ହେଟସ୍ପିଚ୍ ମାମଲାରେ ରାଜ୍ୟ ସରକାରଙ୍କୁ ସୁପ୍ରିମକୋର୍ଟଙ୍କ ଆଦେଶ, ‘କେହି ଅଭିଯୋଗ ନକଲେ ବି ରାଜ୍ୟ ସରକାର ନିଜ ତରଫରୁ କରନ୍ତୁ ଅଭିଯୋଗ’

105

କନକ ବ୍ୟୁରୋ : ହେଟ୍ ସ୍ପିଚ ମାମଲାରେ ସୁପ୍ରିମକୋର୍ଟ ଶୁକ୍ରବାର ଦିନ ଶୁଣାଣି କରିଛନ୍ତି । ଏହି କ୍ରମରେ କୋର୍ଟ ସମସ୍ତ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳକୁ କଡା ଆଦେଶ ଦେଇଛନ୍ତି । କୋର୍ଟ କହିଛନ୍ତି କି, ଯଦି କୌଣସି ବ୍ୟକ୍ତି ଏହି ମାମଲାରେ ଅଭିଯୋଗ କରୁନାହାଁନ୍ତି ତେବେ ନିଜେ ରାଜ୍ୟ ସରକାରମାନେ ଏହା ଉପରେ ଯାଂଚ କରି ଅଭିଯୋଗ କରନ୍ତୁ । କୋର୍ଟ କହିଛନ୍ତି କି ଭାରତରେ ଧର୍ମ ନିରପେକ୍ଷତାକୁ ବଜାୟ ରଖିବା ପାଇଁ ଧର୍ମ ବାବଦରେ ଚିନ୍ତା ନକରି ଭୁଲ କରୁଥିବା ଲୋକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେବା ନିତ୍ୟାନ୍ତ ଆବଶ୍ୟକ ।

ଏହା ପୂର୍ବରୁ ସୁପ୍ରିମକୋର୍ଟ କେବଳ ଉତ୍ତର ପ୍ରଦେଶ, ଦିଲ୍ଲୀ ଓ ଉତ୍ତରାଖଣ୍ଡ ସରକାରଙ୍କୁ ସଂପୃକ୍ତ ମାମଲାରେ ସରକାରଙ୍କ ତରଫରୁ ଅଭିଯୋଗ କରିବାକୁ ଆଦେଶ ଦେଇଥିଲେ । ଶୁଣାଣି ବେଳେ ଜଷ୍ଟିସ କେ.ଏମ୍ ଜୋସେଫ କହିଛନ୍ତି କି ହେଟ୍ ସ୍ପିଚ୍ ରାଷ୍ଟ୍ରର ଏକତା ଉପରେ ପ୍ରଭାବ ପକାଉଥିବା ଏକ ଗମ୍ଭୀର ଅପରାଧ । ଏହା ଗଣତନ୍ତ୍ରର ହୃଦୟ ଓ ଲୋକଙ୍କ ଗାରିମାକୁ ପ୍ରଭାବିତ କରିବ ବୋଲି ସେ କହିଛନ୍ତି ।

ହେଟ୍ ସ୍ପିଚ୍ ମାମଲାରେ ଏହା ପୂର୍ବ ଶୁଣାଣି ବେଳେ କୋର୍ଟ କହିଥିଲେ କି ହେଟ୍ ସ୍ପିଚକୁ ନେଇ ସାଧାରଣ ଲୋକଙ୍କ ଭିତରେ ସହମତି ପ୍ରକାଶ ପାଉଛି, ଭାରତ ଭଳି ଧର୍ମନିରପେକ୍ଷ ରାଷ୍ଟ୍ରରେ ଧର୍ମ ଆଧାରରେ ଘୃଣା ସୃଷ୍ଟିକାରୀ ଭାଷଣ ବା ବୟାନ କୌଣସି ଅପରାଧ ଠାରୁ କମ୍ ନୁହେଁ ।