ମା’ ଆରପାରିକୁ ଚାଲିଗଲା, ପୋଲିସ ବାପାକୁ ବାନ୍ଧିନେଲା । ବୟସର ଅପରାହ୍ନରେ ୪ ନାତି ନାତୁଣୀଙ୍କ ପେଟରେ ଦାନା ଗଣ୍ଡିଏ ଦେବାକୁ ସଂଘର୍ଷ କରୁଛି ଜେଜେମା’ ।

652

କନକ ବ୍ୟୁରୋ : ମା ଚାଲିଗଲା ଆରପାରିକୁ, ବାପାକୁ ବାନ୍ଧି ନେଇଗଲା ପୁଲିସ । ଏବେ ପରିଣତ ବୟସରେ ପହଂଚିଥିବା ଜେଜେ ମା’ଙ୍କ କୋଳରେ ୪ ନାତି ନାତୁଣୀ । ହଁ ଆମେ କହୁଛୁ ଯାଜପୁର ଦଶରଥପୁର ବ୍ଲକ ଗୋପକୂଳ ଗାଁର ଦଶରଥ ଜେନାଙ୍କ ପରିବାର କଥା । ଏଭଳି ସ୍ଥିତିରେ ୯ମାସରୁ ୧୬ ବର୍ଷ ମଧ୍ୟରେ ଥିବା ଏହି ୪ ଶିଶୁଙ୍କ ଭବିଷ୍ୟତକୁ ନେଇ ଚିନ୍ତାରେ ଦିନ କାଟୁଛନ୍ତି ଜେଜେମା । ସାହି ପଡିଶାଙ୍କ ସାହାଯ୍ୟ ସହଯୋଗରେ ବିତୁଛି ଜୀବନ ।

ଯାଜପୁର ଜିଲ୍ଲା ଦରଶରଥପୁର ଗୋପକୂଳ ଗାଁର ଏମିତି ଏକ ଖବର । ଯାହା ଆପଣଙ୍କୁ ଦୁଃଖିତ କରିବ । ଲାଗିବ କାହିଁକି ଦଇବ ନୀରିହ ୪ ଶିଶୁଙ୍କ ଉପରେ ଦାଉ ସାଧୁଛି । ଘର ବାରଣ୍ଡାରେ ବସିଥିବା ଏହି ୪ ଜଣ ଶିଶୁଙ୍କ ଉପରେ ଖସି ପଡିଛି ଦୁଃଖର ପାହାଡ । ଭଲକରି ଦୁନିଆକୁ ଚିହ୍ନିବା ଆଗରୁ ମା ଚାଲିଯାଇଛି ଆର ପାରିକୁ । ବାପା ଦଶରଥ ଜେନାଙ୍କୁ ବାନ୍ଧି ନେଇଛି ପୁଲିସ ବାବୁ । ଆଉ ପରିଣତ ବୟସରେ ୯ ମାସରୁ ୧୬ ବର୍ଷ ବୟସ୍କ ଏହି ୪ ପିଲାଙ୍କ ଦେଖାଶୁଣା କରୁଛନ୍ତି ପିଲାଙ୍କ ଜେଜେ ମାଆ । ମାଆର ମୃତ୍ୟୁ ଓ ବାପା ଜେଲ ଯିବା ପରେ ଭୋକ ଉପାସରେ ୪ ଭାଇ ଭଉଣୀଙ୍କ ଦିନ କଟୁଛି । ତାଙ୍କ ଭାଗ୍ୟ ଓ ଭବିଷ୍ୟତ ଉପରେ କଳା ବାଦଲ ଘୋଟିଯାଇଛି ।

ବୁଢ଼ି ମା’କୁ ଭଲ ଭାବେ ଦେଖାଯାଉନାହିଁ । ଯିଏ ନିଜେ ଚାଲିବା ଓ କଥା କହିବା ଅସମ୍ଭବ ସିଏ କେମିତି ବା ୪ ଜଣ ଶିଶୁଙ୍କ ଯତ୍ନ ନେବ ତାହା ଏବେ ସବୁଠୁ ବଡ ପ୍ରଶ୍ନ । ଦଶରଥ ଜେନା ପ୍ରଥମ ସ୍ତ୍ରୀର ମୃତ୍ୟୁ ପରେ ଦ୍ୱିତୀୟ ବିବାହ କରିଥିଲେ । ଅଜଣା ରୋଗରେ ଦ୍ୱିତୀୟ ପତ୍ନୀଙ୍କ ମୃତ୍ୟୁ ପରେ ଦ୍ୱିତୀୟ ସ୍ତ୍ରୀର ପରିବାର ଲୋକେ ଅଭିଯୋଗ କରିବା ପରେ ପୁଲିସ ଗିରଫ କରି ଜେଲ ହାଜତକୁ ପଠାଇ ଦେଇଛି । ଆଉ ଏବେ ୪ ଶିଶୁ ଅନାଥଙ୍କ ଭଳି ଦିନ କାଟୁଛନ୍ତି । ଏନେଇ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀଙ୍କୁ ଯୋଗାଯୋଗ କରାଯିବାରୁ ତଦନ୍ତ କରି ଆଇନ ଅନୁଯାୟୀ ସହଯୋଗ କରାଯିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି ।

ଚାରି ଜଣ ଶିଶୁଙ୍କ ଭବିଷ୍ୟତ ପାଇଁ ପ୍ରଶାସନ ସହଯୋଗର ହାତ ବଢ଼ାଇବା ସହ ଦଶରଥ ଜେନା ଗିରଫ ହୋଇଥିବା ଘଟଣାର ନିରପେକ୍ଷ ତଦନ୍ତ କରିବାକୁ ସ୍ଥାନୀୟ ଅଂଚଳରେ ଦାବି ହୋଇଛି ।