ଦିବ୍ୟାଙ୍ଗ ବୋଲି ପର କରିଦେଲେ ପରିବାର । ସାହାଯ୍ୟ ପାଇଁ ଧାରଣାରେ ବସିଲେ ଉମାକାନ୍ତ ।

102

କନକ ବ୍ୟୁରୋ: ଦିବ୍ୟାଙ୍ଗ ବୋଲି ପର କରିଦେଲେ ପରିବାର । ଏକା ଏକା ଚଳିବାକୁ ସଂଘର୍ଷ କରୁଛନ୍ତି କେନ୍ଦୁଝର ଜିଲ୍ଲା ହାଟଡିହି ବ୍ଲକ ବେତିରା ଗାଁର ଭିନ୍ନକ୍ଷମ ଉମାକାନ୍ତ ପଣ୍ଡା । ପ୍ରଶାସନ ସହାୟତା ପାଇଁ ଅନେକ ଗୁହାରି କରୁଥିଲେ ମଧ୍ୟ କେହି ଶୁଣୁନାହାନ୍ତି । ନ୍ୟାୟ ପାଇଁ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ବାହାରେ ଧାରଣାରେ ବସିଛନ୍ତି ଉମାକାନ୍ତ ।

ସେ ଜନ୍ମରୁ ପୋଲିଓ ଆକ୍ରାନ୍ତ । ତଥାବି ହାର ନମାନି ନିଜ ସାମର୍ଥ୍ୟ ଅନୁସାରେ କାମ କରି ଘର ଚଳାଉଥିଲେ । ହେଲେ ୪ବର୍ଷ ହେବ ମେରୁଦଣ୍ଡରେ ସମସ୍ୟା ବାହାରିବାରୁ କାମଧନ୍ଦା କରିବାକୁ ଅସମର୍ଥ ହୋଇଗଲେ । ରୋଜଗାର ଥିବା ଯାଏଁ ସମସ୍ତେ ପଚାରୁଥିଲେ, ରୋଜଗାର କରିବା ଅସମର୍ଥ ହେବାରୁ ପରିବାର ପଚାରିଲେନି । ଏମିତିକି ସାତ ଜନ୍ମର ସାଥୀ ହୋଇଥିବା ସ୍ତ୍ରୀ ମଧ୍ୟ ପଚାରୁନି । ଦିବ୍ୟାଙ୍ଗ ହୋଇଥିବାରୁ ନିଜ ଭାଇ ଚଞ୍ଚକତା କରି ପୈତୃକ ସମ୍ପତିକୁ ମାଡ଼ି ବସିଛି ।

ବାହାଘରେ ପରେ ନିଜ ଶଶୁର ଘରେ ରହୁଥିଲେ । ହେଲେ ମେରୁଦଣ୍ଡ ସମସ୍ୟା ଯୋଗୁ କାମଧନ୍ଦା ନକରିପାରିବାରୁ ସେମାନେ ମଧ୍ୟ ଘରୁ ତଡ଼ି ଦେଇଛନ୍ତି । ଏବେ ରହିବାକୁ ଘର ନାହିଁ, କାହା ବାରଣ୍ଡା, ଫୁଟପାତରେ କଟୁଛି ଦିନ । ମାସିକ ୫ଶହ ଟଙ୍କା ଭତାରେ ଚଳୁଛନ୍ତି । ରହିବାକୁ ଘର ରୋଜଗାର ପନ୍ଥା ଯୋଗାଇବାକୁ ପ୍ରଶାସନକୁ ଅନେକ ଗୁହାରି କଲେ ମଧ୍ୟ କେହି ଶୁଣୁନଥିବା ଅଭିଯୋଗ ହୋଇଛି ।