ସିନେମା ହେଉ କି ଯାତ୍ରା ସବୁଠି ଥିଲା ରାଇଙ୍କ ରାଜ୍: ଡାଇଲଗ ଆଉ ଅଭିନୟରେ ଜିତୁଥିଲେ ଦର୍ଶକଙ୍କ ହୃଦୟ 

196

କନକ ବ୍ୟୁରୋ: ଓଲିଉଡ ଜଗତର ସେ ଥିଲେ ଜଣେ ନିକ୍ଷୁଣ କଳାକାର । ତାଙ୍କ ଅଭିନୟରେ ଏମିତି ଯାଦୁ ଥିଲା ଯେ ତାଙ୍କୁ ଖଳନାୟକ ଭୂମିକାରେ ଦେଖିବାକୁ ଦର୍ଶକ ଚାହିଁ ରହିଥିଲେ । ସେ ହୁଏତ ଆଜି ଆମ ଭିତରେ ନାହାନ୍ତି ହେଲେ ତାଙ୍କ କଳା ଦର୍ଶକଙ୍କ ଭିତରେ ତାଙ୍କୁ ଜୀବିତ ରଖିବ । ବରିଷ୍ଠ ଓଲିଉଡ ଅଭିନେତା ରାଇମୋହନ ପରିଡାଙ୍କ ଆତ୍ମହତ୍ୟା ଖବର ସାରା ସିନେ ଜଗତକୁ ସ୍ତବ୍ଧ କରିଦେଇଛି ।

ରାଇମୋହନ ପରିଡା । ଏହି ନାଁ ସାରା ଘରେ ଘରେ ପରିଚିତ । ୯୦ ଦଶକରେ ଯେଉଁ ଫିଲ୍ମ ହେଉଥିଲା ପ୍ରାୟ ଅନେକ ଫିଲ୍ମରେ ସେ ଖଳନାୟକ ଭୂମିକା ଲିଭାଉଥିଲେ । ଆଉ ତାଙ୍କ କ୍ୟାରିୟର ଭିତରେ ସେ ୧୦୦ରୁ ଅଧିକ ଫିଲ୍ମରେ ଅଭିନୟ କରିଛନ୍ତି । ୯୦ଟି ଓଡିଆ ଫିଲ୍ମ ଓ ୧୫ଟି ବଙ୍ଗଳା ଫିଲ୍ମରେ ଅଭିନୟ କରି ସେ ଦର୍ଶକଙ୍କ ପ୍ରିୟ ହୋଇଥିଲେ । କେବଳ ଫିଲ୍ମରେ ସେ ଯାତ୍ରା ଦୁନିଆରେ ମଧ୍ୟ ନିଜ ଜୀବନ୍ତ ଅଭିନୟର ଯାଦୁ ଦେଖାଇଛନ୍ତି ।

ତାଙ୍କର ପ୍ରଥମ ଓଡିଆ ଫିଲ୍ମ ହେଉଛି ପକା କମ୍ବଳ ପୋତ ଛତା । ସେଥିରେ ସେ ଖଳନାୟକ ଭୂମିକାରେ ଅଭିନୟ କରିଥିଲେ । ଏହାପରେ ୧୯୯୨ ମସିହାରେ ସାଗର ଫିଲ୍ମରେ ଅଭିନୟ କରିଥିଲେ । ପରେ ଲକ୍ଷେ ଶିବ ପୂଜି ପାଇଛି ପୁଅ, ରଣ ଭୂମି, ମା ପରି କିଏ ହେବ, ସରପଞ୍ଚ ବାବୁ, କଣ୍ଢେଇ ଆଖିରେ ଲୁହ, ସେଇ ଝିଅଟି, ଦାଦାଗିରି, ଯେ ପାଞ୍ଚେ ପରମନ୍ଦ, ଚକା ଆଖି ସବୁ ଦେଖୁଛି, ମଣି ନାଗେଶ୍ୱରୀ, ପାଚେରୀ ଉଠିଲା ମଝି ଦୂଆରେ, ସ୍ତ୍ରୀ, ନାଗ ପଞ୍ଚମୀ, ସମୟ ବଡ ବଳବାନ, ସୁନା ସଂସାର, ହିସାବ କରିବ କାଳିଆ, ଗଙ୍ଗ ଶିଉଳି ଭଳି ଅନେକ ଫିଲ୍ମରେ ଅଭିନୟ କରିଥିଲେ ।

ତାଙ୍କର ଅଭିନୀତ ରଣଭୂମି ଚଳଚ୍ଚିତ୍ର ପାଇଁ ସେ ବେଶ ପରିଚିତ ହୋଇଥିଲେ । ଏହି ଫିଲ୍ମରେ ହେଇଟି ଅନାନୀ… ଡାଇଲଗ ଦର୍ଶକଙ୍କ ହୃଦୟ ଜିତିଥିଲା । ଏହି ଡାଇଲଗ ଦେଇଥିଲା ତାଙ୍କୁ ବ୍ୟାଡ ବୟର ଟ୍ୟାଗ । ସେ ଏମିତି ନିଖୁଣ ଅଭିନୟ କରନ୍ତି ଯେ ସେ ଖଳନାୟକ ଭୂମିକା କରି ମଧ୍ୟ ବେଶ ଲୋକପ୍ରିୟତା ହାସଲ କରିଥିଲେ ।

ଓଡିଶାର ଖଳନାୟକ ଭାବେ ପରିଚିତ ରାଇମୋହନ ପରିଡା । ତାଙ୍କର ଜନ୍ମ ୧୯୬୩ ମସିହାରେ । ତାଙ୍କର ଜନ୍ମ ସ୍ଥାନ ହେଉଛି କେନ୍ଦୁଝରରେ ଉଦୟପୁର ଗ୍ରାମରେ । ସେ ଚାରି ଝିଅରେ ଗୋଟିଏ ପୁଅ ଥିଲେ । ସେଥିପାଇଁ ପରିବାରରେ ସେ ବହୁତ ଗେଲ୍ହା ଥିଲେ । ତାଙ୍କ ବାପାଙ୍କ ନାମ ହେଉଛି ତ୍ରିଲୋକନାଥ ପରିଡା । ସେ ବିଏଲଡବ୍ଲ୍ୟୁ ଭାବେ କାର୍ୟ୍ୟ କରୁଥିଲେ । ମା’ ହେଉଛନ୍ତି ତିଳୋତ୍ତମା ପରିଡା । ରାଇମୋହନ ପରିଡାଙ୍କ ପତ୍ନୀଙ୍କ ନାମ ହେଉଛି ରଞ୍ଜିତା ପରିଡା ।