ଆଗକୁ ମିଳିନପାରେ ଓଡିଶା ଲୁଣ। ପାରିଶ୍ରମିକ ମିଳୁନଥିବାରୁ ଗଞ୍ଜାମ ହୁମ୍ମାରେ ଲୁଣ ଚାଷରୁ ମୁହଁଫେରାଉଛନ୍ତି ଚାଷୀ।

172

କନକ ବ୍ୟୁରୋ : ଲୁଣ ଏକ ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀ । ଖାଦ୍ୟ ପ୍ରସ୍ତୁତରେ ଲୁଣର ଭୂମିକା ବେଶ ଗୁରୁତ୍ୱପୂର୍ଣ୍ଣ । ହେଲେ ଏବେ ଧିରେ ଧିରେ ଲୋପ ପାଉଛି ଲୁଣ ଚାଷ । ଗଞ୍ଜାମ ଜିଲ୍ଲା ହୁମ୍ମାରେ ଏବେ ଲୁଣ ଚାଷରୁ ମୁହଁ ଫେରାଇ ନେଉଛନ୍ତି ଚାଷୀ । ସଠିକ୍ ପାରିଶ୍ରମିକ ମିଳୁନଥିବାରୁ ଚାଷୀ ଲୁଣ ଚାଷରୁ ବିମୁଖ ହେଉଥିବା ଅଭିଯୋଗ ହୋଇଛି । ପୂର୍ବରୁ ହୁମ୍ମାରେ ୧୩ଶହ ଏକର ଜମିରେ ଲୁଣ ଚାଷ ହେଉଥିଲା । ରାଜ୍ୟରେ ଉତ୍ପାଦିତ ହେଉଥିବା ୯୦ ପ୍ରତିଶତ ଲୁଣ ଏଠାରୁ ଉତ୍ପାଦନ ହେଉଥିଲା । ହେଲେ ଏବେ ମାତ୍ର ୪ ଶହରୁ ୫ଶହ ଏକର ଜମିରେ ଚାଷ ହେଉଛି । ୧୧ଶହ ଏକର ଜମି ପଡିଆ ପଡିଛି । ପ୍ରାୟ ୬ଶହ ଏକର ଜମିର ଲିଜ୍ ବାତିଲ କରି ଦେଇଛନ୍ତି କେନ୍ଦ୍ର ସରକାର ।

ହୁମ୍ମା ଲୁଣ ଚାଷର ସ୍ୱାଧୀନତା ସଂଗ୍ରାମ ସହ ନିବିଡ ସମ୍ପର୍କ ରହିଛି । ବହୁ ସ୍ୱାଧୀନତା ସଂଗ୍ରାମୀ ଏହି ଠାରୁ ଲବଣ ସତ୍ୟାଗ୍ରହ ଆରମ୍ଭ କରିଥିଲେ ବୋଲି ଇତିହାସ ସାକ୍ଷୀ ରହିଛି । ଏହି ହୁମ୍ମା ଲୁଣ ଚାଷ ପ୍ରତି ବର୍ତମାନର ସରକାର ନଜର ଦେଉନଥିବାରୁ ଉଭୟ ଲିଜଧାରୀ ଓ ଚାଷୀ କ୍ଷତି ସହୁଛନ୍ତି । ଏହାସହ ଏଠାରେ ଉତ୍ପାଦିତ ହେଉଥିବା ଲୁଣ ଉକ୍ରୃଷ୍ଟମାନର ହେଉନଥିବାରୁ ବଜାରରେ ଚାହିଦା ରହୁନାହିଁ । ତେଣୁ ପାରିଶ୍ରମିକ ମିଳୁନାହିଁ । ତେବେ ଆଗକୁ ଯଦି ସଠିକ୍ ପାରିଶ୍ରମିକ ନମିଳେ ତେବେ, ବର୍ତ୍ତମାନ ଲୁଣ ଚାଷ କରୁଥିବା ଚାଷୀ ମଧ୍ୟ ଚାଷ ଛାଡି ଦାଦନ ଖଟିବାକୁ ବାହାରକୁ ଚାଲିଯିବେ ବୋଲି କହିଛନ୍ତି ।