କଂଗ୍ରେସ ନେତାଙ୍କ ‘ନିଆଁ ଲଗା’ ବୟାନ ପରେ ଟାର୍ଗେଟରେ ସୋନିଆ । ବିଜେପି କହିଲା, ଦିଲ୍ଲୀରୁ ନିର୍ଦ୍ଦେଶ ପାଇ ହିଂସା ପାଇଁ ଉସୁକାଉଥିଲେ ପ୍ରଦୀପ ମାଝୀ । ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚା ପରେ ଦୂରେଇ ଗଲା ପିସିସି

ସ୍ୱର ବଦଳାଇ ପ୍ରଦୀପ କହିଲେ ଜାରି ରହିବ ଶାନ୍ତିପୂର୍ଣ୍ଣ ଆନ୍ଦୋଳନ

554

କନକ ବ୍ୟୁରୋ: ଦିଲ୍ଲୀରେ ବୋହୁଛି ନବରଙ୍ଗପୁରର ଝଡ । ପୂର୍ବତନ ସାଂସଦ ପ୍ରଦୀପ ମାଝୀଙ୍କ ନିଆଁ ଲଗା ବୟାନ ଜାତୀୟ ଗଣମାଧ୍ୟମର ଶିରୋନାମା ପାଲଟିଛି । ହିଂସା ପ୍ରସଙ୍ଗରେ ବାରମ୍ବାର କଂଗ୍ରେସକୁ ଟାର୍ଗେଟ କରୁଥିବା ବିଜେପିକୁ ପ୍ରଦୀପ ମାଝୀ ରଖିଥିବା ବୟାନ ଏକ ସୁଯୋଗ ଆଣିଦେଇଛି । ବିଜେପି ଅଭିଯୋଗ କରିଛି, ଦିଲ୍ଲୀରୁ ଇସାରା ପାଇ ହିଂସା ପାଇଁ ଉସୁକାଉଥିଲେ ପ୍ରଦୀପ ମାଝୀ । ଏପଟେ ଜାତୀୟ ଗଣମାଧ୍ୟମରେ ଘନ ଘନ ଖବର ପ୍ରସାରଣ ପରେ ପ୍ରଦୀପ ମାଝୀଙ୍କ ବୟାନ ଠାରୁ ନିଜକୁ ଦୁରେଇ ରଖିଛି ପ୍ରଦେଶ କଂଗ୍ରେସ କମିଟି । ଏହାରି ଭିତରେ ପୋଲିସ ନିଜ ଆଡୁ ପ୍ରଦୀପ ମାଝୀଙ୍କ ବିରୋଧରେ ୯ଟି ସଙ୍ଗିନ ମାମଲା ରୁଜୁ କରିଛି ।

ପ୍ରଦୀପ ମାଝୀଙ୍କ ବୟାନକୁ ନେଇ ଜାତୀୟ ଗଣମାଧ୍ୟରେ ଝଡ । ଲୋକପ୍ରିୟ ହିନ୍ଦି ନ୍ୟୁଜ ଚ୍ୟାନେଲ ଆଜତକ ଏହି ଖବରକୁ ପ୍ରକାଶ କରି ଲେଖିଛି- କଂଗ୍ରେସ ନେତା କହିଲେ ପେଟ୍ରୋଲ, ଡିଜେଲ ପ୍ରସ୍ତୁତ ରଖ । ନିର୍ଦ୍ଦେଶ ମିଳିଲେ ସବୁକିଛି ଜାଳିଦେବ । ସେହିଭଳି ଇଂରାଜୀ ଖବରକାଗଜ ଫାଇନାନସିଆଲ ଏକ୍ସପ୍ରେସ ମଧ୍ୟ ସମାନ ଶିରୋନାମାରେ ଖବର ପ୍ରକାଶ କରିଛି । ଆଉଏକ ପ୍ରମୁଖ ଜାତୀୟ ଗଣମାଧ୍ୟମ ଜି-ନ୍ୟୁଜ ମଧ୍ୟ ପ୍ରଦୀପ ମାଝୀଙ୍କ ବିବାଦୀୟ ବୟାନର ଭିଡିଓକୁ ସ୍ଥାନିତ କରିଛି । ତେବେ ଚର୍ଚ୍ଚା ଏଇଥିପାଇଁ ଯେ, ପ୍ରଦୀପ ମାଝୀଙ୍କ ବିବାଦୀୟ ବୟାନକୁ ନେଇ ଟ୍ୱିଟ କରିଛନ୍ତି ବିଜେପି ଆଇଟି ସେଲ ମୁଖ୍ୟ ଅମିତ ମାଲବ୍ୟ । ଏହାକୁ ସେ ସିଏଏ ପ୍ରତିବାଦରେ ଜଳୁଥିବା ନିଆଁ ସହ ଯୋଡି ସୋନିଆ ଗାନ୍ଧୀଙ୍କୁ ମଧ୍ୟ ଟାର୍ଗେଟ କରିଛନ୍ତି । ସୋନିଆ ଦେଶବାସୀଙ୍କୁ ସମ୍ବୋଧନ କଲାବେଳେ ଶାନ୍ତି ପାଇଁ ଅପିଲ କରିନଥିଲେ, କାରଣ ଏହାଦ୍ୱାରା କ୍ୟାଡର ଦ୍ୱନ୍ଦ୍ୱରେ ପଡିଯାଇଥାନ୍ତେ ବୋଲି ସେ କଟାକ୍ଷ କରିଛନ୍ତି ।

