ପୁଟିନଙ୍କ ଘାରିଛି କୋଭିଡ୍ ଭୟ: ଭୂତାଣୁ ଭୟରେ ବ୍ୟବହାର କରୁନାହାଁନ୍ତି ମୋବାଇଲ ଓ ଇଣ୍ଟରନେଟ୍

87

କନକ ବ୍ୟୁରୋ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ୍ଙ୍କୁ ଘାରିଛି କୋଭିଡ ଭୟ । ପୁଟିନ୍ ଭୁତାଣୁ ଭୟରେ ଏତେ ଭୟଭିତ ଯେ, କାଳେ କରୋନା ସଂକ୍ରମଣ ହୋଇଯିବ, ସେହି ଆଶଙ୍କାରେ ନା’ ମୋବାଇଲ ଫୋନ୍ ବ୍ୟବହାର କରୁଛନ୍ତି ନା’ ଇଂଟରନେଟ୍ ବ୍ୟବହାର କରୁଛନ୍ତି । ଅତି ଜରୁରୀ ପଡ଼ିଲେ ସେ, ଯେଉଁ ଜାଗାକୁ ଯାଉଛନ୍ତି, ସ୍ୱତନ୍ତ୍ର ଟ୍ରେନ୍ରେ ଯାଉଛନ୍ତି । କିମ୍ବା ସ୍ୱତନ୍ତ୍ର ବିମାନରେ ଯାଉଛନ୍ତି । ଏହି ଯାତ୍ରାକୁ ସଂପୂର୍ଣ୍ଣ ଭାବରେ ଗୁପ୍ତ ରଖାଯାଉଛି । ଲୋକଙ୍କ ସଂସ୍ପର୍ଶ ଠାରୁ ଦୂରେଇ ରହୁଛନ୍ତି ପୁଟିନ୍ । ରୁଷିଆର ଫେଡେରାଲ ଗାର୍ଡ ସର୍ଭିସର ପୂର୍ବତନ କ୍ୟାପଟେନ୍ ‘ଗ୍ଲେଭ୍ କାରାକୁଲୋଭ୍’ ଏଭଳି ଏକ ଚାଂଚଲ୍ୟକର ତଥ୍ୟ ସାମ୍ନାକୁ ଆଣିଛନ୍ତି । ହତ୍ୟା ଭୟ ଆଶଙ୍କା ଭିତରେ ଥିବା ପୁଟିନ୍ କୋଭିଡ୍ ସଂକ୍ରମଣକୁ ନେଇ ଏବେ ଆହୁରି ସଚେତନ ରହୁଛନ୍ତି । ନିଜ ବାସଭବନ ‘କଙ୍କର୍ସ’ରେ ଅଧିକାଂଶ ସମୟ ବିତାଉଥିବା ବେଳେ କୋଭିଡ୍ ଲକ୍୍ଡାଉନ୍ ଭଳି ଜୀବନ ବିତାଉଛନ୍ତି ।

