ୟୁପିଆଇ ପେମେଣ୍ଟ ଉପରେ ଲାଗିବ କି ଚାର୍ଜ? ଶେଷ ହେବ କି ମାଗଣା ଟଙ୍କା ଟ୍ରାଞ୍ଜାକ୍ସନ ଯୁଗ? କେନ୍ଦ୍ର ସରକାର କଲେ ବଡ ଘୋଷଣା

271

କନକ ବ୍ୟୁରୋ: ସପିଂ ମଲ ହେଉ କି, ସାଧାରଣ ବଜାର । ବିଜନେସ୍ ହେଉ କି ବ୍ୟାଙ୍କ୍ କାରବାର । ଆଜିର ଦିନରେ ଅଧିକାଂଶ ଲୋକ ଟଙ୍କା ନେଣଦେଣ କରିବାକୁ ୟୁପିଆଇ ପେମେଂଟ ସିଷ୍ଟମକୁ ଅଧିକ ପସନ୍ଦ କରୁଛନ୍ତି । ପକେଟରେ ଟଙ୍କା ନଥିଲେ ବି, ମୋବାଇଲ ସାହାଯ୍ୟରେ ଅତି ସହଜରେ ଆଉ ସୁବିଧାରେ ଟଙ୍କା ଦେଇ ପାରୁଛନ୍ତି । ଗତ କିଛି ଦିନ ଧରି ଏହି ୟୁପିଆଇ ପେମେଂଟ ଉପରେ ଚାର୍ଜ ଲାଗିବ ବୋଲି ଚର୍ଚ୍ଚା ହେଉଛି । ଯାହା ଫଳରେ ଟଙ୍କା ଦେଣନେଣର ଏହି ମାଗଣା ଯୁଗ ଶେଷ ହେଇଯିବ ବୋଲି ମଧ୍ୟ ଅନେକ ଲୋକ କହିବା ଆରମ୍ଭ କଲେଣି । ଆଉ ଏହାରି ଭିତରେ କେନ୍ଦ୍ର ସରକାର କରିଛନ୍ତି ବଡ ଘୋଷଣା ।

ୟୁପିଆଇ ପେମେଂଟ ଉପରେ ଚାର୍ଜ ଲାଗିବା ନେଇ ଯେଉଁ ଚର୍ଚ୍ଚା ହେଉଛି । ତା ଉପରେ ପୂର୍ଣ୍ଣଚ୍ଛେଦ ଟାଣିଛି ଅର୍ଥ ମନ୍ତ୍ରାଳୟ । ୟୁପିଆଇ ପେମେଂଟ ଉପରେ ଚାର୍ଜ ଲାଗିବା ନେଇ କୌଣସି ନିଷ୍ପତି ହୋଇନି ବୋଲି ଅର୍ଥ ମନ୍ତ୍ରାଳୟ ଟୁଇଟ୍ କରି ସଫେଇ ରଖିଛନ୍ତି । ଟୁଇଟରେ କୁହାଯାଇଛି, ୟୁପିଆଇ ସାର୍ବଜନୀନ ହିତ ପାଇଁ କାମ କରୁଛି । ଏହା ସାହାଯ୍ୟରେ ଲୋକମାନେ ଅନେକ ସୁବିଧା ପାଇ ପାରୁଛନ୍ତି । ଯାହାକି ଅର୍ଥବ୍ୟବସ୍ଥା ପାଇଁ ମଧ୍ୟ ଲାଭଦାୟକ । ତେବେ ୟୁପିଆଇ ସେବା ଉପରେ ଶୁଳ୍କ ଲାଗୁ କରିବା ନେଇ ସରକାର କୌଣସି ବିଚାର ବିମର୍ଶ କରିନାହାଁନ୍ତି ବୋଲି ଅର୍ଥ ମନ୍ତ୍ରାଳୟ ଟୁଇଟରେ କହିଛି । ଅର୍ଥାତ… ଆଗାମୀ ଦିନରେ ମଧ୍ୟ ୟୁପିଆଇ ପେମେଂଟ ଏବେଭଳି ମାଗଣା ରହିବ । ତାହା ପକ୍କା ହେଇଯାଇଛି ।

ଡିଜିଟାଲ ପେମେଂଟ ଇକୋସିଷ୍ଟମ୍ ପାଇଁ ସରକାର ଗତବର୍ଷ ଆର୍ଥିକ ସହାୟତା ଦେଇଥିଲେ । ଚଳିତ ବର୍ଷ ମଧ୍ୟ ସେହିଭଳି ସହାୟତା ପ୍ରଦାନ କରାଯିବ । ଯାହା ଫଳରେ ଡିଜିଟାଲ ପମେଟଂ ଉପଯୋଗ ବଢିବା ସହିତ ଲୋକମାନେ ଏହାକୁ ଅଧିକ ବ୍ୟବହାର କରିବେ ବୋଲି ଅର୍ଥ ମନ୍ତ୍ରାଳୟ କହିଛି ।

୨୦୨୦ ମସିହା ଜାନୁଆରୀ ୧ ତାରିଖରୁ ଡେବିଟ୍ କାର୍ଡ ଆଉ ୟୁପିଆଇକୁ ଚାର୍ଜମୁକ୍ତ କରାଯାଇଛି । ଯାହା ଫଳରେ ଟ୍ରାଞ୍ଜାକ୍ସନ ଉପରେ ପୂର୍ବରୁ ଲଗାଯାଉଥିବା ଏମଡିଆର୍ ଚାର୍ଜ ଏବେ ମିଳୁନାହିଁ । ଏହାର କ୍ଷତିକୁ ପୂରଣ କରିବାକୁ ସରକାର ମଧ୍ୟ ଆର୍ଥିକ ସାହାଯ୍ୟ ଯୋଗାଇ ଦେଇ ଆସୁଛନ୍ତି । ତେବେ ଦିନ ବଢିବା ସହିତ ଏହି ୟୁପିଆଇ ପେମେଂଟ ଏବେ ଲୋକପ୍ରିୟ ହେଲାଣି । ଆଉ ଏଭଳି ସମୟରେ ଯଦି ଏଥିରୁ ଚାର୍ଜ ଆଦାୟ ହେବ, ତେବେ ଲୋକମାନଙ୍କ ଭିତରେ ଅସନ୍ତୋଷ ଦେଖା ଦେଇପାରେ ।