ଜଣେ ନାବାଳିକାଙ୍କୁ ଦୁଷ୍କର୍ମ ଓ ହତ୍ୟା ପ୍ରତିବାଦରେ ନବରଙ୍ଗପୁର ବନ୍ଦ ଡାକରା ଦିଆଯାଇଥିଲା । ଗୋଟିଏ ପଟେ ପ୍ରଶାସନର ରହସ୍ୟମୟ ନିଷ୍କ୍ରିୟତା ପ୍ରତିବାଦରେ ନବରଙ୍ଗପୁରରେ ନିଆଁ ଜଳୁଥିଲା । ଏପଟେ ଭାଇରାଲ ହୋଇଥିଲା ପୂର୍ବତନ କଂଗ୍ରେସ ସାଂସଦ ପ୍ରଦୀପ ମାଝୀଙ୍କ ବିବାଦୀୟ ବୟାନର ଭିଡିଓ । ଭିଡିଓରେ ଜଣେ ସମର୍ଥକଙ୍କୁ ଡିଜେଲ ଓ ପେଟ୍ରୋଲ ପ୍ରସ୍ତୁତ ରଖିବାକୁ କହୁଥିଲେ ପ୍ରଦୀପ । ଏବଂ ନିର୍ଦ୍ଦେଶ ଆସିଲେ ନିଆଁ ଲଗାଇବାକୁ ପରାମର୍ଶ ବି ଦେଇଥିଲେ । ଭିଡିଓକୁ ନେଇ ତମ୍ବିତୋଫାନ ପରେ ଦଳ ଏଥିରୁ ନିଜକୁ ଦୂରେଇ ନେଇଛି । ସେପଟେ ପ୍ରଦୀପ ମାଝୀ ମଧ୍ୟ ସଫେଇ ରଖିଛନ୍ତି ।

 

ସାରା ଦେଶରେ ମୋଦି ସରକାରଙ୍କ ନାଗରିକତା ସଂଶୋଧନ ଆଇନ ପ୍ରତିବାଦରେ ଆନ୍ଦୋଳନ ହେଉଛି । କଂଗ୍ରେସ ଇସାରାରରେ ଆନ୍ଦୋଳନ ହିଂସାତ୍ମକ ରୁପ ନେଉଥିବା ଅଭିଯୋଗ ବାଢୁଛି ବିଜେପି । ଆଉ ଏହାରି ଭିତରେ କଂଗ୍ରେସର ପୂର୍ବତନ ସାଂସଦଙ୍କ ହିଂସାକୁ ଉସୁକାଇଲା ଭଳି ବୟାନ ସାମ୍ନାକୁ ଆସିଛି । ଯାହାକୁ ଅସ୍ତ୍ର କରି କଂଗ୍ରେସର ଆଭିମୁଖ୍ୟ ଓ ମୁଖିଆ ସୋନିଆ ଗାନ୍ଧୀଙ୍କ ଭୂମିକା ଉପରେ ବି ପ୍ରଶ୍ନ ଉଠାଇଛି ବିଜେପି ।

ନବରଙ୍ଗପୁର ନାବାଳିକା ଗଣଦୁଷ୍କର୍ମ ଓ ହତ୍ୟା ଘଟଣାକୁ ନେଇ ଏତେ ତମ୍ବି ତୋଫାନ, ପୋଡ଼ାଜଳା, ପ୍ରକୃତରେ କ’ଣ ରହିଛି ସ୍ଥିତି, ଜାଣିବା ପାଇଁ କୋଷାଗୁମୁଡ଼ା ବ୍ଲକର ଗୁମଣ୍ଡଳୀ ଗାଁରେ ପୀଡ଼ିତାଙ୍କ ପରିବାରକୁ ଭେଟିଛି କନକ ନ୍ୟୁଜ୍ ଟିମ୍ । ୧୪ ଦିନ ବିତିଗଲାଣି, ପରିବାର ଆଖିରୁ ଲୁହ ଶୁଖୁନି । ହେଲେ ଚୁପ୍ ବସିଛି ପୋଲିସ । ପୋଷ୍ଟମର୍ଟମ ରିପୋର୍ଟ କୁଆଡ଼େ ଗଲା ବୋଲି ପଚାରୁଛନ୍ତି ପରିବାର ଲୋକ । ପରିବାର ଲୋକଙ୍କ ଅଭିଯୋଗ, ଝିଅକୁ ଗଣଦୁଷ୍କର୍ମ ଓ ହତ୍ୟା କରାଯାଇଥିବା ନେଇ ଥାନାରେ ଲିଖିତ ଅଭିଯୋଗ କରାଯାଇଥିଲେ ବି ଏପର୍ଯ୍ୟନ୍ତ ପୋଷ୍ଟମର୍ଟମ ରିପୋର୍ଟ ଦାଖଲ କରିପାରିନାହିଁ ପୋଲିସ । ପୀଡ଼ିତାକୁ ନ୍ୟାୟ ଦେବା ପାଇଁ ଲଢ଼େଇ କରୁଥିବା ପ୍ରଦୀପ ମାଝୀଙ୍କ ନାଁରେ ପୋଲିସ ମାମଲା ଦାୟର କରିଥିବାରୁ, ସେମାନଙ୍କ ପାଇଁ କିଏ ଛିଡ଼ା ହେବ ବୋଲି ପ୍ରଶ୍ନ କରିଛନ୍ତି ପରିବାର ।