ନ୍ୟାସନାଲ ହେରାଲ୍ଡ ମାମଲା : ଆଜି ପୁଣି ହାଜର ହେବେ ସୋନିଆ ଗାନ୍ଧୀ; ମଙ୍ଗଳବାର ୬ ଘଣ୍ଟା ଜେରା କରିଥିଲେ ଇଡି ଅଧିକାରୀ

65

କନକ ବ୍ୟୁରୋ : ନ୍ୟାସନାଲ ହେରାଲ୍ଡ ମାମଲାରେ ଲଗାତାର ଦ୍ୱିତୀୟ ଦିନ ଦିଲ୍ଲୀ ସ୍ଥିତ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟରେ ହାଜର ହେବେ ସୋନିଆ ଗାନ୍ଧୀ । ଗତକାଲି ଦୁଇ ରାଉଣ୍ଡରେ ସୋନିଆ ଗାନ୍ଧୀଙ୍କୁ ପଚରା ଉଚରା କରିଥିଲେ ଇଡି ଅଧିକାରୀ । ପୂର୍ବାହ୍ନରେ ପ୍ରଥମେ ୩ ଘଣ୍ଟା ସୋନିଆ ଗାନ୍ଧୀଙ୍କୁ ଇଡି ଜେରା କରିଥିଲେ । ପରେ ଅପରାହ୍ନ ୩ଟା ୩୦ରୁ ସନ୍ଧ୍ୟା ୭ଟା ଯାଏଁ ଇଡି ଅଧିକାରୀ କଂଗ୍ରେସ ଅଧ୍ୟକ୍ଷାଙ୍କୁ ପଚରା ଉଚରା କରିଥିଲେ ।

ନ୍ୟାସନାଲ ହେରାଲ୍ଡ ଖବରକାଗଜ ଦୁର୍ନୀତି ମାମଲାରେ ଆଜି ତୃତୀୟ ଥର ପାଇଁ ଇଡି ଜେରାକୁ ସାମ୍ନା କରିବେ ସୋନିଆ । ପ୍ରଥମେ ଜୁଲାଇ ୨୧ରେ ସୋନିଆ ଗାନ୍ଧୀଙ୍କୁ ଇଡି ଦୁଇ ଘଣ୍ଟା ଜେରା କରିଥିଲ।। ଏହି ସମୟରେ ସୋନିଆଙ୍କର ୨୮ଟି ପ୍ରଶ୍ନର ଜବାବ ରଖିଥିଲେ ବୋଲି ସୂଚନା ରହିଛି । ସେପଟେ ଇଡି ସୋନିଆଙ୍କୁ ଜେରା କରିବା ବିଜେପିର ରାଜନୈତିକ ପ୍ରତିଶୋଧ ବୋଲି କହିଛି କଂଗ୍ରେସ ।

ଜେରାକୁ ବିରୋଧ କରି ଦିଲ୍ଲୀ ସମେତ ବିଭିନ୍ନ ରାଜ୍ୟରେ କଂଗ୍ରେସ ବିକ୍ଷୋଭ କରିଛି । ପୂର୍ବରୁ ଏହି ମାମଲାରେ ରାହୁଲ ଗାନ୍ଧୀଙ୍କୁ ଇଡି ଜେରା କରିବା ବେଳେ କଂଗ୍ରେସ ସମାନ ଧରଣର ବିକ୍ଷୋଭ କରିଥିଲା । ରାହୁଲଙ୍କ ସମେତ ପ୍ରାୟ ୫୦ ସାଂସଦଙ୍କୁ ଦିଲ୍ଲୀ ପୁଲିସ ଅଟକ ରଖି ସନ୍ଧ୍ୟାରେ ଛାଡ଼ିଥିଲେ। ରାହୁଲ କହିଛନ୍ତି, ଭାରତ ହେଉଛି ଏକ ପୁଲିସ ରାଷ୍ଟ୍ର ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ହେଉଛନ୍ତି ଏହାର ରାଜା । ରାହୁଲ ଏବଂ ଅନ୍ୟ ନେତାମାନେ ଆଜି ବିଜୟ ଚୌକ୍‌ରୁ ରାଷ୍ଟ୍ରପତି ଭବନ ଅଭିମୁଖେ ଆନ୍ଦୋଳନ ଯାତ୍ରା କରିଥାନ୍ତେ । କିନ୍ତୁ ରାହୁଲଙ୍କୁ ପୁଲିସ ଅଟକ ରଖିବା ସହ ଏକ ବସ୍‌ରେ ଉଠାଇ ନେଇଥିଲା ।

ଇତି ମଧ୍ୟରେ ବିରୋଧୀ ଦଳ ନେତା ମଲ୍ଲିକାର୍ଜୁନ ଖଡ଼ଗେ କହିଛନ୍ତି, ପୁଲିସର ଅନୁମତି ମୁତାବକ ଆମେ ଆନ୍ଦୋଳନ କରୁଥିଲେ ମଧ୍ୟ ଏଥିରେ ବାଧା ଦିଆଯାଉଛି । ଆଜି ଯାହା ହେଉଛି ତାହା ପ୍ରଧାନମନ୍ତ୍ରୀ ମୋଦୀ ଏବଂ ଗୃହମନ୍ତ୍ରୀ ଅମିତ ଶାହଙ୍କ ଷଡ଼ଯନ୍ତ୍ର ବୋଲି ସେ କହିଛନ୍ତି । ସବୁ ଷଡ଼୍‌ଯନ୍ତ୍ର ସତ୍ତ୍ବେ ଆମର ଲଢ଼େଇ ଜାରି ରହିବ ବୋଲି ଖଡ଼ଗେ କହିଛନ୍ତି ।