ପଦ୍ମଶ୍ରୀ ପାଇଲେ କଣ୍ଢେଇ ନୃତ୍ୟଗୁରୁ ମାଗୁଣି କୁଅଁର : ଶୁଭେଚ୍ଛା ଜଣାଇଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

177

କନକ ବ୍ୟୁରୋ : କେନ୍ଦୁଝରର ମାଗୁଣି ଚରଣ କୁଅଁରଙ୍କୁ ମିଳିଲା ପଦ୍ମଶ୍ରୀ । କଣ୍ଢେଇ ନାଚ ଗୁରୁ ମାଗୁଣି କୁଅଁରଙ୍କୁ ରାଷ୍ଟ୍ରପତି ପୁରସ୍କୃତ କରି ଶୁଭେଚ୍ଛା ଜଣାଇଛନ୍ତି । ଏହା ଏକ ଦୁର୍ଲଭ ପୁରସ୍କାର, ଭାଗ୍ୟରେ ଥିଲେ ମିଳେ ବୋଲି କହିଛନ୍ତି ମାଗୁଣି କୁଅଁର । ପୂର୍ବରୁ ସେ କଣ୍ଢେଇ ନାଚ ପାଇଁ ରାଷ୍ଟ୍ରପତି ପୁରସ୍କାର ସହ ରାଜ୍ୟ ତଥା ରାଜ୍ୟ ବାହାରୁ ଅନେକ ସମ୍ମାନ ଓ ପ୍ରଶଂସା ପାଇଛନ୍ତି । ଓଡ଼ିଶା ଓ କେନ୍ଦ୍ର ସଙ୍ଗୀତ ନାଟକ ଏକାଡେମୀ ପୁରସ୍କାର ସହ ୨୦୧୨ ମସିହାରେ ଓଡ଼ିଶା ସଂଗୀତ ନାଟକ ଏକାଡେମୀର ସର୍ବୋଚ୍ଚ ସମ୍ମାନ ‘କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ସମ୍ମାନ’ ପାଇଛନ୍ତି ।

କେନ୍ଦୁଝର ପୁରୁଣା ବଜାରର ମାଗୁଣି କୁଅଁର ୧୫ ବର୍ଷ ବୟସରୁ କଣ୍ଢେଇ ନାଚ ପ୍ରଦର୍ଶିତ କରି ବହୁ ସମ୍ମାନ ସାଉଁଟିଛନ୍ତି । କଣ୍ଢେଇ ନାଚକୁ ବିଶ୍ୱ ଦରବାରରେ ପହଂଚାଇବାରେ ସଫଳ ହୋଇଛନ୍ତି । ଏବେ ପଦ୍ମଶ୍ରୀ ପାଇଥିବାରୁ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ତାଙ୍କୁ ଟ୍ୱିଟ୍ କରି ଶୁଭେଚ୍ଛା ଜଣାଇଛନ୍ତି । ସମାଜରେ ଲୁକ୍କାୟିତ କାଠ କଣ୍ଢେଇ ନାଚରେ ପୌରାଣିକ କାହାଣୀ ଚିତ୍ରଣ କରି ଲୋକକଳାକୁ ଉଜ୍ଜିବିତ କରିବାରେ ତାଙ୍କର ଅବଦାନ ପ୍ରଶଂସନୀୟ ବୋଲି କହିଛନ୍ତି କେନ୍ଦ୍ରମନ୍ତ୍ରୀ ।

ରାଷ୍ଟ୍ରପତି ଭବନରେ ରାଷ୍ଟ୍ରପତି ଦୌପ୍ରଦୀ ମୁର୍ମୁ ପଦ୍ମ ସମ୍ମାନ ପ୍ରଦାନ କରିଛନ୍ତି । ବର୍ଷ ୨୦୨୩ ପାଇଁ ଏହି ସମ୍ମାନ ପ୍ରଦାନ କରାଯାଇଛି । ପୁରସ୍କାର ପାଇଥିବା ଚେହେରା ମଧ୍ୟରେ ୧୯ ଜଣ ମହିଳା ଅଛନ୍ତି । ଆଦିତ୍ୟ ଗ୍ରୁପର ଚେୟାରମ୍ୟାନ୍ ତଥା ବିଶିଷ୍ଟ ଶିଳ୍ପପତି ଶ୍ରୀ କୁମାର ମଙ୍ଗଲମ୍ ବିରଲାଙ୍କୁ ବ୍ୟବସାୟ କ୍ଷେତ୍ର ପାଇଁ ପଦ୍ମଭୁଷଣ ମିଳିଛି । ପଦ୍ମ ପୁରସ୍କାର ପାଇବାରେ କୁମାର ମଙ୍ଗଳମ ବିର୍ଲା ହେଉଛନ୍ତି ବିର୍ଲା ପରିବାରର ଚତୁର୍ଥ ବ୍ୟକ୍ତି ।

