ଅବପାତ ପ୍ରଭାବରେ ସାରାରାଜ୍ୟରେ ବର୍ଷା। ଆସନ୍ତାକାଲି ୧୦ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ। 

215

କନକ ବ୍ୟୁରୋ: ଦକ୍ଷିଣ ଓଡି଼ଶା ଉପରେ ସକ୍ରିୟ ରହିଛି ଅବପାତ । ଘଣ୍ଟାପ୍ରତି ୨୫ କିମି ବେଗରେ କରୁଛି ଗତି । ପଶ୍ଚିମ, ଉତ୍ତର-ପଶ୍ଚିମ ଦିଗରେ ଗତି କରୁଛି ଅବପାତ । ଭବାନୀପାଟଣାଠାରୁ ଦକ୍ଷିଣ-ପୂର୍ବ ଦିଗରେ ୧୦ କିମି ଦୂରରେ କେନ୍ଦ୍ରୀଭୂତ । ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ରର ସୂଚନା ଅନୁସାରେ, ମୌସୁମୀ ନିମ୍ନ-ଚାପ ରେଖା ଗୁଜୁରାଟର ନଲିଆରୁ ବାହାରି ଅହମ୍ମଦାବାଦ, ଜଗଦଲପୁର ଏବଂ ଦକ୍ଷିଣ ଓଡିଶା ଉପରେ ଅବପାତକେନ୍ଦ୍ରଠାରୁ ପୂର୍ବ-ଦକ୍ଷିଣପୂର୍ବ ଦିଗରେ ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗର ଯାଏଁ ଲମ୍ବିଛି । ଏହାର ପ୍ରଭାବରେ ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ସର୍ବାଧିକ ୩୨.୩ ମିଲିମିଟର ବର୍ଷା ହୋଇଛି । ଯାହା ସ୍ୱାଭାବିକ ବର୍ଷା ୮ ଦଶମିକ ୭ ମିଲିମିଟର ତୁଳନାରେ ୧୫୪% ଅଧିକ । ଆଞ୍ଚଳିକ ପାଣିପାଗ କେନ୍ଦ୍ରର ପାଣିପାଗ ବିଶେଷଜ୍ଞ ଉମାଶଙ୍କର ଦାଶଙ୍କ ସୂଚନା ଅନୁସାରେ ୩୭ଟି ସ୍ଥାନରେ ପ୍ରବଳ ବର୍ଷା ଏବଂ ୩ଟି ସ୍ଥାନରେ ଅତିପ୍ରବଳ ବର୍ଷା ରେକର୍ଡ କରାଯାଇଛି ।

ଆଗାମୀ ୨୪ ଘଣ୍ଟାରେ ଅବପାତଟି ପଶ୍ଚିମ, ଉତ୍ତର-ପଶ୍ଚିମ ଦିଗରେ ଗତି କରିବ । ଏହା ଦକ୍ଷିଣ ଓଡିଶା ଏବଂ ଦକ୍ଷିଣ ଛତିଶଗଡ ଦେଇ ଗତି କରିବା ସହ କ୍ରମଶଃ ଦୁର୍ବଳ ହୋଇଯିବ । କିନ୍ତୁ ଏହା ପ୍ରଭାବରେ ଆଗାମୀ ୨୪ ଘଣ୍ଟାରେ ୧୦ଟି ଜିଲ୍ଲାରେ ପ୍ରବଳବର୍ଷା ନେଇ ପୂର୍ବାନୁମାନ କରିଛି ଆଂଚଳିକ ପାଣିପାଗ କେନ୍ଦ୍ର । ଏପରିକି ଗୋଟିଏ ଦୁଇଟି ସ୍ଥାନରେ ୭ରୁ ୨୦ ସେଣ୍ଟିମିଟର ଯାଏଁ ବର୍ଷା ହୋଇପାରେ । ସେହିପରି ୧୮ଟି ଜିଲ୍ଲା ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ନଜର ପକାନ୍ତୁ କେଉଁ ଜିଲ୍ଲାଗୁଡିକରେ ପ୍ରବଳ ବର୍ଷା ନେଇ ପୂର୍ବାନୁମାନ କରିଛି ପାଣିପାଗ ବିଭାଗ ।

୧୦ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ 

ମୟୂରଭଞ୍ଜ, କେନ୍ଦୁଝର, ଯାଜପୁର, ଭଦ୍ରକ, ବରଗଡ, ନୂଆପଡା, ବଲାଙ୍ଗିର, କନ୍ଧମାଳ, କଳାହାଣ୍ଡି, ନବରଙ୍ଗପୁର 

ପ୍ରବଳ ବର୍ଷା ଯୋଗୁଁ ବଢୁଛି ଜଳକା ନଦୀର ଜଳସ୍ତର । ମଥାନୀ ଠାରେ ବିପଦ ସଙ୍କେତ ୫ଦଶମିକ ୫୦ ମିଟର ଥିବା ବେଳେ ଏହା ନିକଟରେ ପ୍ରବାହିତ ହେଉଛି ବର୍ଷାଜଳ । ଉପର ମୁଣ୍ଡରେ ବର୍ଷା ଯୋଗୁଁ ଜଳସ୍ତର ଅଧିକ ବୃଦ୍ଧି ପାଇବାର ଆଶଙ୍କା କରାଯାଉଛି । ଉପର ମୁଣ୍ଡ ମୟୁରଭଞ୍ଜ ଜିଲ୍ଲାର ସୁଳିଆପଦା, ମୋରଡା, ଚିତ୍ରଡା, ରାସଗୋବିନ୍ଦପୁର ଅଞ୍ଚଳରେ ବର୍ଷା କାରଣରୁ ବଢୁଛି ନଦୀର ଜଳସ୍ତର । ସେହିଭଳି ଗଜପତି ଜିଲ୍ଲାରେ ବିଭିନ୍ନ ସ୍ଥାନ ଜଳମଗ୍ନ ହୋଇପଡ଼ିଛି । ସନ୍ଧ୍ୟାସୁଦ୍ଧା ବର୍ଷା ଜାରି ରହିଲେ କାଶୀନଗର ଅଞ୍ଚଳରେ ପାଣି ପଶିବାର ସମ୍ଭାବନା ରହିଛି । ସେପଟେ ପ୍ରବଳ ବର୍ଷା ଯୋଗୁ ଫୁଲୁଛି ବଂଶଧାରା ନଦୀ । ଏହାରି ଭିତରେ ଆସନ୍ତା ୧୭ ତାରିଖ ଦିନ ଆଉ ଏକ ଲଘୁଚାପ ଆସିପାରେ ବୋଲି ଆକଳନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ଯାହା ଚିନ୍ତାକୁ ବଢାଇ ଦେଇଛି ।