ଯେବେ ବିଜେପିର ଲକ୍ଷ୍ମଣଙ୍କ ଦେହରେ ବାଜିଥିଲା ଗୁଳି । ସୋନିଆ ଗାନ୍ଧୀ ଯୋଗାଡ କରିଥିଲେ ବିମାନ, ଦେଖା କରିବାକୁ ଯାଇଥିଲେ ବାଜପେୟୀ

757

କନକ ବ୍ୟୁରୋ : ୨୨ ଏପ୍ରିଲ ୨୦୦୬, ଏହି ତାରିଖରେ ବିଜେପି ନେତା ପ୍ରମୋଦ ମହାଜନଙ୍କୁ ତାଙ୍କ ସାନ ଭାଇ ପ୍ରବୀଣ ମହାଜନ ଗୁଳି ମାରିଥିଲେ । ଗୋଟିଏ କି ଦୁଇଟି ନୁହେଁ ପ୍ରବୀଣ ମହାଜନ ପ୍ରମୋଦଙ୍କ ଉପରକୁ ୩ରାଉଣ୍ଡ ଗୁଳି ଚଳାଇଥିଲେ । ପ୍ରମୋଦ ମହାଜନ ମୁମ୍ବାଇ ସ୍ଥିତ ଘରେ ଥିବା ବେଳେ ପ୍ରବୀଣ ତାଙ୍କ ଉପରକୁ ଗୁଳି ଚଳାଇଥିଲେ । ତୁରନ୍ତ ପ୍ରମୋଦଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ହେଲେ ପ୍ରମୋଦ ମହାଜନଙ୍କ ଉପରେ ଗୁଳି ମରାଯାଇଥିବା ଖବରକୁ କେହି ସହଜରେ ବିଶ୍ୱାସ କରିନଥିଲେ । ପ୍ରମୋଦ ମହାଜନଙ୍କୁ ହିନ୍ଦୁଜା ହସ୍ପିଟାଲରେ ଭର୍ତ୍ତି କରାଯିବା ପରେ ରାଜନେତା, ବଲିଉଡ ଓ କର୍ପୋରେଟ ହାଉସରୁ ଶହ ଶହ ଲୋକ ତାଙ୍କୁ ଦେଖିବାକୁ ହସ୍ପିଟାଲ ବାହାରେ ଭିଡ ଜମାଇଥିଲେ । ସେପଟେ ବିଜେପି ନେତା ଲାଲକୃଷ୍ଣ ଆଡଭାନୀ ଓ ସେତେବେଳର ବିଜେପି ଅଧ୍ୟକ୍ଷ ରାଜନାଥ ସିଂ ନିଜର କାର୍ଯ୍ୟକ୍ରମ ବାତିଲ କରି ହିନ୍ଦୁଜା ହସ୍ପିଟାଲରେ ପହଂଚିଥିଲେ ।

ପ୍ରମୋଦ ମହାଜନ ବିଜେପିର ଜଣେ ବରିଷ୍ଠ ନେତା ଥିଲେ । ଏହାସହ ଅଟଳ ବିହାରୀ ବାଜପେୟୀଙ୍କ ସହ ତାଙ୍କର ଘନିଷ୍ଠ ସଂପର୍କ ମଧ୍ୟ ଥିଲା । ବାଜପେୟୀ ଏହି ଖବର ପାଇବା ପରେ ମର୍ମାହତ ହୋଇପଡିଥିଲେ । ହେଲେ ପିଠିରେ ଦରଜ କାରଣରୁ ସେ ବିଶ୍ରାମ ନେଉଥିଲେ ବି ଏହି ଖବର ପାଇଁ ସେ ସ୍ଥିର ହୋଇପାରି ନଥିଲେ । ପ୍ରମୋଦ ମହାଜନ ବିଜେପିର ସେହି ନେତା ଥିଲେ ଯାହାଙ୍କୁ ତାଙ୍କ ମୃତ୍ୟୁର କିଛିମାସ ପୂର୍ବରୁ ବାଜପେୟୀ ବିଜେପିର ଲକ୍ଷ୍ମଣ ବୋଲି କହିଥିଲେ ।

ଅଟଳ ବିହାରୀ ବାଜପେୟୀ ହିନ୍ଦୁଜା ହସ୍ପିଟାଲ ଯିବାକୁ ସ୍ଥିର କରିଥିଲେ । ହେଲେ ଅସୁସ୍ଥତା କାରଣରୁ ସେ କାରରେ ଯିବା ସମ୍ଭବ ନଥିଲା । ଏନେଇ ସେ ସୋନିଆ ଗାନ୍ଧୀଙ୍କୁ ଜଣାଇବା ପରେ ସୋନିଆ ଗାନ୍ଧୀ ସେତେବେଳର ଉପ ରାଷ୍ଟ୍ରପତି ଭୈରବସିଂ ଶେଖାୱତଙ୍କ ବିମାନ ଯୋଗାଡ କରିଦେଇଥିଲେ । ଯେତେବେଳେ ବାଜପେୟୀ ହସ୍ପିଟାଲରେ ପହଂଚିଲେ ସେତେବେଳେ ହସ୍ପିଟାଲ ବାହାରର ଦୃଶ୍ୟ କିଛି ନିଆରା ଥିଲା । ସେଠାରେ ପ୍ରମୋଦ ମହାଜନଙ୍କ ଝିଅ ପୁନମ୍ ମହାଜନ ଓ ପୁଅ ରାହୁଲ ମହାଜନ ବାଜପେୟୀଙ୍କ ପାଦଛୁଇଁ ଆର୍ଶିବାଦ ନେଇଥିଲେ । ଏହାସହ ମେଡିକାଲ ପରିସର ବାହାରେ ସୁଷମା ସ୍ୱରାଜ, ଅରୁଣ ଜେଟଲୀଙ୍କ ସମେତ ଦଳର ଅନେକ ବରିଷ୍ଠ ନେତା ଉପସ୍ଥିତ ଥିଲେ ।

ଯଦି ଭାରତୀୟ ରାଜନୀତି ବାବଦରେ ଆଲୋଚନା କରିବା ତେବେ ପ୍ରମୋଦ ମହାଜନ ଭାରତୀୟ ରାଜନୀତିକୁ ଠିକ୍ ଭାବେ ଦେଖିପାରୁଥିଲେ । ସେ ଜଣେ ସୁବକ୍ତା ମଧ୍ୟ ଥିଲେ । ସେ ବିଜେପି ପାଇଁ ସଂକଟ ମୋଚକ ଥିଲେ ।