ଆଡପ ଅବଢ଼ା ବାହାରିବା ଆଗରୁ ଅଘଟଣ । ଗୁଣ୍ଡିଚା ମନ୍ଦିର ରୋଷଘର ଚୂଲା ଭାଙ୍ଗିଦେଲେ ଦୁର୍ବୃତ୍ତ । କିଏ କଲା ଏ ଦୁଃସାହାସ ?

319

କନକ ବ୍ୟୁରୋ: ଶ୍ରୀମନ୍ଦିର ରୋଷଶାଳରେ ଚୁଲି ଭାଙ୍ଗିବା ଘଟଣା ଭକ୍ତଙ୍କ ମନର ନଲିଭୁଣୁ, ଗୁଣ୍ଡିଚା ମନ୍ଦିର ରୋଷଶାଳରେ ଚୁଲି ଭାଙ୍ଗିବା ଖବର ସାମ୍ନାକୁ ଆସିଛି । ଶରଧାବାଲିରୁ ତିନି ଠାକୁର ଜନ୍ମବେଦୀକୁ ଯିବା ଆଗରୁ ଶ୍ରୀଗୁଣ୍ଡିଚା ମନ୍ଦିରରେ ରୋଷଘର ଚୂଲା ଭଙ୍ଗା ଘଟଣା ଭକ୍ତଙ୍କ ମନରେ ଆଘାତ  ଦେଇଛି ।

ଆଡପ ଅବଢ଼ା ବାହାରିବା ଆଗରୁ ଅଘଟଣ । ଗୁଣ୍ଡିଚା ମନ୍ଦିର ରୋଷଘର ଚୁଲା ଭାଙ୍ଗିଦେଲେ ଦୁର୍ବୃତ୍ତ । ଶରଧାବାଲିରୁ ତିନି ଠାକୁର ଆଡପମଣ୍ଡପ ବିଜେ ପୂର୍ବରୁ ଗୁଣ୍ଡିଚା ମନ୍ଦିର ରୋଷଘର ଚୂଲା ଭାଙ୍ଗିଦେଇଛନ୍ତି ଦୁର୍ବୃତ୍ତ । ରୋଷଘରର ୨୨ଟି ଚୁଲା ଭଙ୍ଗା ଯାଇଥିବା ଅଭିଯୋଗ ହୋଇଛି । ଗୁଣ୍ଡିଚା ମନ୍ଦିର ରୋଷଘରେ ମୋଟ ୧୪୮ଟି ଚୁଲା ଥାଏ । ୮ଟି ଚୁଲାରେ ପ୍ରସ୍ତୁତ ହୁଏ କୋଠଭୋଗ ଓ ୧୪୦ ଚୁଲାରେ ପ୍ରସ୍ତୁତ ହୋଇଥାଏ ବରାଦିଆ ଅବଢ଼ା । ତେବେ କୋଠଭୋଗ ଚୁଲି ଭାଙ୍ଗିନଥିବାରୁ ମହାପ୍ରଭୁଙ୍କ ଆଡପ ଅବଢ଼ା ବାହାରିବାରେ ଅସୁବିଧା ହେବନାହିଁ । ଶୁକ୍ରବାର ରାତିରେ କେହି  ରୋଷଶାଳରେ ପଶି ଚୂଲା ଭାଙ୍ଗି ଦେଇଥିବା ସନ୍ଦେହ କରାଯାଉଛି । ଅନ୍ୟପଟେ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଯୁଦ୍ଧକାଳୀନ ଭିତିରେ ଚୂଲା ମରାମତି କରାଯାଉଛି । ଉପଜିଲ୍ଲାପାଳ ଘଟଣାର ତଦନ୍ତ କରୁଛନ୍ତି ।

ପ୍ରଶ୍ନ ଉଠୁଛି ରଥଯାତ୍ରା ବେଳେ ସୁରକ୍ଷା ବଳୟରେ ଥିବା ଗୁଣ୍ଡିଚା ମନ୍ଦିରର ରୋଷଘର ଚୁଲିକୁ କିଏ ଭାଙ୍ଗିଲା? କାହିଁକି ଭାଙ୍ଗିଲା? ଏ ଦୁଃସାହାସ କିଏ କଲା? ଏଭଳି ପ୍ରଶ୍ନ ସମସ୍ତଙ୍କ ମନରେ ଆସୁଛି । ରୋଷଘରକୁ କେବଳ ସେବାତଙ୍କ ପ୍ରବେଶ ଅନୁମତି ଥିବାରୁ ଚୂଲା ଭଙ୍ଗା ଘଟଣା ପଛରେ ସେବାୟତଙ୍କ ହାତ ଥାଇପାରେ ବୋଲି ସନ୍ଦେହ ଉପୁଜିଛି । ଦୋଷୀଙ୍କ ବିରୋଧରେ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି ହେଉଛି ।

ଗତ ଏପ୍ରିଲ ୨ ତାରିଖରେ ରାତିରେ ଶ୍ରୀମନ୍ଦିର ରୋଷଘରେ ମଧ୍ୟ ୪୩ଟି ଚୁଲିକୁ କେହି ଭାଙ୍ଗି ଦେଇଥିବା ଖବର ହଇଚଇ ଖେଳାଇ ଦେଇଥିଲା । ପ୍ରଥମେ ସେବାୟତଙ୍କ ବିବାଦକୁ ନେଇ ଚୁଲି ଭଙ୍ଗା ହୋଇଥିବା ସନ୍ଦେହ କରାଯାଉଥିଲା । କିନ୍ତୁ ସିସିଟିଭିକୁ ଆଧାର କରି ଖୋର୍ଦ୍ଧା ଜିଲ୍ଲା ବେଗୁନିଆ ଅଂଚଳର ଜଗନ ମହାପାତ୍ରକୁ ଗିରଫ କରିଥିଲା ପୁଲିସ । ଏହାକୁ ନେଇ ଶ୍ରୀମନ୍ଦିରର ସୁରକ୍ଷା ବ୍ୟବସ୍ଥାକୁ ବି ନେଇ ପ୍ରଶ୍ନ ଉଠିଥିଲା । ଏବେ ରଥଯାତ୍ରା ସମୟରେ ପୁଣି ସମାନ ଘଟଣା ଭକ୍ତଙ୍କ ଭାବାବେଗକୁ ଆଘାତ ପହଂଚାଇଛି ।