କିଏ ଜିତିବ କେତେ ଆସନ, ନେତା କରୁଛନ୍ତି ଆକଳନ । ବିଜେପିର ଦମ୍ଭୋକ୍ତି, ଏଥର ସରକାର ଗଢ଼ିବ ଦଳ । ପାଣ୍ଡିଆନଙ୍କ ଦାବି, ଏଥର ୨୦୧୯ ଅପେକ୍ଷା ଅଧିକ ଆସନ ହାସଲ କରିବ ବିଜେଡି

112

କନକ ବ୍ୟୁରୋ: ରାଜ୍ୟରେ ଦୁଇଟି ପର୍ଯ୍ୟାୟ ନିର୍ବାଚନ ଶେଷ ହୋଇଛି । ଦୁଇଟି ପର୍ଯ୍ୟାୟରେ ୬୩ଟି ବିଧାନସଭା ଆସନରେ ନୂଆ ନେତା ବାଛିଛନ୍ତି ଭୋଟର । କିନ୍ତୁ ଜନତା କାହାକୁ ସେମାନଙ୍କ ନେତା ବାଛିଛନ୍ତି, ତାହା କାହାକୁ ଜଣାନାହିଁ । ଇଭିଏମରେ ନେତାଙ୍କ ଭାଗ୍ୟ ସିଲ୍ ହୋଇ ରହିଛି । ହେଲେ, ଏହାରି ଭିତରେ କିଏ ସରକାର ଗଢ଼ିବ? କାହାକୁ କେତେ ଆସନ ମିଳିବ? ସେ ନେଇ ଦାବି କରିବାରେ ଲାଗିଛନ୍ତି ପ୍ରମୁଖ ରାଜନୈତିକ ଦଳର ନେତା ।

  • ସରକାର ଗଠନ କରିବ କିଏ?
  • କିଏ ଜିତିବ କେତେ ଆସନ?
  • କ’ଣ ରହିଛି ନେତାଙ୍କ ଆକଳନ?

ପ୍ରଥମ ଓ ଦ୍ୱିତୀୟ ପର୍ଯ୍ୟାୟରେ ୯ଟି ଲୋକସଭା ଓ ୬୩ଟି ବିଧାନସଭା ଆସନରେ ଭୋଟ ସରିଛି । ପରବର୍ତ୍ତୀ ଦୁଇଟି ପର୍ଯ୍ୟାୟରେ ଆହୁରି ୧୨ଟି ଲୋକସଭା ଓ ୮୪ଟି ବିଧାନସଭା ଆସନ ପାଇଁ ମତଦାନ ବାକି ଅଛି । କିନ୍ତୁ ଏବେଠାରୁ କିଏ ସରକାର ଗଢିବ ସେ ନେଇ ଦାବି କରିବାରେ ଲାଗିଛନ୍ତି ରାଜ୍ୟର ପ୍ରମୁଖ ରାଜନୈତିକ ଦଳ । ଓଡିଶାରେ ବିଜେପି ସରକାର ଗଢ଼ିବ ବୋଲି ପ୍ରଧାନମନ୍ତ୍ରୀ ମଞ୍ଚ ଉପରୁ କହିବା ପରେ ବିଜେପି ବାରମ୍ବାର ସେହି ଦାବିକୁ ଦୋହରାଇ ଚାଲିଛି । ଏପଟେ ବିଜେଡି ନେତା ଭି.କେ ପାଣ୍ଡିଆନ ସାମ୍ବାଦିକ ସମ୍ମିଳନୀ କରି ସମାନ ଦାବି ଦୋହରାଇଛନ୍ତି । ୨୦୧୯ ନିର୍ବାଚନ ଅପେକ୍ଷା ଏଥର ବିଜେଡି ଅଧିକ ଆସନ ପାଇ ରେକର୍ଡ କରିବ ବୋଲି କହିଛନ୍ତିି ପାଣ୍ଡିଆନ ।

ଅନ୍ୟପଟେ ବିଜେପି ମଧ୍ୟ ସରକାର ଗଢ଼ିବ ବୋଲି ଦୋହରାଇ ଆସୁଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଠାରୁ ଆରମ୍ଭ କରି ଗୃହମନ୍ତ୍ରୀ ଅମିତ ଶାହା, ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ଓ ଅନ୍ୟ ଶୀର୍ଷ ନେତୃତ୍ୱ ଓଡିଶାରେ ବିଜେପି ସରକାର ହେବ ବୋଲି ବାରମ୍ବାର କହୁଛନ୍ତି । ଶେଷ ହୋଇଥିବା ୯ଟି ଯାକ ଲୋକସଭା ଆସନ ଓ ୬୩ ବିଧାନସଭା ଆସନରୁ ୪୫ଟି ଜିତିବ ବୋଲି କହିଛନ୍ତି ରାଜ୍ୟ ବିଜେପି ପ୍ରଭାରୀ ବିଜୟ ପାଲ ସିଂହ ତୋମାର ।

ସୂଚନାଯୋଗ୍ୟ ଯେ, ଅଧାରୁ ଅଧିକ ଆସନରେ ଭୋଟ ହୋଇନଥିବାବେଳେ, ରାଜନୈତିକ ଦଳଙ୍କ ଏହି ଦାବିକୁ ନେଇ ଭିନ୍ନ ମତ ରଖିଛନ୍ତି ରାଜନୀତି ସମୀକ୍ଷକ । ନିଜ ସପକ୍ଷରେ ଜନମତ ସୃଷ୍ଟି ଲାଗି ରାଜନୈତିକ ଦଳମାନଙ୍କର ଏହା ଏକ ସ୍ୱତନ୍ତ୍ର ରଣନୀତି ବୋଲି କହିଛନ୍ତି । ତେବେ ରାଜନୈତିକ ଦଳର ଏହି ଷ୍ଟ୍ରାଟେଜୀ କେତେ କାମ କରୁଛି, ତାହା ଜୁନ ୪ ପରେ ସ୍ପଷ୍ଟ ହେବ ।