୨୦୨୪ ପୂର୍ବରୁ କେସିଆର ନେଲେ ବଡ ନିଷ୍ପତ୍ତି । ଖୁବଶୀଘ୍ର ଲଞ୍ଚ୍ କରିବେ ଏକ ଜାତୀୟ ରାଜନୈତିକ ଦଳ ।

126

କନକ ବ୍ୟୁରୋ: କେସିଆର ଲଞ୍ଚ କରିବେ ନ୍ୟାସନାଲ ପାର୍ଟି । ତେଲେଙ୍ଗାନାର ମୁଖ୍ୟମନ୍ତ୍ରୀ ତଥା ଟିଆରଏସର ନେତା କେ ଚନ୍ଦ୍ରଶେଖର ରାଓ ଖୁବଶୀଘ୍ର ଏକ ଜାତୀୟ ରାଜନୈତିକ ଦଳ ଗଠନ କରିବେ ବୋଲି ଘୋଷଣା କରିଛନ୍ତି । ତେବେ ବର୍ତ୍ତମାନ ପାର୍ଟିର ନୀତି ନିୟମ ବନେଇବା କାମ ଜାରି ରହିଛି ବୋଲି ସୂଚନା ମିଳିଛି ।

କେସିଆରଙ୍କ କାର୍ଯ୍ୟାଳୟ ତରଫରୁ ମିଳିଥିବା ସୂଚନା ମୁତାବକ, ବିଭିନ୍ନ କ୍ଷେତ୍ରର ବୁଦ୍ଧିଜୀବୀ, ଅର୍ଥଶାସ୍ତ୍ରୀ ତଥା ବିଶେଷଜ୍ଞଙ୍କ ସହ ଲମ୍ବା ଚର୍ଚ୍ଚା ହୋଇଛି । ତେଲେଙ୍ଗାନା ଆନ୍ଦୋଳନବେଳେ ଯେଭଳି କରାଯାଇଥିଲା, ବର୍ତ୍ତମାନ ନୂଆ ଜାତୀୟ ରାଜନୈତିକ ଦଳ ଗଠନ ପାଇଁ ମଧ୍ୟ ସମସ୍ତଙ୍କ ସହ ବିଚାର ବିମର୍ଶ ଚାଲିଛି । ଖୁବଶୀଘ୍ର ଏକ ରାଷ୍ଟ୍ରୀୟ ରାଜନୈତିକ ପାର୍ଟିର ଗଠନ ହେବ ବୋଲି ସେ ସୂଚନା ଦେଇଛନ୍ତି ।

ତେବେ ରବିବାର ଦ୍ୱିପହରରେ କର୍ଣ୍ଣାଟକର ପୂର୍ବତନ ମୁଖ୍ୟମନ୍ତ୍ରୀ ଏଚ ଡି କୁମାର ସ୍ୱାମୀ ହାଇଦ୍ରାବାଦରେ କେସିଆରଙ୍କୁ ଭେଟିଥିଲେ । ମିଳିଥିବା ସୂଚନା ମୁତାବକ ଦୁଇ ନେତାଙ୍କ ଭିତରେ ଜାତୀୟ ରାଜନୀତିକୁ ନେଇ ଚର୍ଚ୍ଚା ହେଇଛି । ଖାଲି ସେତିକି ନୁହେଁ, ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାରଙ୍କ ସହିତ ମଧ୍ୟ କେସିଆର୍ ଭେଟଘାଟ୍ କରିଛନ୍ତି । ତେଣୁ ଆଗାମୀ ଦିନରେ କେସିଆର୍ ଦିଲ୍ଲୀ ରାଜନୀତିରେ ଏକ ବଡ ଭୂମିକା ଗ୍ରହଣ କରିପାରନ୍ତି ।

୨୦୨୪ ଲୋକସଭା ପାଇଁ ଏବେଠୁ ରାଜନୈତିକ ଅଙ୍କକଷା ଆରମ୍ଭ ହେଇସାରିଲାଣି । ଗୋଟିଏ ପଟେ ବିଜେପି ଥିବାବେଳେ, ଅନ୍ୟପଟେ ବିରୋଧୀମାନେ ଏକତ୍ରିତ ହେବା କଥା କହୁଛନ୍ତି । ହେଲେ କେସିଆରଙ୍କ ଏହି ନୂଆ ଜାତୀୟ ଦଳ ଗଠ. ବିରୋଧୀଙ୍କୁ ଏକଜୁଟ୍ କରୁଛି ନା ବିରୋଧୀଙ୍କ ଭିତରେ ଫାଟ ସୃଷ୍ଟି କରୁଛି ତାହା ଦେଖିବା ବାକି ରହିଲା ।