ସାମାଜିକ ବାସନ୍ଦ ଯୋଗୁଁ ମହିଳାଙ୍କ ଶବକୁ ମିଳିଲାନି କାନ୍ଧ: ଜାତିଭାଇ ମନା କରିବା ପରେ ସାଇକେଲରେ ଶବକୁ ନେଇ ଅନ୍ତିମ ସଂସ୍କାର କଲେ ଦୁଇ ପୁଅ

350

କନକ ବ୍ୟୁରୋ: ନବରଙ୍ଗପୁରରୁ ଆସିଲା ଅଭାବନୀୟ ଚିତ୍ର । ଶବକୁ ମିଳିଲାନି କାନ୍ଧ । ଶେଷରେ ବାଧ୍ୟ ହୋଇ ଶବକୁ ସାଇକେଲରେ ବୋହି ନେଇ ଅନ୍ତିମ ସଂସ୍କାର କରିଛନ୍ତି ପରିବାର ଲୋକେ । ଚନ୍ଦାହାଣ୍ଡି ବ୍ଲକର କୁମ୍ଭାରପଡି ଗାଁର ଜଣେ ମହିଳା ନୂଆଖାଇ ପାଣ୍ଡେଙ୍କର ଗତକାଲି ମୃତ୍ୟୁ ହୋଇଥିଲା । ତେବେ ଗ୍ରାମବାସୀ ତାଙ୍କୁ ବାସନ୍ଦ କରିଥିବାରୁ ଶବ ଉଠାଇବାକୁ ଆସିନଥିଲେ । ସମ୍ପର୍କୀୟମାନଙ୍କୁ ଯେତେ ନେହୁରା ହେଲେ ମଧ୍ୟ କେହି ଆସିନଥିଲେ । ଶେଷରେ ବାଧ୍ୟ ହୋଇ ଦୁଇ ଭାଇ ସାଇକେଲରେ ଶବ ନେଇ ଅନ୍ତିମ ସଂସ୍କାର କରିଥିଲେ ।

ସୂଚନା ମୁତାବକ ଗତକାଲି ସନ୍ଧ୍ୟାରେ ଏହି ଗ୍ରାମର ମହିଳା ନୂଆଖାଇ ପାଣ୍ଡେଙ୍କର ମୃତ୍ୟୁ ହୋଇଥିଲା । ତେବେ ମହିଳାଙ୍କ ସଂସ୍କାର ପାଇଁ ଦୁଇ ପୁଅ ଗ୍ରାମବାସୀଙ୍କୁ କାକୁତିମିନତି ହୋଇଥିଲେ । କିନ୍ତୁ ପୂର୍ବରୁ ନୂଆଖାଇଙ୍କ ପରିବାର ସହ ଗ୍ରାମବାସୀଙ୍କର ବିବାଦ ଥିବା ଯୋଗୁଁ କେହି ବି ଆସିନଥିଲେ । ଶେଷରେ କୌଣସି ଉପାୟ ନ ପାଇ ଦୁଇ ପୁଅ ପୁସ୍ତମ ପାଣ୍ଡେ ଓ ଟେକ ପାଣ୍ଡେ ମା ର ମୃତଦେହକୁ ସାଇକେଲରେ ମଶାଣିକୁ ବୋହିନେଇଥିଲେ । ତେବେ ପୁରୁଣା ବିବାଦ ପାଇଁ ମୃତଦେହକୁ କାନ୍ଧ ନ ଦେବାକୁ ନେଇ ପ୍ରଶ୍ନ ଉଠିଛି ।