ସାବାସ ସାଗର । ଦଶମ ପରୀକ୍ଷାରେ ଫେଲ ହେବା ପରେ ମଧ୍ୟ ମାନିନଥିଲେ ହାର, ମୁକ୍ତା ଚାଷ କରି ଏବେ ଅନ୍ୟମାନଙ୍କ ପାଇଁ ପାଲଟିଛନ୍ତି ଉଦାହରଣ ।

972

କନକ ବ୍ୟୁରୋ : ମୋତି, ମାଣିକ, ବୈଦୁର୍ଯ୍ୟ ଆଦି ଦୁର୍ଲଭ ବସ୍ତୁ ସବୁ ପ୍ରକୃତିର ଦାନ । ଏହା ଯେମିତି ଦୁର୍ଲଭ ସେମିତି ଏହାର ମୂଲ୍ୟ ମଧ୍ୟ ଅଧିକ । ସୌନ୍ଦର୍ଯ୍ୟ ବଢାଇବା ପାଇଁ ଉଚ୍ଚବର୍ଗର ଲୋକେ ଏହାକୁ ଅଳଙ୍କାରରେ ଧାରଣ କରନ୍ତି । ପ୍ରକୃତିର ଦାନ ମୋତି ବା ମୁକ୍ତାକୁ ନିଜ ଉଦ୍ୟମରେ ଚାଷ କରି ଶାମୁକା ଦେହରୁ ବାହାର କରିବା ପାଇଁ ଚେଷ୍ଟା କରିଛନ୍ତି ଖୋର୍ଦ୍ଧା ଜିଲ୍ଲାର ଚାଷୀ ସାଗର ।

ଖୋର୍ଦ୍ଧାରେ ଚାଲିଛି ମୁକ୍ତା ଚାଷ । ଯୁବପୀଢିଙ୍କ ପାଇଁ ସୃଷ୍ଟି କରିଛି ନୂଆ ସମ୍ଭାବନା । ବେଗୁନିଆ ବ୍ଲକ ଗଡଗୁଡୁମ ଗାଁର ସାଗର ନିଜସ୍ୱ ଉଦ୍ୟମରେ ଆରମ୍ଭ କରିଛନ୍ତି ମୁକ୍ତା ଚାଷ । ସାଗର ନିଜ ବାଡିରେ ଦୁଇଟି କୁଣ୍ଡ ଓ ଗୋଟିଏ ଚୁଆରେ ଶାମୁକା ଛାଡି ମୁକ୍ତା ଚାଷ କରୁଛନ୍ତି । ଭୁବନେଶ୍ୱରରୁ ଶାମୁକା ଓ କଟକରୁ ରସାୟନ ଆଣି ଶାମୁକା ଦେହରେ ପ୍ରୟୋଗ କରି ଚାଷ କରୁଥିବା କହିଛନ୍ତି ସାଗର ।

ସାଗର ମୁକ୍ତା ଚାଷ ପାଇଁ ଅଂଚଳରେ ଯେତେ ଚର୍ଚ୍ଚିତ, ମୁକ୍ତା ଚାଷ କରିବା ପାଇଁ ତାଙ୍କ ଉଦ୍ୟମ ପଛର କାହାଣୀ ମଧ୍ୟ ସେତେ ଚର୍ଚ୍ଚିତ । ଦଶମ ଶ୍ରେଣୀରେ ଫେଲ ହେବା ପରେ ମୁକ୍ତା ଚାଷ କରିବାକୁ ମନ ବଳାଇଥିଲେ ସାଗର । ହେଲେ ସିଫାରେ, ସର୍ବନିମ୍ନ ଶିକ୍ଷାଗତ ଯୋଗ୍ୟତା ଦଶମ ପାସ ବ୍ୟକ୍ତିଙ୍କୁ ମୁକ୍ତା ଚାଷ ପାଇଁ ତାଲିମ ଦିଆଯାଉଥିବା ଜାଣି ସେ ଡିଷ୍ଟାନ୍ସ କୋର୍ସରେ ନାମ ଲେଖାଇଥିଲେ । ଦଶମରେ ଉତୀର୍ଣ୍ଣ ହୋଇ ସିଫା ଠାରୁ ତାଲିମ ନେଇ ଏବେ ସାଗର ଜଣେ ସଫଳ ମୁକ୍ତା ଚାଷୀ । ଅନ୍ୟପଟେ କୃଷି ଅଧିକାରୀମାନେ ମଧ୍ୟ ସାଗରଙ୍କ ମୁକ୍ତାଚାଷ ଦେଖି ପ୍ରଶଂସା କରିଛନ୍ତି ।

ତେବେ ଏନେଇ ସାଗର କହିଛନ୍ତି, ଚାକିରି ପଛରେ ନ ଗୋଡାଇ ଯୁବକ ମାନେ ଆତ୍ମନିର୍ଭରଶୀଳ ହେବା ଆବଶ୍ୟକ । ଦୃଢ ଇଚ୍ଛାଶକ୍ତି ଥିଲେ ସବୁକିଛି ସମ୍ଭବ ବୋଲି କହିଛନ୍ତି ସବୁ କିଛି ସମ୍ଭବ । ଗଡଗୁଡୁମ ଗାଁର ସାଗର ସୁନ୍ଦରାୟଙ୍କ ମୁକ୍ତାଚାଷ ବହୁ ଯୁବ ଚାଷୀଙ୍କ ପାଇଁ ପ୍ରେରଣା ଯୋଗାଇବ ଏଥିରେ ସନ୍ଦେହ ନାହିଁ ।