ରାଜନୀତିରେ ବଢୁଛି ଦାଗୀ ନେତାଙ୍କ ପ୍ରାର୍ଦୁଭାବ । ଗତ ୪ ଟି ନିର୍ବାଚନରେ କେତେ ବଢିଛି ଦାଗୀ ପ୍ରାର୍ଥୀଙ୍କ ସଂଖ୍ୟା ?

65

କନକ ବ୍ୟୁରୋ : ୨୦୨୪ ଲୋକସଭା ନିର୍ବାଚନ ଶେଷ ହେବାକୁ ବସିଲାଣି । ଜୁନ ୧ ପହିଲାରେ ଶେଷ ପର୍ଯ୍ୟାୟ ଭୋଟ ପଡିବ ଓ ୪ ତାରିଖରେ ଗଣତି ହେବ । ଚଳିତ ନିର୍ବାଚନରେ ୫୪୩ ଲୋକସଭା ଆସନ ପାଇଁ ୮ ହଜାରରୁ ଅଧିକ ପ୍ରାର୍ଥୀ ମଇଦାନରେ ଅଛନ୍ତି । ଏହାରି ମଧ୍ୟରେ ଏକ ପ୍ରତିଷ୍ଠିତ ସର୍ଭେ ସଂସ୍ଥା ଗତ ନିର୍ବାଚନଗୁଡିକରେ ପ୍ରାର୍ଥୀଙ୍କ ପ୍ରୋଫାଇଲ ଉପରେ ବିଶ୍ଲେଷଣ କରି ଏକ ରିପୋର୍ଟ ପ୍ରଦାନ କରିଛି ।

ଏଡିଆରର ରିପୋର୍ଟ ମୁତାବକ ଚଳିତ ନିର୍ବାଚନରେ ପ୍ରାର୍ଥୀ ହୋଇଥିବା ପ୍ରତି ୩ ଜଣରୁ ଜଣେ ପ୍ରାର୍ଥୀ କୋଟିପତି ଓ ପ୍ରତି ୫ ଜଣରୁ ଜଣେ ପ୍ରାର୍ଥୀଙ୍କ ନାମରେ ଅପରାଧୀକ ରେକର୍ଡ ରହିଛି । ସବୁଠାରୁ ବଡ କଥା ଗତ ନିର୍ବାଚନଗୁଡିକ ତୁଳନାରେ ଚଳିତ ନିର୍ବାଚନରେ ମହିଳା ପ୍ରାର୍ଥୀଙ୍କ ସଂଖ୍ୟା ସାମାନ୍ୟ ବୃଦ୍ଧି ପାଇଛି । ୨୦୨୪ ନିର୍ବାଚନରେ ୮୦୦ ମହିଳା ପ୍ରାର୍ଥୀ ଅଛନ୍ତି । ଯାହାକି ମୋଟ ପ୍ରାର୍ଥୀଙ୍କ ସଂଖ୍ୟାର ୧୦ ପ୍ରତିଶତ । ଏହି ହାର ୨୦୧୯ ରେ ୯ ପ୍ରତିଶତ ଓ ୨୦୧୪ ରେ ୮ ପ୍ରତିଶତ ଓ ୨୦୦୯ ନିର୍ବାଚନରେ ୭ ପ୍ରତିଶତ ରହିଥିଲା ।

ସେପଟେ ଯଦି ଦାଗୀ ପ୍ରାର୍ଥୀଙ୍କ କଥା କୁହାଯିବ ତେବେ ୨୦୦୯ ନିର୍ବାଚନରେ ମୋଟ ପ୍ରାର୍ଥୀଙ୍କ ମଧ୍ୟରୁ ୧୫ ପ୍ରତିଶତ ପ୍ରାର୍ଥୀଙ୍କ ନାମରେ ଅପରାଧିକ ମାମଲା ଥିଲା । ହେଲେ ୨୦୨୪ ରେ ଏହି ହାର ବୃଦ୍ଧି ପାଇ ୨୦ ପ୍ରତିଶତରେ ପହଂଚିଛି । ୨୦୨୪ ନିର୍ବାଚନରେ ବିଜେପି ଓ କଂଗ୍ରେସ ତରଫରୁ ୪୦ ପ୍ରତିଶତ ଦାଗୀ ନେତାଙ୍କୁ ଟିକେଟ ଦିଆଯାଇଛି । ହେଲେ ୨୦୦୯ ମସିହାରେ ଉଭୟ ଦଳ ୨୭ ପ୍ରତିଶତ ଦାଗୀ ନେତାଙ୍କୁ ଟିକେଟ ଦେଇଥିଲେ ।

ଯଦି କୋଟିପତି ପ୍ରାର୍ଥୀଙ୍କ କଥା ଦେଖିବା ତେବେ ୨୦୦୯ ନିର୍ବାଚନରେ ୧୬ ପ୍ରତିଶତ ପ୍ରାର୍ଥୀ କୋଟିପତି ଥିଲେ । ୨୦୧୪ ରେ ଏହି ହାର ୨୭ ପ୍ରତିଶତରେ ପହଂଚିଥିଲା । ହେଲେ ୨୦୨୪ ନିର୍ବାଚନରେ ଏହି ହାର ୩୧ ପ୍ରତିଶତରେ ପହଂଚିଛି । ୨୦୨୪ ନିର୍ବାଚନରେ ସବୁଠାରୁ ଅଧିକ କୋଟିପତି ପ୍ରାର୍ଥୀ ବିଜେପି ଟିକେଟରୁ ନିର୍ବାଚନ ଲଢୁଛନ୍ତି । ୨୦୦୯ ମସିହାରେ ବିଜେପିରୁ ୪୨ ପ୍ରତିଶତ କୋଟିପତି ନେତା ଟିକେଟ ପାଇଥିବା ବେଳେ ୨୦୨୪ ମସିହାରେ ଏହି ହାର ୯୧.୦୬ ପ୍ରତିଶତରେ ପହଂଚିଛି । ସେହିଭଳି ୨୦୦୯ମସିହାରେ କଂଗ୍ରେସ ଟିକେଟରୁ ୬୯ ପ୍ରତିଶତ କୋଟିପତି ପ୍ରାର୍ଥୀ ଥିବା ବେଳେ ୨୦୨୪ ରେ ଏହି ହାର ୮୯ ପ୍ରତିଶତକୁ ବୃଦ୍ଧି ପାଇଛି ।