ଆମ୍ବୁଲାନ୍ସ ସେବାରେ ବଡ ଘୋଟାଲା । ଜିକିତ୍ସା ହେଲଥ କେୟାର ବିରୋଧରେ ଆସିଲା ସାଂଘାତିକ ଅଭିଯୋଗ । କୋଟି କୋଟି ଟଙ୍କା ଆତ୍ମସାତ କରିଥିବା ଅଭିଯୋଗରେ ହାଇକୋର୍ଟରେ ମାମଲା

କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ସହ ସିବିଆଇକୁ ପକ୍ଷ ରଖିବାକୁ କୋର୍ଟଙ୍କ ନିର୍ଦ୍ଦେଶ

461

କନକ ବ୍ୟୁରୋ: ଓଡ଼ି଼ିଶାରେ ୧୦୮-ଆମ୍ବୁଲାନ୍ସ ସେବା ଯୋଗାଇ ଦେବା ନାଁରେ କୋଟି କୋଟି ଟଙ୍କାର ଦୁର୍ନୀତି ଅଭିଯୋଗ । ୧୦୮ ଆମ୍ବୁଲାନ୍ସ ପରିଚାଳନା ଭିତରେ ମୁମ୍ବାଇର ଜିକିତ୍ସା ହେଲଥ କେୟାର ନାମକ ଘରୋଇ କମ୍ପାନୀ ପ୍ରାୟ ୩୦୦ କୋଟି ଟଙ୍କା ସ୍ମାମ୍ କରିଥିବା ହାଇକୋର୍ଟରେ ଅଭିଯୋଗ ହୋଇଛି । ଏହି ଦୁର୍ନୀତିର ସିବିଆଇ ତଦନ୍ତ ପାଇଁ ଆବେଦନ ଆସିବା ପରେ ଏବେ ସିବିଆଇ ସମେତ କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ ପକ୍ଷ ରଖିବା ପାଇଁ ନୋଟିସ୍ ଜାରି କରିଛନ୍ତି ହାଇକୋର୍ଟ ।

ଅତ୍ୟନ୍ତ ଜରୁରୀ ପରିସ୍ଥିତିରେ ଥିବା ରୋଗୀ ଓ ଦୁର୍ଘଟଣାରେ ଆହତ ହୋଇଥିବା ରୋଗୀଙ୍କୁ ତୁରନ୍ତ ଡାକ୍ତରଖାନା ନେବା ପାଇଁ ଅନ୍ୟ ରାଜ୍ୟ ଭଳି ଓଡ଼ିଶାରେ ୨୦୧୩ରେ ଆରମ୍ଭ ହୋଇଥିଲା ୧୦୮-ଆମ୍ବୁଲାନ୍ସ ସେବା । ତେବେ ଆମ୍ବୁଲାନ୍ସ ପରିଚାଳନା ପାଇଁ ଟେଣ୍ଡର ପାଇଥିବା ମୁମ୍ବାଇର ଜିକିତ୍ସା ହେଲଥ୍ କେୟାର ଲିମିଟେଡ୍ ବିରୋଧରେ ଆସିଛି ସାଂଘାତିକ ଅଭିଯୋଗ । ଅଧିକ ଭଡ଼ା ପାଇବା ପାଇଁ ଚଞ୍ଚକତା ପରି ୧୦୨ ଆମ୍ବୁଲାନ୍ସ ଜାଗାରେ ୧୦୮ ଷ୍ଟିକର ଲଗାଇ କୋଟି କୋଟି ଟଙ୍କା ଲୁଟି ନେଇଛି ଜିକିତ୍ସା ହେଲଥ କେୟାର । ଆରଟିଆଇ ଜରିଆରେ ମିଳିଥିବା ଅନେକ ତଥ୍ୟ ହାଇକୋର୍ଟରେ ଦାଖଲ କରିଛି “ଓଡ଼ିଶା ଆମ୍ବୁଲାନ୍ସ ଏମ୍ପଲୟିଜ୍ ଆସୋସିଏସନ୍’ ।

ତେବେ ୧୦୨ ଆମ୍ବୁଲାନ୍ସ ପାଇଁ ସରକାରଙ୍କ ପାଖରୁ କିଲୋମିଟର ପିଛା ୧୭ ଟଙ୍କା ୬୦ ପଇସା ମିଳୁଥିବା ବେଳେ ୧୦୮ ଆମ୍ବୁଲାନ୍ସ ପାଇଁ ରହିଛି ୨୬ଟଙ୍କା ୯୦ ପଇସା । ଗର୍ଭବତୀ ମହିଳାମାନଙ୍କୁ ନେବାକୁ ଥିବା ୧୦୨ ଆମ୍ବୁଲାନ୍ସରେ ବିଶେଷ ସୁବିଧା ନଥିବା ବେଳେ ୧୦୮ରେ ଅତ୍ୟାଧୁନିକ ବ୍ୟବସ୍ଥା ସହ ଫାର୍ମାସିଷ୍ଟ, ଡ୍ରାଇଭର ଓ ହେଲ୍ପର ରହିଥାନ୍ତି । ୫୦୦ଟି ୧୦୨-ଆମ୍ବୁଲାନ୍ସରେ ଷ୍ଟିକର ମାରି ୧୦୮ ଆମ୍ବୁଲାନ୍ସ ଭାବେ କଂପାନୀ ଦର୍ଶାଇଥିବା ଅଭିଯୋଗ ହୋଇଛି । ତେବେ ଅଭିଯୋଗ ହୋଇଛି, ମିଛ ବିଲ୍ ଦାଖଲ କରି କୋଟି କୋଟି ଟଙ୍କା ଠକି ନେଇଛି କଂପାନୀ । ଗୋଟିଏ ଗାଡ଼ି ଦିନକୁ ୧୬ ଟ୍ରିପ୍ କରିପାରିବା କ୍ଷମତା ରଖିଥିବା ବେଳେ ବେଳେ ୩୬ ଟ୍ରିପ୍ ଦର୍ଶାଯାଇ ହରିଲୁଟ କରିଛି ଜିକିତ୍ସା ହେଲଥ୍ କେୟାର ।

 

ଜିକିତ୍ସା ହେଲଥ କେୟାର ପ୍ରାଇଭେଟ୍ ଲିମିଟେଡକୁ ରାଜସ୍ଥାନରେ କଳାତାଲିକାଭୁକ୍ତ କରାଯାଇଥିବା ବେଳେ ମଧ୍ୟପ୍ରଦେଶରେ ମଧ୍ୟ କମ୍ପାନୀ ବିରୋଧରେ ମାମଲା ହୋଇଛି । ମାମଲାର ପରବର୍ତ୍ତୀ ଶୁଣାଣି ଜାନୁଆରୀ ୨୦ରେ ହେବାକୁ ଥିବା ବେଳେ ହାଇକୋର୍ଟ କ’ଣ ନିଷ୍ପତି ନେଉଛନ୍ତି ତା’ ଉପରେ ସମସ୍ତଙ୍କ ନଜର ରହିଛି ।