ସାଂପ୍ରଦାୟିକ ହିଂସା ନେଇ ପ୍ରଧାନମନ୍ତ୍ରୀ ମୋଦୀଙ୍କ ନିରବତା ଉପରେ ପ୍ରଶ୍ନ ଉଠାଇଲେ ବିରୋଧୀ, ଜାଣନ୍ତୁ ମିଳିତ ଭାବେ କଣ ଦେଲେ ବୟାନ

144

କନକ ବ୍ୟୁରୋ : ଦେଶରେ ଗୋଟିଏ ପଟେ ମହଙ୍ଗାମାଡ ସାଧାରଣ ଲୋକଙ୍କ ଅଣ୍ଟା ଭାଙ୍ଗି ଦେଇଛି । ଇନ୍ଧନ ଠାରୁ ଆରମ୍ଭ କରି ଖାଦ୍ୟ ସାମଗ୍ରୀର ଦର ଅଚାନକ ଆକାଶ ଛୁଆଁ ହେବାରେ ଲାଗିଛି । ଏନେଇ ନା ପ୍ରଧାନମନ୍ତ୍ରୀ ନା ବିଭାଗୀୟ ମନ୍ତ୍ରୀ କେହି ବି ସନ୍ତୋଷଜନକ ଉତ୍ତର ଦେବାରେ ବିଫଳ ହୋଇଛନ୍ତି । ସେପଟେ ଏସବୁ ଭିତରେ ଆଉଏକ ବଡ ଘଟଣା ହେଉଛି କିଛିଦିନ ହେବ କିଛି ରାଜ୍ୟରେ ଧର୍ମ ନାମରେ ହିଂସା ଓ ଅରାଜକତା ଦେଖିବାକୁ ମିଳିଛି । କେଉଁଠି ମନ୍ଦିର ଭଙ୍ଗା ହେଉଛି ତ କେଉଁଠି ମସଜିଦ ଉପରେ ହିନ୍ଦୁ ଧର୍ମର ପତାକା ଲଗାଯାଉଛି । କେଉଁଠି ଆମିଷ ଖାଇବାକୁ ନେଇ ଦଙ୍ଗା ହେଉଛି ତ କେଉଁଠି ପ୍ରାର୍ଥନା ଓ ନମାଜ ପଢିବାକୁ ନେଇ ହିଂସା ଦେଖିବାକୁ ମିଳୁଛି । ଏସବୁ ଭିତରେ କିନ୍ତୁ ପ୍ରଧାନମନ୍ତ୍ରୀ ନିରବତା ଅବଲମ୍ବନ କରିଛନ୍ତି । ନା ଦରବୃଦ୍ଧିକୁ ନେଇ ନା ସାଂପ୍ରଦାୟିକ ଦଙ୍ଗାକୁ ନେଇ କିଛି ବି କହିବାକୁ ପ୍ରସ୍ତୁତ ନୁହଁନ୍ତି ପ୍ରଧାନମନ୍ତ୍ରୀ । ଏସବୁ ଭିତରେ ଆଜି ଦେଶର ଅନେକ ବିରୋଧୀ ଦଳ ମିଳିତ ଭାବେ ଏକ ବୟାନ ଜାରି କରିଛନ୍ତି । କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀ, ଏନସିପି ମୁଖ୍ୟ ଶରଦ ପାୱାର, ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ, ତାମିଲନାଡୁ ମୁଖ୍ୟମନ୍ତ୍ରୀ ଏମକେ ଷ୍ଟାର୍ଲିନ, ବିହାର ବିରୋଧୀଦଳ ନେତା ତେଜସ୍ୱୀ ଯାଦବ ଓ ଅନ୍ୟ ବିରୋଧୀଦଳର ନେତାମାନେ ଲୋକମାନଙ୍କୁ ଶାନ୍ତି ବଜାୟ ରଖିବାକୁ ଅନୁରୋଧ କରିବା ସହ ସାଂପ୍ରଦାୟିକ ହିଂସା କରୁଥିବା ଅପରାଧୀଙ୍କୁ କଠୋର ଦଣ୍ଡରେ ଦଣ୍ଡିତ କରିବାକୁ ସରକାରଙ୍କ ଠାରେ ଅନୁରୋଧ କରିଛନ୍ତି ।

ସଂଯୁକ୍ତ ବିରୋଧୀଦଳ ପକ୍ଷରୁ ଜାରି କରାଯାଇଥିବା ବୟାନରେ କୁହାଯାଇଛି କି, ଖାଦ୍ୟପାନୀୟ, ପୋଷାକ, ବିଶ୍ୱାସ ଓ ପର୍ବପର୍ବାଣୀକଚ ନେଇ ସମାଜରେ ଲୋକମାନଙ୍କୁ ଭାଗ ଭାଗ କରିବାକୁ ଚେଷ୍ଟା କରାଯାଉଛି । ଏହାକୁ ନେଇ ବିରୋଧୀ ଚିନ୍ତା ପ୍ରକଟ କରିବା ସହ ଏହା ପଛରେ ରହିଥିବା ଅପରାଧିକ ତତ୍ତ୍ୱଙ୍କୁ ତୁରନ୍ତ କଠୋରେ ଦଣ୍ଡରେ ଦଣ୍ଡିତ କରିବାକୁ ସରକାରଙ୍କ ଠାରେ ଦାବି କରାଯାଇଛି ।

ଏହି ବୟାନରେ କୁହାଯାଇଛି କି, ଏବେ ଦେଶର ଅନେକ ରାଜ୍ୟରେ ସାଂପ୍ରଦାୟିକ ହିଂସା ଦେଖିବାକୁ ମିଳିଛି । ହେଲେ ଏନେଇ ପ୍ରଧାନମନ୍ତ୍ରୀ ଚୁପ ରହୁଥିବାରୁ ଏହାର କାରଣ ପଚାରିଛନ୍ତି ବିରୋଧୀ