ଏସିଆ କପ ଜିତିଲା ଶ୍ରୀଲଙ୍କା: ଏହି କ୍ରିକେଟର କହିଲେ, କପ ଜିତିବା ପାଇଁ ଦରକାର ନାହିଁ ବିଶ୍ୱସ୍ତରୀୟ କ୍ରିକେଟର, ଆମେ ୧୧ ଭାଇ ଯଥେଷ୍ଟ

216

କନକ ବ୍ୟୁରୋ: ପାକିସ୍ତାନକୁ ହରାଇ ଏସିଆ କପ ହାତେଇଛି ଶ୍ରୀଲଙ୍କା ଦଳ । ଯେଉଁ ଦଳ କିଛି ଦିନ ତଳେ ଗୋଟେ ଦୁର୍ବଳ ଦଳ ଭାବେ ପରିଚୟ ପାଇଥିଲା । ସେହି ଦଳ ଆଜି ଭାରତ, ପାକିସ୍ତାନ ଭଳି ଟିମକୁ ମାତ ଦେଇ ଚାମ୍ପିୟନ ହୋଇଛି । ଦେଶର ବିଭିନ୍ନ ସମସ୍ୟା ମଧ୍ୟରେ ଦେଶକୁ ଏକ ବଡ ବିଜୟ ଭେଟି ଦେଇଛି ଶ୍ରୀଲଙ୍କା ଟିମ । ତେବେ ଏହି ବିଜୟ ପରେ ଶ୍ରୀଲଙ୍କା ଟିମ ପୁଣି ସେହି ପୁରୁଣା ଟିମ ହୋଇ ଫେରିଛି ବୋଲି କ୍ରିକେଟ ଫ୍ୟାନମାନେ ମତ ଦେଉଛନ୍ତି ।

ଏହି ବିଜୟ ପରେ ଶ୍ରୀଲଙ୍କା କ୍ରିକେଟର ମହେଶ ତିକ୍ଷସାନାଙ୍କ ଏକ ଟ୍ୱିଟ ବଡ ବଡ ଟିମଙ୍କ ପାଟି ଚୁପ କରିଦେଇଛି । ଏକ ଟ୍ୱିଟ କରି ମହେଶ କହିଛନ୍ତି, ଯେବେ ଯାଏଁ ଆମେ ୧୧ ଭାଇ ଅଛୁ, ଆମକୁ କୌଣସି ବିଶ୍ୱସ୍ତରୀୟ କ୍ରିକେଟଙ୍କ ଆବଶ୍ୟକତା ନାହିଁ । ମହେଶ ତିକ୍ଷସାନାଙ୍କ ଟ୍ୱିଟ ଅନେକଙ୍କ ହୃଦୟ ଜିତିଛି । ଶ୍ରୀଲଙ୍କାକୁ ଷଷ୍ଠ ଥର ପାଇଁ ଚାମ୍ପିୟନ କରିବାରେ ମହେଶଙ୍କ ବେଶ ଅବଦାନ ରହିଥିଲା ।

୨୦୨୨ ଏସିଆକପ ଶ୍ରୀଲଙ୍କାରେ ଅନୁଷ୍ଠିତ ହୋଇଥାନ୍ତା । ହେଲେ ଦେଶରେ ସୃଷ୍ଟି ହୋଇଥିବା ସମସ୍ୟା ଯୋଗୁଁ ଏହା ସମ୍ଭବ ହୋଇପାରିନଥିଲା । ତେଣୁ ଏହାକୁ ଦୁବାଇରେ ଆୟୋଜନ କରିବାକୁ ନିଷ୍ପତ୍ତି ନିଆଯାଇଥିଲା । ଆଉ ଏହି ଟୁର୍ଣ୍ଣାମେଣ୍ଟ ଆରମ୍ଭ ହେବା ପୂର୍ବରୁ କେହି କେବେ ଭାବି ନଥିଲେ ଶ୍ରୀଲଙ୍କା ଚାମ୍ପିୟନ ହେବ । ମ୍ୟାଚ ପୂର୍ବରୁ ଟିଭିରେ ହୋଇଥିବା ଫ୍ୟାନ ଭୋଟିଂରେ ଶ୍ରୀଲଙ୍କାକୁ କେହି ବି ଭୋଟ ଦେଇନଥିଲେ । ଏମିତିକି ଆଫଗାନିସ୍ତାନଠାରୁ ବି ଶ୍ରୀଲଙ୍କାକୁ ଦୁର୍ବଳ ଦଳ ବୋଲି ଲୋକେ ଭାବିଥିଲେ । ହେଲେ ଶ୍ରୀଲଙ୍କା ସମସ୍ତଙ୍କୁ ଶିଖାଇଲା କେମିତି ଗୋଟିଏ ଅପ୍ରିତିକର ପରିସ୍ଥିତିରେ ସମୟ ସହ ଲଢାଯାଏ । ଯଦି ମନରେ ଜୋସ ଥିବ ତେବେ ତୁମକୁ ଜିତିବାରୁ କେହି ବି ରୋକିପାରିବେନି ।

ସେପ୍ଟେମ୍ବର ୧୧ରେ ହୋଇଥିବା ଏସିଆ କପ ଫାଇନାଲ ମ୍ୟାଚରେ ଶ୍ରୀଲଙ୍କା ସମସ୍ତଙ୍କୁ ଚକିତ କରି ଚାମ୍ପିୟନ ହୋଇଥିଲା । ଏହି ମ୍ୟାଚରେ ପାକିସ୍ତାନ ଟସ ଜିତି ବୋଲିଂ ନିଷ୍ପତ୍ତି ନେଇଥିଲା । ଆଉ ବ୍ୟାଟିଂ କରିଥିଲା ଶ୍ରୀଲଙ୍କା । ଆରମ୍ଭରୁ ଶ୍ରୀଲଙ୍କା ଦଳ ଭଲ ପ୍ରଦର୍ଶନ କରିପାରିନଥିଲା । ୫୮ ରନରେ ଦଳ ୫ ୱିକେଟ ହରାଇ ସାରିଥିଲା । ଏହାପରେ ରାଜପକ୍ଷ ୭୧ ଓ ହସରଙ୍ଗାଙ୍କ ୩୬ ରନ ବଳରେ ଶ୍ରୀଲଙ୍କା ୧୭୦ ରନ କରିଥିଲା । ୧୭୧ ରନର ବିଜୟ ଲକ୍ଷ୍ୟର ପିଛା କରି ପାକିସ୍ତାନ ପୂରା ଟିମ ୧୪୭ ରନରେ ଅଲଆଉଟ ହୋଇଯାଇଥିଲା ।

ଏସିଆ କପ ଆରମ୍ଭର ପ୍ରଥମ ମ୍ୟାଚରେ ଶ୍ରୀଲଙ୍କା ଆଫଗାନିସ୍ତାନଠାରୁ ପରାସ୍ତ ହୋଇଥିଲା । ଏହାପରେ ଦଳ ଗୋଟିଏ ବି ମ୍ୟାଚରେ ପରାଜିତ ହୋଇନି ବରଂ ବଡ ବଡ ଟିମକୁ ପାଣି ପିଆଇଦେଇଛି । ଏହାସହ ଶ୍ରୀଲଙ୍କା ଷଷ୍ଠ ଥର ପାଇଁ ଏହି ଟାଇଟଲ ହାତେଇଛି । ସେହିପରି ଭାରତ ୭ ଥର ଏସିଆ କପ ବିଜୟୀ ହୋଇ ପ୍ରଥମ ସ୍ଥାନରେ ରହିଛି ।