ସିନିୟରଙ୍କ ରାଗିଂ ଯୋଗୁଁ ଜୀବନ ହାରିଲେ ବିଜେବି କଲେଜ ପ୍ଲସ ଥ୍ରୀ ଛାତ୍ରୀ । ସୁଇସାଇଡ୍ ନୋଟରେ ଲେଖିଲେ ନିର୍ଯ୍ୟାତନାର ପୂରା କାହାଣୀ ।

427

କନକ ବ୍ୟୁରୋ: ରାଗିଙ୍ଗ ନେଲା ଛାତ୍ରୀଙ୍କ ଜୀବନ । ସିନିୟରଙ୍କ ରାଗିଂ ଅସହ୍ୟ ହେବାରୁ ବିଜେବି କଲେଜର ପ୍ଲସ ଥ୍ରୀ ପ୍ରଥମ ବର୍ଷର ଛାତ୍ରୀ ରୁଚିକା ମହାନ୍ତି ଆତ୍ମହତ୍ୟା କରିଛନ୍ତି । କଲେଜର ଲେଡିଜ ହଷ୍ଟେଲରୁ ତାଙ୍କ ମୃତଦେହ ଉଦ୍ଧାର ହୋଇଛି  । ୩ ଜଣ ସିନିୟର ଛାତ୍ରୀ ରୁଚିକାଙ୍କୁ ମାନସିକ ନିର୍ଯ୍ୟାତନା ଦେବା ଯୋଗୁ ସେ ଆତ୍ମହତ୍ୟା କରିଛନ୍ତି ବୋଲି ମୃତ୍ୟୁ ପୂର୍ବରୁ ଏକ ଚିଠି ଲେଖି ଅଭିଯୋଗ କରିଛନ୍ତି ରୁଚିକା । ସୁଇସାଇଡ ନୋଟକୁ ଜବତ କରି ଅଧିକ ତଦନ୍ତ କରୁଛି ପୋଲିସ । ତେବେ କାହିଁକି ଆତ୍ମହତ୍ୟା କଲେ ରୁଚିକା? ଚିଠିରେ ସେ କ’ଣ ଲେଖିଛନ୍ତି…

ମୁଁ ଆତ୍ମହତ୍ୟା କଲି କାହିଁକି?

ମୁଁ ଜୀବନରେ ବହୁତ ଥକି ଗଲିଣି । ମୋ ବାପା, ବୋଉ ମୋତେ ଏତେ କଷ୍ଟ କରି ପାଠ ପଢାଇଲେ । ଆମ ଘରର ଲୋକଙ୍କ ମୋ ପାଠପଢା ପାଇଁ ଚଳିବା କଷ୍ଟ । ହେଲେ ହଷ୍ଟେଲରେ ମୋ ସିନିୟର ମୋତେ ବହୁତ ଟର୍ଚ୍ଚର କଲେ । ୩ ଜଣ ସିନିୟର ମୋତେ ମେଣ୍ଟାଲି  କଷ୍ଟ ଦେଲେ । ଆଉ ସହି ପାରିଲିନି କି ଘରେ କହି ପାରିଲିନି । ମୋତେ ମୋ ବାପା, ବୋଉ, ଅଜା, ଆଇ, ମାମୁଁ, ମାଇଁ ମଉସା, ମାଉସୀ ସମସ୍ତେ ବହୁତ ଭଲ ପାଆନ୍ତି । ବହୁତ ଆଶା କରିଥିଲେ କି ମୁଁ କଲେକ୍ଟର ହେବି । ହେଲେ ମୋତେ ସିନିୟର ମେଣ୍ଟାଲି ଡିପ୍ରେସ କଲେ । ବାପା, ମା ମୋତେ ବହୁତ ପଇସା ଖର୍ଚ୍ଚ କରି ମୋତେ ପାଠ ପଢିବାକୁ ଛାଡିଲେ । ହେଲେ ତାଙ୍କ ପଇସାର କିଛି ମୂଲ୍ୟ ନାହିଁ କାରଣ ସିନିୟର ମୋତେ ବହୁତ ଡିପ୍ରେସ କଲେ ।

ସମସ୍ତେ ଜାଣିଛନ୍ତି ଆମ କଲେଜରେ ରାଗିଙ୍ଗ ହୁଏ । କିନ୍ତୁ ସିନିୟର ହଷ୍ଟେଲରେ ମୋତେ ବଞ୍ଚେଇ ଦେଲେନି । ମୋ ବାପା ବୋଉଙ୍କ ଲୁହରେ ସେମାନେ ଭାସିଯିବେ । ଜମା ଆଗକୁ ବଢି ପାରିବେନି । ମୁଁ ଏ କଥା କାହାକୁ କହି ପାରିଲିନି । କେବଳ ୩ ଜଣ ସିନିୟରଙ୍କ ପାଇଁ ମୁଁ ଜୀବନ ଦେଉଛି । ସେମାନେ କେବଳ ମୋ ଉପରେ ରାଗ ରଖି ମୋତେ ଡିପ୍ରେସ କଲେ । ମୋତେ ପାଠ ବି ପଢେଇ ଦେଲେନି । ମୋ ରୁମମେଟଙ୍କୁ ବି ଏକଥା ମୁଁ କହିପାରିଲିନି । ଶେଷରେ ଜୀବନ ହାରୁଛି ।

ଏଭଳି କିଛି ଲେଖା ଲେଖି ଛାତ୍ରୀ ଜଣକ ଆତ୍ମହତ୍ୟା କରିଛନ୍ତି । ସେପଟେ କଲେଜ ବିରୋଧରେ ଅଭିଯୋଗ ଆଣିଛନ୍ତି ମୃତ ରୁଚିକାଙ୍କ ବାପା  ।