ରାଗିଂ ଦୋହଲାଇ ଦିଏ ମାନସିକ ସ୍ଥିତି। କନକ ନ୍ୟୁଜ ଆଗରେ ପୂରା ଘଟଣା ବଖାଣିଲେ ରାଗିଂ ପୀଡ଼ିତା। 

953

କନକ ବ୍ୟୁରୋ:  ସ୍କୁଲ ପାଠପଢ଼ା ପରେ ଯେତେବେଳେ ଜଣେ କଲେଜରେ ପାଦ ଦିଏ, ତା’ ମନରେ ଅନେକ ସ୍ୱପ୍ନ ଥାଏ । ନୂଆ ପରିବେଶ ଭିତରେ କେମିତି ପାଠ ପଢ଼ିବ, କେମିତି ଆଗକୁ ବଢ଼ିବ, ଏ ନେଇ ଭୟ ବି ଥାଏ । କିନ୍ତୁ ଯେତେବେଳେ ଜଣେ ନବାଗତ ରାଗିଂର ଶିକାର ହୁଏ, ତା’ର ମନରେ ଯେଉଁ ପ୍ରଭାବ ପଡେ, ତାକୁ କେବଳ ସେ ହିଁ ବୟାନ କରିପାରିବ । ବ୍ରହ୍ମପୁରର ବିନାୟକ ଆଚାର୍ଯ୍ୟ ମହାବିଦ୍ୟାଳୟର ରାଗିଂ ଭିଡିଓ ସାମ୍ନାକୁ ଆସିବା ପରେ ପୁଣି ଥରେ ଏହି ଚର୍ଚ୍ଚା ଆରମ୍ଭ ହୋଇଛି । ପୀଡ଼ିତା ଛାତ୍ରୀ କନକ ନ୍ୟୁଜ ଆଗରେ କହିଛନ୍ତି ସେଦିନର ପୂରା କାହାଣୀ ।

ସବୁଦିନ ଭଳି ସେଦିନ ବି କଲେଜକୁ ପାଠ ପଢିବାକୁ ଆସିଥିଲେ ପୀଡ଼ିତା । ସେ ଆଦୌ ଜାଣିନଥିଲେ, ତାଙ୍କ ସହ କ’ଣ ଘଟିବାକୁ ଯାଉଛି । କିଛି ବୁଝିବା ପୂର୍ବରୁ ତାଙ୍କୁ ଅଟକାଇ ରାଗିଂ କରାଯାଇଥିଲା । ମୁଖ୍ୟ ଅଭିଯୁକ୍ତ ପ୍ଲାଷ୍ଟିକ ପାଇପ୍ ଦେଖାଇ ତାଙ୍କ ନିର୍ଦ୍ଦେଶ ମାନିବାକୁ ଇଙ୍ଗିତ କରୁଥିଲେ । ଆଜି ପର୍ଯ୍ୟନ୍ତ ବି ସେଦିନ ଯାହା ହୋଇଥିଲା, ତାକୁ ଭୁଲି ପାରିନାହାନ୍ତି ପୀଡ଼ିତା । ତାଙ୍କ କଥାରୁ ବୁଝି ହେଉଛି, କେତେ ଭୟଭୀତ ହୋଇଯାଇଛନ୍ତି ସେ ।

ଏପର୍ଯ୍ୟନ୍ତ ସେ ବୁଝିପାରି ନାହାନ୍ତି, କାହିଁକି ତାଙ୍କୁ ଟାର୍ଗେଟ କରାଯାଇଥିଲା । ଯେଉଁ ମାନସିକ ଧକ୍କା ସେ ପାଇଛନ୍ତି, ତାହା କେବେ ଦୂର ହେବ, କହିବା ମୁସ୍କିଲ୍ । ଏବେ ତାଙ୍କ ମନରେ ପ୍ରଶ୍ନ, ଯେଉଁ ଅଭିଯୁକ୍ତ ଗିରଫ ହୋଇଛନ୍ତି, ସେମାନେ ବାହାରକୁ ଆସିଲେ, ତାଙ୍କୁ ଟାର୍ଗେଟ କରିବେ ନାହିଁ ତ? ଏହି ଭୟ ତାଙ୍କୁ ଘାରିଥିବା ବେଳେ ସଂପୃକ୍ତ କଲେଜ ଛାଡ଼ି ଘର ପାଖରେ ଥିବା ମହିଳା ମହାବିଦ୍ୟାଳୟରେ ପାଠ ପଢ଼ିବେ ବୋଲି କହିଛନ୍ତି ପୀଡ଼ିତା ।

