କାରଗିଲ ବିଜୟ ଦିବସ : ପାକିସ୍ତାନକୁ କଡ଼ା ଚେତାବନୀ ଦେଲେ ପ୍ରତିରକ୍ଷା ମନ୍ତ୍ରୀ; କହିଲେ, ପାକିସ୍ତାନ ଅଧିକୃତ କାଶ୍ମୀର ବା ପିଓକେ ଭାରତର ଥିଲା ଓ ରହିବ

98

କନକ ବ୍ୟୁରୋ : ପାକିସ୍ତାନ ଅଧିକୃତ କାଶ୍ମୀର ବା ପିଓକେ ଭାରତର ଅବିଚ୍ଛେଦ୍ୟ ଅଙ୍ଗ ଥିଲା ଓ ରହିବ ବୋଲି କହିଛନ୍ତି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ । ରବିବାର ଜମ୍ମୁରେ ଆୟୋଜିତ କାରଗିଲ ବିଜୟ ଦିବସ ଅବସରରେ ଭାରତୀୟ ସେନାର ସର୍ବୋଚ୍ଚ ବଳିଦାନକୁ ମନେ ପକାଇ ଏହା କହିଛନ୍ତି ରାଜନାଥ ସିଂହ । ରାଜନାଥ କହିଛନ୍ତି, ଆମ ଉପରେ ଯିଏ ବି ଖରାପ ନଜର ପକାଇବ, ଭାରତ ତାକୁ କଡ଼ା ଜବାବ ଦେବାକୁ ପ୍ରସ୍ତୁତ ।

ଯଦି କୌଣସି ଯୁଦ୍ଧ ହୁଏ, ତେବେ ଭାରତ ନିଶ୍ଚିତ ବିଜୟୀ ହେବ ବୋଲି ରାଜନାଥ କହିଛନ୍ତି । ୧୯୪୭ ପରେ ଭାରତ ସବୁ ଯୁଦ୍ଧରେ ପାକିସ୍ତାନକୁ ହରାଇଛି । ୧୯୬୫ ଓ ୧୯୭୧ର ପ୍ରତିଟି ଯୁଦ୍ଧରେ ପରାଜୟର ସ୍ୱାଦ ଚାଖିବା ପରେ ପାକିସ୍ତାନ ଛଦ୍ମ ଯୁଦ୍ଧର ରାସ୍ତା ଆପଣାଇଛି । ଦୁଇ ଦଶନ୍ଧିରୁ ଅଧିକ ସମୟ ଧରି ସେମାନେ ଭାରତକୁ ଲହୁଲୁହାଣ କରିବାକୁ ପ୍ରୟାସ କରିଛନ୍ତି, କିନ୍ତୁ ପ୍ରତିଥର ଆମର ବାହାଦୁର ସେନା ଦେଖାଇ ଦେଇଛନ୍ତି ଯେ ଭାରତର ଏକତା, ଅଖଣ୍ଡତା ଓ ସାର୍ବଭୌମତ୍ୱକୁ କେହି ଭାଙ୍ଗିପାରିବେ ନାହିଁ ବୋଲି ରାଜନାଥ କହିଛନ୍ତି ।