ବାଘ ଆତଙ୍କରେ ଥରହର ସୁନାବେଡ଼ା ଅଭୟାରଣ୍ୟ : ନଜର ରଖିବାକୁ ଲାଗିଲା ଆଉ ତିନୋଟି କ୍ୟାମେରା; ଏଯାଏଁ ଉଠିପାରୁନି ବାଘର ଫଟୋ

107

କନକ ବ୍ୟୁରୋ : ବାଘ ଆତଙ୍କରେ ଥରହର ନୂଆପଡ଼ା ଜିଲ୍ଲା ସୁନାବେଡ଼ା ଅଭୟାରଣ୍ୟ ଅଂଚଳବାସୀ । ବାରମ୍ବାର ବାଘ ଆତଙ୍କର ଖବର ଆସୁଥିବାବେଳେ ସ୍ଥାନୀୟ ଲୋକେ ଏନେଇ ଭୟଭୀତ ଅଛନ୍ତି । ଫଳରେ ଦିନ ସମୟରେ ମଧ୍ୟ ଲୋକଙ୍କ ତାଟି କବାଟ ବନ୍ଦ ରହୁଛି । ତେବେ ବାଘର ଟ୍ରାକିଂ ପାଇଁ ପୂର୍ବରୁ ୧୦ ଟି କ୍ୟାମେରା ଲାଗିଥିବାବେଳେ ଏବେ ଆଉ ତିନୋଟି କ୍ୟାମେରା ଲାଗିଛି । ହେଲେ ଏଯାଏଁ ବନ ବିଭାଗ ବାଘର ଫଟୋ ପାଇନଥିବା କହିଛି ।

ଅଭୟାରଣ୍ୟର ଭିନ୍ନ ଭିନ୍ନ ଅଞ୍ଚଳରେ ଗୋଟିଏ ବାଘ ଏବଂ ବାଘୁଣୀ ଲଗାତର ଭାବେ ଜନବସତି ଉପରେ ଆକ୍ରମଣ କରୁଥିବା ଜଣାପଡ଼ିଛି । ଗତ ୧୯ ତାରିଖ ରାତିରେ ଅଭୟାରଣ୍ୟର କୋମନା ବ୍ଲକ ଜଳମଡ଼ାଇ ଗାଁରେ ଜଣେ ବୃଦ୍ଧାଙ୍କୁ ଘର ପଛପଟୁ ବାଘ ଟାଣିନେଇ ଖାଇଯାଇଥିଲା । ଏହି ଭୟ ମନରୁ ଲିଭି ନଥିବାବେଳେ ଗତକାଲି ତରିଆମହୁଆଭଟ୍ଟା ଗାଁର ମୁଷରଙ୍ଗୀ ଜଙ୍ଗଲରୁ ଚାଲିଆସିଥିବା ବାଘୁଣୀ ଗୋଟିଏ ବାଛୁରୀକୁ ଟାଣି ନେଇଛି ।

ଜଳମଡ଼ାଇରେ ବାଘ ଓ ତରିଆ ମହୁଆଭଟ୍ଟାରେ ବାଘୁଣୀ ମାତିଥିବାରୁ ଲୋକମାନେ ଖୁବ ଭୟଭୀତ ଅଛନ୍ତି । ଉଭୟ ଅଞ୍ଚଳରେ ମୋଟ ୧୩ଟି କ୍ୟାମେରା ଲଗାଇ ସ୍ଥିତି ଉପରେ ନଜର ରଖିଛି ବନ ବିଭାଗ । ହେଲେ ବାଘକୁ ଟ୍ରାକ କରିବା ଓ ଲୋକଙ୍କୁ ସୁରକ୍ଷା ଦେବାରେ ବନ ବିଭାଗ ବିଫଳ ହୋଇଛି । ବନ ବିଭାଗର ବିଫଳତା ଯୋଗୁଁ ସ୍ଥାନୀୟ ଲୋକେ ଅସନ୍ତୋଷ ପ୍ରକାଶ କରି ତୁରନ୍ତ ବାଘକୁ ଘଉଡ଼ାଇ ଗ୍ରାମବାସୀଙ୍କୁ ସୁରକ୍ଷା ଦେବାକୁ ଦାବି କରିଛନ୍ତି ।