ବର୍ଷାରେ ଭିଜି ଭିଜି ହକ୍ ପାଇଁ ଆନ୍ଦୋଳନ। ରାଜଧାନୀରେ ଚୁକ୍ତିଭିତିକ କର୍ମଚାରୀ, ଶିକ୍ଷକଙ୍କ ବିକ୍ଷୋଭ। 

101

କନକ ବ୍ୟୁରୋ: ବର୍ଷାରେ ଭିଜି ଭିଜି ଆନ୍ଦୋଳନ । ରାଜଧାନୀର ଲୋୟର ପିଏମଜିରେ ଏଭଳି କିଛି ଦୃଶ୍ୟ ରବିବାର ସାମ୍ନାକୁ ଆସିଥିଲା  । ଚୁକ୍ତିଭିତିକ ନିଯୁକ୍ତି ଉଚ୍ଛେଦ କରି ସ୍ଥାୟୀ ନିଯୁକ୍ତି ଦାବିରେ ଧାରଣାରେ ବସିଛନ୍ତି ଚୁକ୍ତିଭିତିକ କର୍ମଚାରୀ ଓ ଶିକ୍ଷକ । ତୁହାକୁ ତୁହା ବର୍ଷାକୁ ବେଖାତିର କରି ଧାରଣା ଦେଇଛନ୍ତି ୩୦ ହଜାରରୁ ଅଧିକ କର୍ମଚାରୀ । ୩୦ଟି ଯାକ ଜିଲ୍ଲାରୁ ବିକ୍ଷୋଭକାରୀ ଯୋଗଦେଇଥିବା ବେଳେ ପ୍ରାୟ ୪୦ଟି ସଂଘ ସାମିଲ ହୋଇଛନ୍ତି ।

କ’ଣ ରହିଛି ଦାବି ?

ଚୁକ୍ତିଭିତିକ ନିଯୁକ୍ତିକୁ ସରକାର ଉଚ୍ଛେଦ କରନ୍ତୁ

ସ୍ଥାୟୀ ନିଯୁକ୍ତି ମିଳୁ

ଯେଉଁ ୬ ବର୍ଷ କାର୍ଯ୍ୟ କରିଛନ୍ତି, ତାକୁ ଚାକିରି ଅବଧିରେ ସାମିଲ କରାଯାଉ

ବିକ୍ଷୋଭକାରୀଙ୍କ କହିବା କଥା ହେଲା, ସପ୍ତମ ବେତନ କମିଶନ ଲାଗୁ ହେଲା ପରେ ରାଜ୍ୟ ସରକାର ସ୍ଥାୟୀ କର୍ମଚାରୀଙ୍କ ପାଇଁ ଉଦ୍ଦିଷ୍ଟ ପେ’ ଓ ଗ୍ରେଡ୍ ପେ ବ୍ୟବସ୍ଥା ଉଠାଇ ଧାର୍ଯ୍ୟ ଦରରେ ଦରମା ଦେଉଛନ୍ତି । ହେଲେ ଚୁକ୍ତିଭିତିକ ଏବଂ କନିଷ୍ଠ ଶିକ୍ଷକ କର୍ମଚାରୀଙ୍କ ପାଇଁ ପେ’ ଓ ଗ୍ରେଡ ପେ’ ବ୍ୟବସ୍ଥା ଜାରି ରହିଛି । ଏହାକୁ ବିରୋଧ କରି ୨୦୧୮ ଅଗଷ୍ଟରେ ମଧ୍ୟ ସଂଘ ପକ୍ଷରୁ ୩ ଦିନିଆ ଆନ୍ଦୋଳନ କରାଯାଇଥିଲା । ସେତେବେଳେ ବିକ୍ଷୋଭକାରୀଙ୍କ ୧୫ ଜଣିଆ ପ୍ରତିନିଧି ମଣ୍ଡଳ ସହ ମୁଖ୍ୟ ଶାସନ ସଚିବ ଆଲୋଚନା କରିଥିଲେ । ଗୋଟିଏ ମାସ ମଧ୍ୟରେ ସକାରାତ୍ମକ ପଦକ୍ଷେପ ନିଆଯିବ ବୋଲି ପ୍ରତିଶ୍ରୁତି ମିଳିଥିଲା ହେଲେ ତାହାପୂରଣ ହୋଇନଥିବା ସେମାନେ ଅଭିଯୋଗ କରିଛନ୍ତି ।

ଓଡ଼ିଶାରେ ସବୁ ବିଭାଗର ପ୍ରାୟ ୭୦ ହଜାର ଚୁକ୍ତିଭିର୍ତିକ କର୍ମଚାରୀ ରହିଛନ୍ତି । ଦାବିପୂରଣ ପାଇଁ ଆନ୍ଦୋଳନକାରୀ ସରକାରଙ୍କୁ ଗୋଟିଏ ମାସ ସମୟ ଦେଇଛନ୍ତି । ନହେଲେ ଆନ୍ଦୋଳନ ତୀବ୍ର ହେବ ବୋଲି ଚେତାବନୀ ଦେଇଛନ୍ତି  ।