ିଥିଲେ । ଏହାକୁ ନେଇ ଖୁବ୍ ଅସନ୍ତୁଷ୍ଟ ଥିଲେ ରାଜଶ୍ରୀ । ଏନେଇ ଓସିଏକୁ ପ୍ରଶ୍ନ ପଚାରିବେ ବୋଲି ରାଜଶ୍ରୀ କହିଥିଲେ ବୋଲି ତାଙ୍କ ଭାଇ ଅଭିଯୋଗ କରିଛନ୍ତି । ତେବେ ରାଜଶ୍ରୀଙ୍କ ରହସ୍ୟଜନକ ମୃତ୍ୟୁକୁ ନେଇ ଚାଞ୍ଚଲ୍ୟ ଖେଳିଯାଇଛି । କେଉଁ ପରିସ୍ଥିତିରେ ତାଙ୍କର ମୃତ୍ୟୁ ହେଲା, ଆତ୍ମହତ୍ୟା ନା ହତ୍ୟା ଏହାକୁ ନେଇ ସସପେନ୍ସ ବଢ଼ିବାରେ ଲାଗିଛି ।