ସମ୍ବଲପୁରରେ ଗିରିରାଜଙ୍କ ଗର୍ଜନ: ନବୀନଙ୍କୁ ସିଧାସଳଖ ଟାର୍ଗେଟ୍

113

କନକ ବ୍ୟୁରୋ: ଓଡିଶାରେ ବିଜେପି ନେତାଙ୍କ ଘନ ଘନ ଗସ୍ତ । ସମ୍ବଲପୁରରେ ରୋଡ୍ ସୋ ଓ ପଦଯାତ୍ରା କରି ଧର୍ମେନ୍ଦ୍ର ପ୍ରଧାନଙ୍କ ପାଇଁ ଭୋଟ୍ ମାଗିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ସେହିପରି ବାଲେଶ୍ୱରରେ ଲୋକସଭା ପ୍ରାର୍ଥୀ ପ୍ରତାପ ଷଡଙ୍ଗୀ ଓ ଅନ୍ୟ ପ୍ରାର୍ଥୀଙ୍କ ପାଇଁ ମାରାଥନ ପ୍ରଚାର କରିଛନ୍ତି କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ । ଆଉ ବିଜେଡିର ଗଡ ଚମ୍ପୁଆ, ତେଲକୋଇରେ ପ୍ରଚାର ମଇଦାନକୁ ଓହ୍ଲାଇଛନ୍ତି ରାମାୟଣର ରାମ ଅରୁଣ ଗୋଭିଲ ।

ଓଡିଶାକୁ ବିଜେପି ନେତାଙ୍କ ଘନ ଘନ ଗସ୍ତ । ସମ୍ବଲପୁରରେ କେନ୍ଦ୍ରମନ୍ତ୍ରୀ ଗିରିରାଜ ସିଂଙ୍କ ନିର୍ବାଚନୀ ପ୍ରଚାର । ନିଜର ହିନ୍ଦୁତ୍ୱ ଏଜେଣ୍ଡା ଓ ରୋକଠୋକ କଥା ପାଇଁ ସବୁବେଳେ ଚର୍ଚ୍ଚାରେ ରହୁଥିବା ବିଜେପିର ଏହି ନେତା ଆଜି ସମ୍ବଲପୁରରେ ରୋଡ ଶୋ ଓ ପଦଯାତ୍ରା କରି ଧର୍ମେନ୍ଦ୍ର ପ୍ରଧାନଙ୍କ ପାଇଁ ଭୋଟ ମାଗିଛନ୍ତି । ଗତବର୍ଷ ହନୁମାନ ଜୟନ୍ତୀରେ ସମ୍ବଲପୁରର ଯେଉଁ ଅଂଚଳରେ ହିଂସା ହୋଇଥିଲା ଠିକ୍ ସେହି ସ୍ଥାନରେ ପଦଯାତ୍ରା ହୋଇଥିବାରୁ ବ୍ୟାପକ ପୁଲିସ ଫୋର୍ସ ମୁତୟନ ହୋଇଥିଲେ । ସମ୍ବଲପୁରରୁ ଗିରିରାଜ ଗର୍ଜନ କରି ରାଜ୍ୟ ସରକାର ଓ ବିଜେଡି ଉପରେ ବର୍ଷିଥିଲେ । କହିଥିଲେ, ଏଥର ସରକାର ବଦଳିବ, ବିଜେପି ସରକାର ଗଢିବ । ଓଡିଶାରେ ଓଡିଆ ପୁଅ ମୁଖ୍ୟମନ୍ତ୍ରୀ ହେବା ଦରକାର ବୋଲି କହିଛନ୍ତି ଗିରିରାଜ

ରାମାୟଣ ଧାରାବାହିକରେ ରାମ ଚରିତ୍ରରେ ଅଭିନୟ କରି ସାରା ଦେଶରେ ପରିଚିତ ପାଇଥିବା ଅରୁଣ ଗୋଭିଲ ବି ଓଡିଶାରେ ମାରାଥନ ପ୍ରଚାର କରିଛନ୍ତି । ବିଜେଡିର ଗଡ ଚମ୍ପୁଆ, ତେଲକୋଇରେ ପ୍ରଚାର କରିଥିଲେ ରାମାୟଣର ରାମ । ଚମ୍ପୁଆରେ ଅରୁଣ ଗୋଭିଲଙ୍କୁ ପାଦଧୋଇ ସ୍ୱାଗତ କରାଯାଇଥିଲା । ହଳଦୀ ପାଣିରେ ପାଦ ଧୋଇ ତାଙ୍କୁ ପୂଜା କରିଛନ୍ତି ସ୍ଥାନୀୟ ଲୋକେ । ପରଦାର ରାମଙ୍କୁ ପାଦଛୁଇଁ ମୁଣ୍ଡିଆ ମାରି ଫୁଲମାଳ ପିନ୍ଧାଇ ସ୍ୱାଗତ କରାଯାଇଥିଲା । ରାମମନ୍ଦିର ନିର୍ମାଣ ପାଇଁ ଅରୁଣ ଗୋଭିଲ ବିଜେପି ଓ ମୋଦିଙ୍କୁ ଶ୍ରେୟ ଦେଇଛନ୍ତି । ଢେଙ୍କନାଳରେ ଅରୁଣ ଗୋଭିଲ ରୋଡ ସୋ ବି କରିଥିଲେ ।

ବାଲେଶ୍ୱରରେ ବିଜେପି ଲୋକସଭା ପ୍ରାର୍ଥୀ ପ୍ରତାପ ଷଡଙ୍ଗୀ ଓ ଅନ୍ୟ ପ୍ରାର୍ଥୀଙ୍କ ପାଇଁ ମାରାଥନ ପ୍ରଚାର କରିଛନ୍ତି କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ । ସକାଳେ ବାଲେଶ୍ୱର ସହରର ବିଭିନ୍ନ ୱାର୍ଡରେ ଚାଲି ଚାଲି ପ୍ରଚାର କରିଥିଲେ କେନ୍ଦ୍ରମନ୍ତ୍ରୀ । ମନ୍ତ୍ରୀଙ୍କୁ ବନ୍ଦପନା କରି ଲୋକେ ସ୍ୱାଗତ କରିଥିଲେ । ମନ୍ତ୍ରୀ କହିଛନ୍ତି ବିଜେପିର ଫୋକସରେ ଓଡିଶା ଅଛି । ଓଡିଶାରେ ବି ସରକାର ପରିବର୍ତ୍ତନ ହେବ । ସେହିଭଳି ଜଳେଶ୍ୱର କମର୍ଦ୍ଦାରେ ବି ପ୍ରଚାର କରିଛନ୍ତି ରେଳମନ୍ତ୍ରୀ ଆଗକୁ ମୋଦି, ଶାହଙ୍କ ଭଳି ନେତା ଓଡିଶାକୁ ଆସୁଥିବାରୁ ପ୍ରଚାର ଆହୁରି ସରଗରମ ହେବ ବୋଲି ଆଶା କରାଯାଉଛି ।