ବର୍ତମାନ ସମୟରେ ପୁଟିନ୍ ହେଉଛନ୍ତି ଏଭଳି ଜଣେ ରାଷ୍ଟ୍ରପତି ଯିଏ ବିଶ୍ୱଠାରୁ କିମ୍ବା ବିଶ୍ୱନେତାଙ୍କଠାରୁ ସବୁଠୁ ଅଧିକ ଦୂରେଇ ରହୁଛନ୍ତି । ବଡ଼ କଥା ହେଉଛି, ଯେଉଁ ଅଧିକାରୀଙ୍କ ସହ ପୁଟିନ୍ କୌଣସି ବୈଠକ କିମ୍ବା ଆଲୋଚନା କରୁଛନ୍ତି । ଏହି ବୈଠକ କିମ୍ବା ଆଲୋଚନା ପୂର୍ବରୁ ସେହି ଅଧିକାରୀମାନଙ୍କୁ ଦୁଇ ସପ୍ତାହର କଡ଼ା କ୍ୱାରେଂଟିନ୍ରେ ରହିବାକୁ ପଡ଼ୁଛି । କିଛି ହାତ ଗଣତି ଅଧିକାରୀଙ୍କୁ ଚୟନ କରାଯାଉଛି, ସେମାନେ ଦୁଇ ସପ୍ତାହ ଯାଏଁ କ୍ୱରେଂଟିନ୍ରେ ରହିବା ପରେ ପୁଟିନ୍ଙ୍କ ସହ ବୈଠକ ସ୍ଥିର ହେଉଛି । ଏମିତି କି ମାତ୍ର ୧୦ରୁ ୨୦ ମିନିଟର ବୈଠକ ପାଇଁ ମଧ୍ୟ ଏହି ଦୁଇ ସପ୍ତାହ ବିଶିଷ୍ଟ କ୍ୱରେଂଟିନ୍ ବାଧ୍ୟତାମୂଳକ କରାଯାଉଛି । ଫୋନ ଓ ଇଂଟରନେଟଠାରୁ ଦୂରେଇ ରହୁଥିବାରୁ ସେ ଅନେକ ସମୟରେ ବିଶ୍ୱର ଅନେକ ଗୁରୁତ୍ୱପୂର୍ଣ୍ଣ ସୂଚନାଠାରୁ ସେ ଦୁରେଇ ରହୁଛନ୍ତି । ତେବେ ଅତିବିଶ୍ୱସ୍ତ ଲୋକଙ୍କ ସୂତରୁ ହିଁ ଖବର ସମ୍ପର୍କରେ ଅବଗତ ହେଉଛନ୍ତି ପୁଟିନ୍ । ଦୂରସ୍ଥାନକୁ ଯାତ୍ରା କରିବା ପାଇଁ ବ୍ୟକ୍ତିଗତ ଟ୍ରେନର ବ୍ୟବହାର କରୁଛନ୍ତି । ଯାହା ସର୍ବସାଧାରଣ ଲୋକଙ୍କଠାରୁ ଦୂରରେ ରହୁଛି ଏହି ଟ୍ରେନ୍ ଯାତ୍ରା । ସେହିଭଳି କେଉଁ ବିମାନରେ ସେ ଯାତ୍ରା କରୁଛନ୍ତି, ସେ ସମ୍ପର୍କରେ ମଧ୍ୟ ସୂଚନାକୁ ଗୁପ୍ତ ରଖାଯାଉଛି । ଏମିତି କି କଡ଼ା ସତର୍କତା ଭିତରେ ନିୟମିତ ବ୍ୟବଧାନରେ ସ୍ୱାସ୍ଥ୍ୟ ପରୀକ୍ଷାର ଯାଂଚ କରୁଛନ୍ତି ବୋଲି କହିଛନ୍ତି ଏଫ୍ଏସଓ’ର ଏହି ପୂର୍ବତନ ଅଧିକାରୀ ।

ପୁଟିନଙ୍କୁ କୋଭିଡ୍ ଭୟ
-ରୁଷ ରାଷ୍ଟ୍ରପତିଙ୍କୁ ଘାରିଛି କରୋନା ଭୟ
– ବ୍ୟବହାର କରୁନାହାଁନ୍ତି ମୋବାଇଲ୍ ଫୋନ୍
-ଇଂଟରନେଟ୍ଠାରୁ ଦୂରେଇ ରହୁଛନ୍ତି ପୁଟିନ୍
-ବ୍ୟକ୍ତିଗତ ଟ୍ରେନରେ କରୁଛନ୍ତି ଯାତ୍ରା
-ଯାତ୍ରା ସମ୍ପର୍କରେ ଗୁପ୍ତ ରଖାଯାଉଛି ସୂଚନା
-ବିମାନଯାତ୍ରାକୁ ଗୋପନୀୟ ରଖାଯାଉଛି
-ଅଧିକାଂଶ ସମୟ ନିଜ ଘରେ ରହୁଛନ୍ତି ପୁଟିନ୍
-ଲକ୍ଡାଉନ ଭଳି ଜୀବନ ବଂଚୁଛନ୍ତି ପୁଟିନ୍
-ନିୟମିତ ବ୍ୟବଧାନରେ କରୁଛନ୍ତି ସ୍ୱାସ୍ଥ୍ୟ ପରୀକ୍ଷା