ମହାରାଷ୍ଟ୍ର ଲୋକପ୍ରିୟ ଗାୟିକା ସୁମନ କଲ୍ୟାଣପୁରଙ୍କୁ ପଦ୍ମଭୁଷଣ ସମ୍ମାନରେ ସମ୍ମାନିତ କରାଯାଇଛି । ସୁମନ କଲ୍ୟାଣପୁର ଜଣେ ପ୍ରସିଦ୍ଧ ଗାୟିକା । ଓଡିଆ, ହିନ୍ଦୀ ସମେତ ଅନେକ ଭାଷାରେ ସୁମନ କଲ୍ୟାଣପୁର ହଜାର ହଜାର ଗୀତ ଗାଇଛନ୍ତି । କର୍ଣ୍ଣାଟକର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ପୂର୍ବତନ ବୈଦେଶିକ ମନ୍ତ୍ରୀ ଏସ.ଏମ,କ୍ରିଷ୍ଣାଙ୍କୁ ପଦ୍ମ ବିଭୂଷଣ ମିଳିଛି । ବିଶିଷ୍ଟ ନିବେଶକ ରାକେଶ ଝୁନଝୁନୱାଲଙ୍କୁ ମରଣୋତର ଭାବେ ପଦ୍ମଶ୍ରୀ ଦିଆଯାଇଛି । ପ୍ରଥମ ପର୍ଯ୍ୟାୟରେ ୩ ଜଣଙ୍କୁ ପଦ୍ମ ବିଭୂଷଣ, ୪ ଜଣଙ୍କ ପଦ୍ମଭୂଷଣ ଓ ୪୭ ଜଣଙ୍କୁ ପଦ୍ମଶ୍ରୀ ପ୍ରଦାନ କରାଯାଇଛି ।

ପଦ୍ମଶ୍ରୀ ସମ୍ମାନରେ ସମ୍ମାନିତ ହୋଇଛନ୍ତି ଗୁଜରାଟ ଜୁନାଗଡ଼ର ହୀରାବାଇ ଇବ୍ରାହିମ୍ ଲୋବି । ଆଫ୍ରିକାର ସିଦ୍ଦି ଆଦିବାସୀ ସଂପ୍ରଦାୟରୁ ଆସିଥିବା ଲୋବି ଭାରତରେ ସିଦ୍ଦି ସଂପ୍ରଦାୟର ଉତ୍ଥାନ ପାଇଁ ଅନେକ କାର୍ଯ୍ୟ କରିଛନ୍ତି । ଏପର୍ଯ୍ୟନ୍ତ ସେ ୭ ଶହ ସିଦ୍ଦି ମହିଳା ଓ ଶିଶୁଙ୍କ ଜୀବନରେ ପରିବର୍ତନ ଆଣିପାରିଛନ୍ତି ।

ସେଥିପାଇଁ ତାଙ୍କୁ ଏହି ସମ୍ମାନ ପାଇଁ ଚୟନ କରାଯାଇଥିଲା । ପଦ୍ମଶ୍ରୀ ସମ୍ମାନ ପାଇ ସେ ଯେତେବେଳେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଆଡକୁ ଯାଇଥିଲେ ମୋଦୀ ତାଙ୍କୁ ହାତଯୋଡି ଓ ମୁଣ୍ଡ ନୁଆଁଇ ପ୍ରଣାମ କରିଥିଲେ । ପାଖରେ ବସିଥିବା କେନ୍ଦ୍ରମନ୍ତ୍ରୀ ଅମିତ ଶାହ, ସ୍ମୃତି ଇରାନୀ ଏବଂ ଲୋକସଭା ବାଚସ୍ପତି ଓମ୍ ବିର୍ଲା ମଧ୍ୟ ଲୋବିଙ୍କୁ ନମସ୍କାର କରିଥିଲେ ।