କାମ ମାଳିର କିନ୍ତୁ ସମ୍ପତି କୋଟିପତିର…ଉଦଳା ଉଦ୍ୟାନ ବିଭାଗର କର୍ମଚାରୀ ଉଦ୍ଧବ ବେହେରାଙ୍କ ଘରେ ଭିଜିଲାନ୍ସର ରେଡ୍…୨ କୋଟିରୁ ଅଧିକ ଟଙ୍କାର ସଂପତି ଜବତ

ଜଣେ ମାଳି କେମିତି ବନିଲେ କୋଟିପତି ଏବେ ସେହି ପ୍ରଶ୍ନର ଉତ୍ତର ଖୋଜୁଛି ଭିଜଲାନ୍ସ

1,626

କନକ ବ୍ୟୁରୋ: କାମ ମାଳିର କିନ୍ତୁ ସମ୍ପତି କୋଟିପତିର । ଇଏ ଏମିତି ଜଣେ କୋଟିପତିଙ୍କ କାହାଣୀ ଯାହାକୁ ଜାଣିବା ପରେ ଆପଣ ବି ତାଜୁବ ହୋଇଯିବେ । ଉଦଳା ଉଦ୍ୟାନ ବିଭାଗ ଖୁଂଟା ବ୍ଲକରେ ମାଳି ଭାବେ କାମ କରୁଥିବା ଉଦ୍ଧବ ବେହେରାଙ୍କ ନିକଟରୁ ୨କୋଟିରୁ ଅଧିକ ଟଙ୍କାର ସମ୍ପତି ଜବତ କରିଛି ଭିଜଲାନ୍ସ । ୨୪ବର୍ଷର ଚାକିରି ଭିତରେ ଜଣେ ମାଳି କେମିତି ବନିଲେ କୋଟିପତି ଏବେ ତାର ଖିଅ ଖୋଜୁଛି ଭିଜଲାନ୍ସ ।

ନାଁ-ଉଦ୍ଧବ ବେହେରା । କାମ-ଉଦ୍ୟାନ ବିଭାଗ ମାଳି । ମାସିକ ଦରମା-୩୫ହଜାର ଟଙ୍କା । ଉଦଳା ଉଦ୍ୟାନ ବିଭାଗ ଖୁଂଟା ବ୍ଲକରେ ମାଳି ଭାବେ କାମ କରୁଥିବା ଏହି ବ୍ୟକ୍ତି ଜଣଙ୍କ ହେଉଛନ୍ତି ଜଣେ କୋଟିପତି ମାଳି । ଚତୁର୍ଥ ଶ୍ରେଣୀ କର୍ମଚାରୀ ଉଦ୍ଧବ ବେହେରା ୧୯୯୫ ମସିହାରୁ ଚାକିରି ଆରମ୍ଭ କରିଥିଲେ । ୨୪ବର୍ଷର ଚାକିରି । ଆଉ ମାସକୁ ଦରମା ହେଲା ୩୫ ହଜାର ଟଙ୍କା । ହେଲେ ଭିଜଲାନ୍ସ ଚଢାଉ ବେଳେ ଜବତ ହୋଇଛି ୨କୋଟିରୁ ଅଧିକ ଟଙ୍କାର ସମ୍ପତି ଆଉ ଏହା ଭିତରେ ରହିଛି ବଡାମପଦାର ତିନି ମହଲା ବିଶିଷ୍ଟ ଆଲିସାନ କୋଠାଘର ଏବଂ କପ୍ତିପଦାର ବହୁ ଏକର ଫାର୍ମ ହାଉସ ।

ଉଦ୍ଧବଙ୍କ କପ୍ତିପଦା ବ୍ଲକ ସ୍ଥିତ ବଡାମପଦା ଗାଁ, ନୁଦଡିହା ସ୍ଥିତ ଶ୍ୱଶୁର ଘର, କପ୍ତିପଦା ସ୍ଥିତ ଫାର୍ମହାଉସ ଏବଂ ଉଦଳା ଉଦ୍ୟାନ ବିଭାଗ କାର୍ଯ୍ୟାଳୟ ଉପରେ ଏକାସଙ୍ଗରେ ଚଢାଉ କରିଥିଲା ଭିଡିଲାନ୍ସ । ଆୟବର୍ହିଭୂତ ସମ୍ପତି ଠୁଳ ଅଭିଯୋଗରେ ହୋଇଥିଲା ଏହି ରେଡ । ଆଉ ରେଡ ସମୟରେ ଜମି କାଗଜପତ୍ର ଜବତ କରିବା ସହିତ ଭିଜଲାନ୍ସକୁ ମିଳିଛି ବିପୁଳ ପରିମାଣର ସୁନାଗହଣା । ଏହା ଛଡା ଦାମି ଫ୍ୟାନ, ଏସି, ଟିଭି ମଧ୍ୟ ମିଳିଛି । ଖାଲି ଏତିକି ନୁହେଁ ଦାମି କୁକୁର ରଖିବାର ସୌଖିନ ଥିଲେ ଏହି ମାଳି ଜଣଙ୍କ । ଭିଜଲାନ୍ସ ଏସବୁକୁ ଜବତ କରି ତଦନ୍ତ ଚଳାଇଛି ।

ତେବେ ଜଣେ ଚତୁର୍ଥ ଶ୍ରେଣୀ କର୍ମଚାରୀ ହୋଇଥିବା ବେଳେ ଉଦ୍ଧବଙ୍କ ପାଖରେ ଏତେ ଟଙ୍କାର ସମ୍ପତି ଆସିଲା କେଉଁଠୁ ସେନେଇ ଖୋଳତାଡ କରୁଛି ଭିଜଲାନ୍ସ । ଖାଲି ସେତିକି ନୁହେଁ, ମାସିକ ଦରମା ଏବଂ ଚାକିରିର କାର୍ଯ୍ୟକାଳକୁ ହିସାବକୁ ନେଇ ଏତେ ଟଙ୍କା ଉଦ୍ଧବ କୁଆଡୁ ଆଣିଲେ ସେନେଇ ପ୍ରଶ୍ନ ଉଠିଛି । ଉଦ୍ଧବ ବେହେରା ଉଦଳା ଉଦ୍ୟାନ ବିଭାଗରେ ମାଳି ଭାବେ କାମ କରୁଥିଲେ ହେଁ ଦୁର୍ନୀତି ଅଭିଯୋଗରେ ଖୁଂଟା ବ୍ଲକକୁ ବଦଳି କରାଯାଇଥିଲା । କୋଟି କୋଟି ଟଙ୍କା ଆୟ ବର୍ହିଭୂତ ସମ୍ପତି ଠୁଳ କରିଥିବା ନେଇ ପୂର୍ବରୁ ତାଙ୍କ ନାଁରେ ଅଭିଯୋଗ ହୋଇ ଆସୁଥିଲା । ଏବେ ଏହି କୋଟିପତି ମାଳିଙ୍କ କାହାଣୀ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଛି ।