ସାଙ୍ଗ ରଚିଥିଲା ସାଙ୍ଗର ହତ୍ୟା ଷଡଯନ୍ତ୍ର! ପୁଲିସର ସନ୍ଦେହୀ ଆଖିରୁ ବର୍ତ୍ତିପାରିଲାନି ଅଭିଯୁକ୍ତ

1,022

କନକ ବ୍ୟୁରୋ: ନାଁ ବିକାଶ ମହାପାତ୍ର । ସାଙ୍ଗକୁ ହତ୍ୟା କରି ଯିଏ ଦୁର୍ଘଟଣାର ରୂପ ଦେଇ ଖସି ଯିବାକୁ ଯୋଜନା କରିଥିଲା । ହେଲେ ପୋଲିସର ସନ୍ଦେହୀ ଆଖି ଖୋଲିଦେଲା ଅଭିଯୁକ୍ତ ବିକାଶ ମହାପାତ୍ରର ଅସଲ ମୁଖା ।

ଗତ ଜୁନ ୨୧ତାରିଖ ରାତିରେ ଶିରିପୁର ଛକରେ ଜଣେ ଆସିଷ୍ଟାଣ୍ଟ ବ୍ୟାଙ୍କ ମ୍ୟାନଜର ଅମିତ କାନୁନଗୋଙ୍କ ମୃତଦେହ ଉଦ୍ଧାର ଘଟଣାର ପର୍ଦ୍ଦାଫାସ କରିଛି ପୋଲିସ । ଖଣ୍ଡଗିରି ଥାନା ପୋଲିସ ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ ଚଲାଇଥିଲା । ହେଲେ ପୋଷ୍ଟମର୍ଟମ ରିପୋର୍ଟ ମାମଲାର ମୋଡ ବଦଳାଇଦେଲା । ରିପୋର୍ଟରେ ଉଲ୍ଲେଖ ଥିଲା ଛାତିରେ ଗଭୀର ଆଘାତ ଯୋଗୁଁ, ଛାତି ହାଡ ଭାଙ୍ଗି ଫୁସଫୁସରେ ପଶିଯାଇଛି । ଲିଭର ନଷ୍ଟ ହୋଇଯାଇଛି । ମୁଣ୍ଡରେ ଶକ୍ତ ଆଘାତ ହୋଇ ରକ୍ତ ଜମାଟ ବାନ୍ଧିଛି । ଏଭଳି ପ୍ରମାଣ ପାଇବା ପରେ ପୋଲିସ ମୃତ ଅମିତଙ୍କ ସାଙ୍ଗ ବିକାଶକୁ ଉଠାଇ ନେଇ ପଚାରଉଚରା କରିଥିଲା । ଏବଂ ପୋଲିସ ଆଗରେ ସେ ସବୁ ସତ ମାନି ଯାଇଥିଲା ।

କମିସନରେଟ ପୁଲିସର ସୂଚନା ଅନୁସାରେ ବିକାଶ ମହାପାତ୍ର. ଅମିତ କାନୁନଗୋ ଓ ଲକ୍ଷ୍ମଣ ତିନି ସାଙ୍ଗ । ବକେୟା ଟଙ୍କା ପାଇଁ ଅମିତ ଓ ଲକ୍ଷ୍ମଣ ମିଶିକି ବିକାଶ ପାଖକୁ ଯାଇଥିଲେ । ଟଙ୍କା ନେଣଦେଣକୁ ନେଇ ପାଟିତୁଣ୍ଡ ପରେ ମାରପିଟ ହୋଇଥିଲା । ମାଡରେ ଲକ୍ଷ୍ମଣ ଗୁରୁତର ହୋଇଥିଲା ଓ ଘଟଣାସ୍ଥଳରେ ଆଖି ବୁଜିଥିଲା ଅମିତ କାନୁନଗୋ । ଏହାପରେ ଖସିଯିବାକୁ ଯୋଜନା କରିଥିଲା ବିକାଶ ମହାପାତ୍ର । ପ୍ରଥମେ ଫଟୋ ଉଠାଇ ଅମିତଙ୍କ ପତ୍ନୀଙ୍କୁ ଦୁର୍ଘଟଣା ହୋଇଥିବା ଫୋନ କରି ଜଣାଇଥିଲା । ପୋଲିସର ନଜର ଏଡାଇବାକୁ ମେଡିକାଲଠୁ ଆରମ୍ଭ କରି ବ୍ୟବଚ୍ଛେଦ ଯାଏଁ ରହିଥିଲା ।  ଏପରିକି ସାକ୍ଷୀ ହୋଇ ଦସ୍ତଖତ ବି ମାରିଥିଲା ।