୨୫ ବର୍ଷ ପରେ ପରିବର୍ତ୍ତନ ପାଇଁ ଭୋଟ୍ ଦେଇଛି ଓଡିଶା । ବିଜେଡି ଭିତରେ ବି ବିସ୍ଫୋଟ ହେବ : ମୋଦୀ

404

କନକ ବ୍ୟୁରୋ:  ଜୁନ୍ ୪ ପରେ ଓଡିଶା ବିକାଶର ଗୋଟିଏ ନୂଆ ଯାତ୍ରାରେ ବାହାରିବାକୁ ଯାଉଛି । ମୁଁ ଆପଣଙ୍କଠାରୁ ଆର୍ଶୀବାଦ ନେବାକୁ ଆସିଛି ଏବଂ ଜୁନ୍ ୧୦ର ନିମନ୍ତ୍ରଣ ଦେବାକୁ ଆସିଛି । ଜୁନ୍ ୧୦ରେ ବିଜେପିର ମୁଖ୍ୟମନ୍ତ୍ରୀ ଓଡିଶାରେ ଶପଥ ନେବେ । ଓଡିଆ ଲୋକ, ଓଡିଶାର ସରକାର ଓ ସଂସ୍କୃତି ଉପରେ କବଜା କରିବାକୁ ଚାହୁଁଥିବା କୋଟାରୀଠୁ ମୁକ୍ତି ଚାହୁଁଛନ୍ତି । ଓଡିଶା ଡବଲ ଇଞ୍ଜିନ ସରକାର ଚାହୁଁଛି । ତା ସହିତ ସାରା ଦେଶ ୩ୟ ଥର ପାଇଁ ଗୋଟିଏ ମଝୁବତ୍ ସରକାର ଉପରେ ମୋହର ମାରିସାରିଛି ବୋଲି କେନ୍ଦ୍ରାପଡାରେ ଜନସଭା କରି କହିଛନ୍ତି ପ୍ରଧାନମନ୍ତ୍ରୀ ମୋଦୀ ।

ମୋଦୀ କହିଛନ୍ତି, କଂଗ୍ରେସର ୬୦ ବର୍ଷ, ବିଜେପିର ୧୦ ବର୍ଷର କାମ ଲୋକ ଦେଖିଛନ୍ତି । ତାଙ୍କ ୬୦ ବର୍ଷରେ ବଡ ବଡ ଘୋଟାଲାର ଖବର ଆସୁଥିଲା, ଆମ ୧୦ ବର୍ଷରେ ବଡ ବଡ ନିର୍ମାଣ ଖବର ଆସୁଛି । ୧୦ ବର୍ଷରେ ଆମେ ନୂଆ ସଂସଦ ଭବନ ନିର୍ମାଣ କରି ଦେଶକୁ ଦେଲୁ, ନ୍ୟାସନାଲ ୱାର ମେମୋରିଆଲ୍ ନିର୍ମାଣ କଲୁ । ସ୍ୱାଧୀନତାର ୭୦ ବର୍ଷରେ ବି କଂଗ୍ରେସ ୱାର ମେମୋରିଆଲ୍ ତିଆରି କରିନଥିଲା । ହେଲେ ଆପଣଙ୍କ ସେବକ ଦିଲ୍ଲୀରେ ପହଞ୍ଚିବା ପରେ ଦେଶର ଯବାନଙ୍କ ପାଇଁ ୱାର୍ ମେମୋରିଆଲ୍ ତିଆରି କରିଲୁ । ଆଗାମୀ ୫ ବର୍ଷ ଦ୍ରୁତ ବିକାଶ, ଭବ୍ୟ ନିର୍ମାଣର ହେବ । ଜୁନ୍ ୪ ପରେ ୬ ମାସରେ ଦେଶ ବିକାଶର ନୂଆ ଗତି ଛୁଇଁବ । ରାଜନୀତିରେ ମଧ୍ୟ ନୂଆ ତୁଫାନ୍ ଆସିବ ।

ଦେଶରେ ଯେତେ ବି ପରିବାରବାଦୀ ପାର୍ଟି ଅଛନ୍ତି, ତାଙ୍କ କାର୍ଯ୍ୟକର୍ତ୍ତାଙ୍କ ଭିତରେ ନିରାଶା ଛାଇଯାଇଛି । ପରିବାରବାଦୀ ନେତାଙ୍କୁ ତାଙ୍କରି ଲୋକ ହିଁ ପ୍ରଶ୍ନ କରୁଛନ୍ତି । ଆଗାମୀ ୬ ମାସରେ ପରିବାରବାଦୀ ପାର୍ଟି ଭାଙ୍ଗିଯିବ । ଦେଶକୁ ଭାଙ୍ଗିବାକୁ ସ୍ୱପ୍ନ ଦେଖୁଥିବା ପାର୍ଟିକୁ ତାଙ୍କରି କାର୍ଯ୍ୟକର୍ତ୍ତା ଭାଙ୍ଗିଦେବେ । ଓଡିଶାରେ ରାଜନୀତିରେ ମଧ୍ୟ ନୂଆ ଭୁଚାଲ ଦେଖିବାକୁ ମିଳିବ । ଯେଉଁଭଳି ବିଜେଡି ଭିତରେ ରାଜନୀତି ହେଉଛି, ତାର ବିସ୍ଫୋଟ ହେବା ଆମେ ଦେଖିବୁ । ଓଡିଶା ପ୍ରତିଟି ଚରଣରେ ବିଜେପି ଏମପି, ବିଧାୟକଙ୍କ ପାଇଁ ବମ୍ଫର ଭୋଟିଂ କରିଛି ବୋଲି ମୋଦୀ କହିଛନ୍ତି ।

ଅନ୍ୟପଟେ ଓଡିଶା ୨୫ ବର୍ଷ ପରେ ପରିବର୍ତ୍ତନ ପାଇଁ ଭୋଟ୍ ଦେଇଛି । ଓଡିଶା ଦାଦନ ହଟେଇବାକୁ, ବିକାଶ କରିବାକୁ ଭୋଟ୍ ଦେଇଛି । ରତ୍ନ ଭଣ୍ଡାର ଆଶଙ୍କା ହଟେଇବାକୁ ଓଡିଶା ଭୋଟ୍ ଦେଇଛି । ବିଜେପି ଆସିବ ଏବଂ ଶ୍ରୀ ଜଗନ୍ନାଥ ମନ୍ଦିରର ଚାରି ଦ୍ୱାର ଭକ୍ତଙ୍କ ପାଇଁ ଖୋଲାଯିବ । ଏଥିପାଇଁ ଓଡିଶା ବିଜେପିକୁ ଭୋଟ୍ ଦେଉଛି । ଓଡିଶାର ସମଗ୍ର ବିକାଶ ମୋର ଗ୍ୟାରେଣ୍ଟି ବୋଲି କହିଛନ୍ତି ମୋଦୀ ।