ଆୟରେ ଉପରକୁ ଉଠିଲା ବିଜେଡି । ଜାଣନ୍ତୁ ଆଞ୍ଚଳିକ ଦଳ ଭାବେ କେଉଁ ଦଳ ପାଖରେ ଅଛି କେତେ ଟଙ୍କା?

171

କନକ ବ୍ୟୁରୋ : ଆସିଲା ଏଡିଆର ରିପୋର୍ଟ । ଏଡିଆର ରିପୋର୍ଟ ଅନୁଯାୟୀ, ଦେଶର ୩୬ଟି ଆଞ୍ଚଳିକ ଦଳର ମୋଟ ଆୟର ପରିମାଣ ୧୨୧୩.୧୩୨ କୋଟି ଥିବା ବେଳେ ବିଜେଡିର ଆୟ ରହିଛି ୩୦୭.୨୮୮ କୋଟି । ଗତବର୍ଷ ତୁଳନାରେ ବିଜେଡିର ଆୟରେ ୩୧୮.୯୫% ବୃଦ୍ଧି ପାଇଛି । ସେହିଭଳି ଆୟରେ ସବୁଠାରୁ ଆଗରେ ରହିଛି ଡିଏମକେ । ଡିଏମକେର ଆୟ ୩୧୮.୭୪୫ କୋଟି ରହିଛି । ତେବେ ବିଜେଡି ଏହି ତାଲିକାରେ ତୃତୀୟରୁ ଦ୍ୱିତୀୟ ସ୍ଥାନକୁ ଉଠିଛି । ତେବେ ଦ୍ୱିତୀୟ ସ୍ଥାନରେ ଥିବା ୱାଇଏସଆର କଂଗ୍ରେସ ଦ୍ୱିତୀୟ ସ୍ଥାନରୁ ଖସି ଚତୁର୍ଥ ସ୍ଥାନରେ ପହଞ୍ଚିଛି ।

୨୦୨୧-୨୨ରେ ୱାଇଏସଆର କଂଗ୍ରେସର ଆୟରେ ସର୍ବାଧିକ ଅବନତି ଦେଖିବାକୁ ମିଳିଛି । ଗତବର୍ଷ ୱାଇଏସଆର କଂଗ୍ରେସର ଆୟ ୧୦୭.୯୯ କୋଟି ଥିବା ବେଳେ ୨୦୨୧-୨୨ରେ ଏହା ୯୩.୭୨୪ କୋଟିକୁ ଖସିଆସିଛି । ସେହିଭଳି ଆରଜେଡି ଓ ଏଆଇଏଡିଏମକେ ଯଥାକ୍ରମେ ଦ୍ୱିତୀୟ ଓ ତୃତୀୟ ସ୍ଥାନରେ ରହିଛନ୍ତି ।

ସେହିଭଳି ଆୟ ତୁଳନାରେ ବ୍ୟୟର ହିସାବ ଯଦି ଦେଖିବେ ତେବେ ବିଜେଡି ଏହି ତାଲିକାର ଚତୁର୍ଥ ସ୍ଥାନରେ ରହିଛି । ବିଜେଡି ଘୋଷିତ ଆୟରୁ ମାତ୍ର ୨୩.୦୪ କୋଟି ଟଙ୍କା ଖର୍ଚ୍ଚ କରିଛି । ତେବେ ସମାଜବାଦୀ ପାର୍ଟି ସର୍ବାଧିକ ବ୍ୟୟ କରିଛି । ସମାଜବାଦୀ ପାର୍ଟି ଘୋଷିତ ଆୟରୁ ୩୬.୨୨୬ କୋଟି ଟଙ୍କା ଖର୍ଚ୍ଚ କରିଛି । ତେବେ ବିଜେଡି ଯେଉଁ ଆୟ କରିଛି ସେଥିରୁ ୨୯୧ କୋଟି ଇଲୋକଟୋରାଲ ବଣ୍ଡ ଜରିଆରେ ଆସିଛି । ଯାହା ଘୋଷିତ ଆୟର ପ୍ରାୟ ୯୫ ପ୍ରତିଶତ । ଇଲୋକଟୋରାଲ ବଣ୍ଡ ଜରିଆରେ ଡିଏମକେ ସର୍ବାଧିକ ଟଙ୍କା ପାଇଛି । ଡିଏମକେ ଇଲୋକଟୋରାଲ ବଣ୍ଡ ଜରିଆରେ ଘୋଷିତ ଆୟରୁ ୩୦୬ କୋଟି ଟଙ୍କା ପାଇଛି । ସେହିଭଳି ଡୋନେସନ ବାବଦକୁ ବିଜେଡି ଟଙ୍କାଟିଏ ପାଇନି । ତେବେ ଅନ୍ୟ ସୂତ୍ରରୂ ୧୬.୨୮୮ କୋଟି ଟଙ୍କା ଆୟ କରିଛି ବିଜେଡି ।