ଡଙ୍କାରୀ ପାହାଡ଼ରେ ଲାଗିଲା ଲଗାମ । ବିଭିନ୍ନ ପ୍ରସଙ୍ଗକୁ ନେଇ ଦୀର୍ଘ ଧରି ଥିଲା ଚର୍ଚ୍ଚାରେ, ୪ ଖାଦାନ ବନ୍ଦ, ୧୪୪ ଧାରା ଲାଗୁ

24

କନକ ବ୍ୟୁରୋ : ଯାଜପୁର ଧର୍ମଶାଳାର ଡଙ୍କାରୀ ପାହାଡରେ ଥିବା ଖାଦାନ ଉପରେ ଚଢାଉ । ଗ୍ରୀନ୍ ଟ୍ରିବୁନାଲଙ୍କ ନିର୍ଦ୍ଦେଶରେ ଆଜି ଚଢ଼ାଉ କରି ୪ଟି ପଥର ଖାଦାନକୁ ବନ୍ଦ କରିଛି ଜିଲ୍ଲା ପ୍ରଶାସନ । ପରିବେଶ ପ୍ରଦୂଷଣକୁ ଆଧାର କରି ୧୬ଟି ଖାଦାନ ଉପରେ ଚଢ଼ାଉ କରାଯାଇଛି । ବଡ କଥା ହେଉଛି ଏହି ଡଙ୍କାରୀ ଖାଦାନକୁ ନେଇ ଡାକ୍ତର ଦାମ ରାଉତ ଦୁର୍ନୀତି ଅଭିଯୋଗ ଆଣିଥିବା ବେଳେ କେନ୍ଦ୍ର ସରକାରଙ୍କ ପକ୍ଷରୁ ଏହି ଅଂଚଳରେ ତୈଳ ସଂରକ୍ଷଣ କେନ୍ଦ୍ର ପାଇଁ ପ୍ରସ୍ତାବ ରହିଛି । ଆଉ ଏସବୁ ଭିତରେ କାର୍ଯ୍ୟାନୁଷ୍ଠାନକୁ ନେଇ ପ୍ରତିକ୍ରିୟା ପ୍ରକାଶ ପାଇଛି ।

ବେଆଇନ ବ୍ଲାଷ୍ଟିଂ, ପ୍ରଦୁଷଣ ଏବଂ ଦୁର୍ନୀତି ଭଳି ଅନେକ ପ୍ରସଙ୍ଗକୁ ନେଇ ଚର୍ଚ୍ଚାରେ ଥିବା ଯାଜପୁର ଡଙ୍କାରୀ ପାହାଡ଼ ଉପରେ ଲଗାମ ଲଗାଇଛି ପ୍ରଶାସନ । ଜିଲ୍ଲାପାଳ ଏବଂ ଏସପି ଦଳବଳ ନେଇ ଆଜି ଡଙ୍କାରୀ ପାହାଡ଼ ଉପରେ ଚଢ଼ାଉ କରିଛନ୍ତି । ଆଉ ଲିଜରେ ଥିବା ୪ଟି ସଇରାତ ବା ଖାଦାନକୁ ବନ୍ଦ କରିବା ସହ ୧୬ଟି ବେଆଇନ ଖାଦାନ ଉପରେ ଚଢ଼ାଉ କରିଛନ୍ତି । ଏହା ସହ ଜାରି ହୋଇଛି ୧୪୪ ଧାରା । ଯାହାକୁ ବିରୋଧ କରିଛି ଖଣିଜ ପରିବହନ ସଂଘ ।

ଗତ ଅକ୍ଟୋବର ୫ରେ ଡଙ୍କାରୀରେ ପହଂଚିଥିଲା ଏନଜିଟି ଟିମ୍ । ବେଆଇନ ବ୍ଲାଷ୍ଟିଂ ଏବଂ ପରିବେଶ ପ୍ରଦୂଷଣର ଅଭିଯୋଗ ପାଇବା ପରେ ଡଙ୍କାରୀ ପାହାଡ଼ ପହଂଚି ସରଜମିନ୍ ତଦନ୍ତ କରିଥିଲା ଜାତୀୟ ଗ୍ରୀନ୍ ଟ୍ରିବୁନାଲର ଦୁଇ ଜଣିଆ ଟିମ୍ । ଆଉ ଏ ସଂପର୍କିତ ଶୁଣାଣି ପରେ କାର୍ଯ୍ୟାନୁଷ୍ଠାନ ପାଇଁ, ପ୍ରଶାସନକୁ ନିର୍ଦ୍ଦେଶ ଦେଇଥିଲା ଏନଜିଟି । ଆଉ ଆଜି କାର୍ଯ୍ୟାନୁଷ୍ଠାନ ପରେ ଏହାକୁ ବିରୋଧ କରିଛି କ୍ରସର ମାଲିକ ସଂଘ ।

ଏହି ଡଙ୍କାରୀ ପାହାଡ଼ ପ୍ରସଙ୍ଗ ସେତେବେଳେ ଜୋର ଧରିଥିଲା, ଯେତେବେଳେ ଏହାକୁ ନେଇ ବିଧାନସଭାରେ ପ୍ରଶ୍ନ ଉଠାଇଥିଲେ ପୂର୍ବତନ ମନ୍ତ୍ରୀ ଡକ୍ଟର ଦାମୋଦର ରାଉତ । ଏଠି ଦୁର୍ନୀତି ନେଇ ଅଭିଯୋଗ ଆଣିବା ସହ କୋଟି କୋଟି ଟଙ୍କା ରାଜସ୍ୱହାନୀ ହେଉଥିବା ଅଭିଯୋଗ ହୋଇଥିଲା । ଏପଟେ କେନ୍ଦ୍ର ସରକାରଙ୍କ ପକ୍ଷରୁ ଏହି ଅଂଚଳରେ ତୈଳ ସଂରକ୍ଷଣ କେନ୍ଦ୍ର ପାଇଁ ପ୍ରସ୍ତାବ ରହିଛି । ଆଉ ଏତିକି ବେଳେ ପ୍ରଶାସନର କାର୍ଯ୍ୟାନୁଷ୍ଠାନ ପରେ ସାରା ରାଜ୍ୟର କ୍ରସର ବନ୍ଦ କରିଦେବା ପାଇଁ ଚେତାବନୀ ଦେଇଛି ଟ୍ରକ୍ ମାଲିକ ସଂଘ । ପ୍ରଶାସନର ଏହି କାର୍ଯ୍ୟାନୁଷ୍ଠାନ ସଂପର୍କରେ ଆମେ ଜିଲ୍ଲାପାଳଙ୍କ ପ୍ରତିକ୍ରିୟା ନେବା ପାଇଁ ଚେଷ୍ଟା କରିଥିଲେ ସୁଦ୍ଧା ଏହା ସମ୍ଭବ ହୋଇନଥିଲା ।