ବ୍ରହ୍ମପୁରର ବିନାୟକ ଆଚାର୍ଯ୍ୟ ମହାବିଦ୍ୟାଳୟରେ ରାଗିଂ ଘଟଣାକୁ ଉଚ୍ଚଶିକ୍ଷା ବିଭାଗ ଗୁରୁତର ଭାବେ ନେଇଛି । ଉଚ୍ଚଶିକ୍ଷା ବିଭାଗର ଆଞ୍ଚଳିକ ନିର୍ଦ୍ଦେଶକ କଲେଜରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି । ଛାତ୍ରଛାତ୍ରୀ ଓ କଲେଜ ଅଧ୍ୟକ୍ଷାଙ୍କ ସହ ମଧ୍ୟ ଏ ନେଇ ଆଲୋଚନା କରିଛନ୍ତି ।

ଏପଟେ ଘଟଣାର ମୁଖ୍ୟ ଅଭିଯୁକ୍ତ ଅଭିଷେକ ନାୟକଙ୍କ ପାଇଁ ବଢ଼ିଛି ଅଡ଼ୁଆ । ପ୍ରଥମେ କଲେଜରୁ ବହିଷ୍କାର ପରେ ବିଜେଡି କ୍ୟାମ୍ପସ କମିଟିର କନଭେନର ପଦବୀରୁ ବି ନିଲମ୍ବନ ପାଇଁ ସୁପାରିଶ କରିଛି ବ୍ରହ୍ମପୁର ମହାନଗର ଛାତ୍ର ବିଜେଡି । ଘଟଣାକୁ ନେଇ ଆରମ୍ଭ ହୋଇଯାଇଛି ରାଜନୀତି ।

ରାଗିଂରେ ସମ୍ପୃକ୍ତ ଥିବା ୧୨ ଜଣ ଛାତ୍ରଛାତ୍ରୀଙ୍କୁ କଲେଜରୁ ବହିଷ୍କାର ପାଇଁ ଟିସି ଦିଆଯାଇଛି । ଅନ୍ୟପଟେ ୩ ଜଣଙ୍କୁ ଗିରଫ କରି କୋର୍ଟ ଚାଲଣ କରିଛି ପୁଲିସ । ୨ ଜଣଙ୍କୁ ଜୁଭେନାଇଲ ଜଷ୍ଟିସ୍ ବୋର୍ଡକୁ ପଠାଯାଇଛି । ଯେଉଁମାନେ ରାଗିଂର ଭିଡିଓ ସୁଟିଂ କରୁଥିଲେ, ସେମାନଙ୍କୁ ଚିହ୍ନଟ କରି କଲେଜରୁ ବିଦା କରାଯିବ ବୋଲି କହିଛନ୍ତି କଲେଜ ଅଧ୍ୟକ୍ଷା । ଏପଟେ କିଛି ଅଭିଯୁକ୍ତଙ୍କ ଅଭିଭାବକ, ସେମାନଙ୍କ ପିଲା ନିର୍ଦ୍ଦୋଷ ବୋଲି ଯୁକ୍ତି ବାଢ଼ିଛନ୍ତି । ରାଗିଂ ସାମନାକୁ ଆସିବା ପରେ କଲେଜର ଅନ୍ୟ ଛାତ୍ରଛାତ୍ରୀମାନେ ଏହାକୁ ନିନ୍ଦା କରିଥିବା ବେଳେ ଆଶଙ୍କା ଭିତରେ ଅଛନ୍ତି ନବାଗତ ।