ତ୍ରିପୁରାରେ ହୃଦୟ ବିଦାରକ ଦୃଶ୍ୟ । ଇସ୍କନ ରଥରେ ନିଆଁଲାଗି ୬ ମୃତ, ୧୫ ଗୁରୁତର

605

କନକ ବ୍ୟୁରୋ : ତ୍ରିପୁରାରେ ଇସ୍କନ ରଥଯାତ୍ରାବେଳେ ଏକ ହୃଦୟ ବିଦାରକ ଘଟଣା ଦେଖିବାକୁ ମିଳିଛି । କୁମାରଘାଟ ଠାରେ ଭଗବାନଙ୍କ ରଥଯାତ୍ରା ଚାଲିଥିବା ବେଳେ ରଥଟି ହାଇ ଟେନସନ ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ରଥରେ ନିଆଁ ଲାଗିଯାଇଥିଲା । ଏହି ସମୟରେ ରଥରେ ଥିବା ଲୋକମାନଙ୍କ ମଧ୍ୟରୁ ୬ ଜଣଙ୍କର ମୃତ୍ୟୁ ହେବା ସହ ୧୫ ଜଣରୁ ଅଧିକ ଗୁରୁତର ହୋଇଛନ୍ତି । ପୀଡିତମାନଙ୍କୁ ଜିଲ୍ଲା ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।

ସୂଚନା ମୁତାବକ ଏଭଳି ହୃଦୟ ବିଦାରକ ଘଟଣା ଓନାକୋଟି ଜିଲ୍ଲା କୁମାରଘାଟ ଅଞ୍ଚଳରେ ବୁଧବାର ସନ୍ଧ୍ୟାବେଳେ ଘଟିଛି । ଅପରାହ୍ନ ୪.୩୦ ମିନିଟ ସମୟରେ ଏଠାରେ ଭଗବାନ ଜଗନ୍ନାଥଙ୍କ ଓଲଟା ରଥଯାତ୍ରା ଉତ୍ସବ ପାଳନ କରାଯାଉଥିଲା । ଏହି କ୍ରମରେ ଭଗବାନ ଜଗନ୍ନାଥ, ବଳଭଦ୍ର ଓ ଦେବୀ ସୁଭଦ୍ରାଙ୍କ ରଥଯାତ୍ରା ଚାଲିଥିଲା ।

ଲୁହାରେ ନିର୍ମିତ ବିଶାଳ ରଥକୁ ହଜାର ହଜାର ଲୋକ ନିଜ ହାତରେ ଟାଣି ନେଉଥିଲେ । ଏହି କ୍ରମରେ ଲୁହାରଥର କିଛି ଅଂଶ ସଡକ କଡରେ ଯାଇଥିବା ହାଇଭୋଲଟେଜ ଇଲେକ୍ଟ୍ରି ତାର ସଂସ୍ପର୍ଶରେ ଆସିଥିଲା । ଫଳରେ ରଥରେ ନିଆଁ ଲାଗିବା ସହ ରଥଟି ଚାର୍ଜ ହୋଇଯାଇଥିଲା । ଏହାଦ୍ୱାରା ଘଟଣା ସ୍ଥଳରେ ୬ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୧୫ରୁ ଅଧିକ ଭକ୍ତ ଗୁରୁତର ଆହାତ ହୋଇଛନ୍ତି ।

ସେପଟେ ଏଭଳି ଘଟଣାର ସୂଚନା ପାଇବା ପରେ ମୁଖ୍ୟମନ୍ତ୍ରୀ ମାଣିକ ଶାହା ଶୋକ ବ୍ୟକ୍ତ କରିଛନ୍ତି । ମୃତକମାନଙ୍କ ପରିବାର ପ୍ରତି ସମବେଦନା ଜଣାଇବା ସହ ଆହାତଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି ।