ପ୍ରଧାନମନ୍ତ୍ରୀଙ୍କୁ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀଙ୍କ ଚେତାବନୀ, ମୋ ସରକାର ଭାଙ୍ଗିବାକୁ ଚେଷ୍ଟାକଲେ ମୁଁ …..

213

କନକ ବ୍ୟୁରୋ : ପୁଣିଥରେ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେ,ଚନ୍ଦ୍ରଶେଖର ରାଓ ପ୍ରଧାନମନ୍ତ୍ରୀଙ୍କୁ ଚେତବାନୀ ଦେଇ ଚର୍ଚ୍ଚାକୁ ଆସିଛନ୍ତି । ସେ ପ୍ରଧାନମନ୍ତ୍ରୀଙ୍କ ଉର୍ଦ୍ଦେଶ୍ୟରେ କହିଛନ୍ତି କି ଆପଣ କେନ୍ଦ୍ରରେ କ୍ଷମତାକୁ ଆସିବା ପରେ ଲୋକମାନଙ୍କ ଦ୍ୱାରା ନିର୍ବାଚିତ କରାଯାଇଥିବା ୯ ଟି ରାଜ୍ୟର ସରକାର ଭାଙ୍ଗିସାରିଲେଣି । ଏବେ ଯଦି ଆପଣ ମୋ ସରକାର ଭାଙ୍ଗିବାକୁ ଚେଷ୍ଟା କରନ୍ତି ତେବେ ମୁଁ ଆପଣଙ୍କର କେନ୍ଦ୍ର ସରକାର ଭାଙ୍ଗିଦେବି ।

କହିରଖୁ କି ଆଜି ତେଲେଙ୍ଗାନାର ରାଜଧାନୀ ହାଇଦ୍ରାବାଦରେ ବିଜେପିର ରାଷ୍ଟ୍ରୀୟ କାର୍ଯ୍ୟକାରିଣୀ ବୈଠକ ଆରମ୍ଭ ହୋଇଛି । ଏଥିରେ ଦଳର ବରିଷ୍ଠ ନେତାଙ୍କ ସମେତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଯୋଗ ଦେଇଛନ୍ତି । ହେଲେ ଆଜି ପ୍ରଧାନମନ୍ତ୍ରୀ ହାଇଦ୍ରାବାଦ ଏୟାରପୋର୍ଟରେ ପହଂଚିବା ବେଳେ ମୁଖ୍ୟମନ୍ତ୍ରୀ ତାଙ୍କୁ ସ୍ୱାଗତ କରିବାକୁ ନଆସି ଜଣେ ମନ୍ତ୍ରୀଙ୍କୁ ପଠାଇ ଦେଇଥିଲେ । ସେପେଟେ ବିରୋଧୀ ଦଳରୁ ରାଷ୍ଟ୍ରପତି ପ୍ରାର୍ଥୀ ହୋଇଥିବା ଯଶୱନ୍ତ ସିହ୍ନାଙ୍କୁ ସ୍ୱାଗତ କରିବାକୁ ପହଂଚିଥିଲେ କେସିଆର । ଏହାକୁ ନେଇ ରାଜନୀତି ଏବେ ସରଗରମ ହୋଇଛି । ଏନେଇ ବିଜେପି କେସିଆରଙ୍କୁ କଟାକ୍ଷ କରିଥିବା ବେଳେ କେସିଆର ପ୍ରଧାନମନ୍ତ୍ରୀଙ୍କୁ ବିଭିନ୍ନ ପ୍ରସଙ୍ଗରେ ଘେରିଛନ୍ତି ।

କେସିଆର ପ୍ରଧାନମନ୍ତ୍ରୀଙ୍କ ପ୍ରଶ୍ନ କରିବା ଛଳରେ ପଚାରିଛନ୍ତି କି ୮ ବର୍ଷ ମଧ୍ୟରେ ଆପଣ ଲୋକଙ୍କୁ ଦେଇଥିବା ପ୍ରତିଶ୍ରୂୁତି ମଧ୍ୟରୁ କେଉଟି ପୂରଣ କରିଛନ୍ତି । କୃଷକଙ୍କ ଆୟ ଦୁଇଗୁଣା କରିବାକୁ ପ୍ରତିଶ୍ରୁତି ଦେଇ ସରକାର ଗଠନ କରିଥିଲ ହେଲେ ୮ ବର୍ଷ ପରେ ଆୟ ସ୍ଥିର ଥିବା ବେଳେ କୃଷକଙ୍କ ଖର୍ଚ୍ଚ ୨ ଗୁଣା ବୃଦ୍ଧି ପାଇଛି  ବୋଲି ସେ କହିଛନ୍ତି ।

ଅନ୍ୟପଟେ ବିଭିନ୍ନ ରାଜ୍ୟରେ ସରକାର ଭାଙ୍ଗିବା ପ୍ରସଙ୍ଗରେ କେସିଆର କହିଛନ୍ତି କି, ଲୋକଙ୍କ ସ୍ୱାର୍ଥ ପାଇଁ ନୁହେଁ ବରଂ ଯେଉଁ ରାଜ୍ୟରେ ବିରୋଧୀଙ୍କ ସରକାର ରହିଛି ତାହାକୁ କିଭଳି ଭାଙ୍ଗି ବିଜେପି ସରକାର ଗଠନ କରିବ ତାହା ନେଇ ପ୍ରଧାନମନ୍ତ୍ରୀ ସର୍ବଦା ବ୍ୟସ୍ତ ରହୁଛନ୍ତି । ସେପଟେ ଆଦାନୀଙ୍କୁ ଶ୍ରୀଲଙ୍କାରେ ବ୍ୟବସାୟ କରିବାର ସୁଯୋଗ ଦେବା ନେଇ ପ୍ରଧାନମନ୍ତ୍ରୀ ଶ୍ରୀଲଙ୍କା ରାଷ୍ଟ୍ରପତିଙ୍କ ଉପରେ ଚାପ ପକାଉଥିବା ଖବରକୁ ନେଇ କେସିଆର କହିଛନ୍ତି କି ପ୍ରଧାନମନ୍ତ୍ରୀ ଭାବେ କମ ବରଂ ପୁଞ୍ଜିପତିଙ୍କ ସେଲସମ୍ୟାନ ଭାବେ ନରେନ୍ଦ୍ର ମୋଦୀ କାମ କରୁଛନ୍ତି ।