ରାଜ୍ୟରେ ତଳମୁହାଁ କରୋନା ସଂକ୍ରମଣ : ୨୪ ଘଂଟାରେ ରାଜ୍ୟରେ ୧୫୭୨ ସଂକ୍ରମିତ ଚିହ୍ନଟ

92

କନକ ବ୍ୟୁରୋ : ରାଜ୍ୟରେ ୨୪ ଘଂଟାରେ ଆଉ ୧୫୭୨ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଆଜି ବି ଖୋର୍ଦ୍ଧାରୁ ସର୍ବାଧିକ ୨୩୩ ପଜିଟିଭ୍ ଆସିଛି । କଟକରୁ ୧୬୧, ସୁନ୍ଦରଗଡ଼ରୁ ୧୧୩, କୋରାପୁଟ୍ରୁ ୮୭ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

ସେହିପରି ରାୟଗଡ଼ାରୁ ୭୪, ସମ୍ବଲପୁରରୁ ୭୩, ବାଲେଶ୍ୱର ଓ କନ୍ଧମାଳରୁ ୬୨, ମୟୂରଭଂଜରୁ ୬୦ ଜଣ ସଂକ୍ରମିତ ହୋଇଛନ୍ତି । ଏବେ ରାଜ୍ୟରେ ସକ୍ରିୟ ମାମଲା ୧୪ ହଜାର ୨୫୩ ରହିଛି । ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ ଶୂନରୁ ୧୮ ବର୍ଷ ମଧ୍ୟରେ ୩୦୯ ଜଣ ରହିଛନ୍ତି । କ୍ୱାରେଂଟାଇନରୁ ୯୧୮ ଓ ଲୋକାଲ କଂଟାକ୍ଟ ୬୫୪ ରହିଛି ।

ସେପଟେ, ରାଜ୍ୟରେ ଡେଲ୍ଟା ଭୂତାଣୁକୁ ବହୁ ପଛରେ ପକାଇ ଦେଇଛି ଓମିକ୍ରନ । ଗତ ସପ୍ତାହରେ ଇନଷ୍ଟିଚ୍ୟୁଟ ଅଫ୍ ଲାଇଫ୍ ସାଇନ୍ସ ବା ଜୀବ ବିଜ୍ଞାନ ପ୍ରତିଷ୍ଠାନ ଯେଉଁ ନମୂନାଗୁଡିକର ଜିନୋମ ସିକ୍ୱେନ୍ସିଂ କରିଥିଲା, ସେଥିରୁ ଏହି ତଥ୍ୟ ସାମ୍ନାକୁ ଆସିଛି । ପାଖାପାଖି ୯୮ ପ୍ରତିଶତ ନମୁନାରେ ଓମିକ୍ରନ ଭୂତାଣୁ ଥିବା ଜଣାପଡିଛି । ଜାନୁଆରୀ ୨୮ରୁ ଫେବ୍ରୁଆରୀ ୪ ତାରିଖ ମଧ୍ୟରେ ୨୪୧ ଟି ନମୁନାର ଜିନୋମ ସିକ୍ୱେନ୍ସିଂ କରାଯାଇଥିଲା ।

ସେଥିରେ ୨୩୫ ନମୁନାରେ ଓମିକ୍ରନ ଭୂତାଣୁ ରହିଥିବା ସ୍ପଷ୍ଟ ହୋଇଛି । ମାତ୍ର ୬ଟିରେ ଡେଲ୍ଟା ଭୂତାଣୁ ଚିହ୍ନଟ ହୋଇଛି । ଯେଉଁ ୨୩୫ ନମୁନାରେ ଓମିକ୍ରନ ଚିହ୍ନଟ ହୋଇଛି, ସେଥିରେ ୨୧୭ଟିରେ ବିଏ. ଟୁ ସବ୍ ଭ୍ୟାରିଆଂଟ ରହିଥିବା ବେଳେ ବିଏ. ୱାନ. ୱାନ୍ ୧୨ଟି ଚିହ୍ନଟ ହୋଇଛି । ଆଉ ବିଏ. ୱାନ ରହିଛି ମାତ୍ର ୬ଟି ନମୁନାରେ ।

ଖୋର୍ଦ୍ଧାରେ ୪ ଟି ନମୁନାରେ ଡେଲ୍ଟା ଭୂତାଣୁ ଥିବା ବେଳେ ୪୫ ନମୁନାରେ ଓମିକ୍ରନ ରହିଥିବା ଜଣାପଡିଛି । ଗଂଜାମରୁ ସଂଗ୍ରହ କରାଯାଇଥିବା ୪୭ଟି ନମୁନାରେ ରହିଛି ଓମିକ୍ରନ । ସେହିପରି କଟକରୁ ଆସିଥିବା ସମସ୍ତ ୩୦ଟି ନମୁନାରେ ଓମିକ୍ରନ ଚିହ୍ନଟ ହୋଇଛି ।