ISIS ଆତଙ୍କବାଦୀଙ୍କ ଟାର୍ଗେଟରେ ଭାରତୀୟ ନେତା! ଋଷରୁ ଧରାପଡିବା ପରେ ସାମ୍ନାକୁ ଆସିଲା ସାଂଘାତିକ ସତ ।

257

କନକ ବ୍ୟୁରୋ : ଆଇଏସଆଇଏସ ଆତଙ୍କବାଦୀ ସଙ୍ଗଠନ ଟାର୍ଗେଟରେ ଭାରତର ଶାସକ ଦଳର ନେତା । ଏଭଳି ଏକ ଚାଞ୍ଚଲ୍ୟକର ତଥ୍ୟ ଏବେ ସାମ୍ନାକୁ ଆସିଛି । ଶାସକ ବିଜେପିର ବଡ ନେତାଙ୍କୁ ଆତ୍ମଘାତୀ ଆକ୍ରମଣରେ ମାରିବାକୁ ଯୋଜନା କରୁଛି ଆଇଏସଆଇଏସ । ଋଷରୁ ଆତ୍ମଘାତୀ ଆକ୍ରମଣକାରୀ ଧରାପଡିବା ପରେ ଏଭଳି ଏକ କିଛି ସାଂଘାତିକ ସତ ସାମ୍ନାକୁ ଆସିଛି ।

ଋଷର ସୁରକ୍ଷା ଏଜେନ୍ସି ଆତଙ୍କୀ ସଙ୍ଗଠନ ଆଇଏସଆଇଏସ ସହ ଜଡିତ ଜଣେ ଆତଙ୍କବାଦୀଙ୍କୁ ଗିରଫ କରିଛି । ଆଉ ଗିରଫ ପରେ ଜଣାପଡିଛି ଯେ, ଉକ୍ତ ଯୁବକ ଜଣକ ଶାସକ ବିଜେପି ଦଳର କୌଣସି ବଡ ନେତାଙ୍କ ଉପରେ ଆକ୍ରମଣ କରିବାକୁ ଯୋଜନା କରିଥିଲା । ଏନେଇ ଋଷ ପକ୍ଷରୁ ସ୍ପଷ୍ଟ କରାଯାଇଛି ।

ସୁରକ୍ଷା ଏଜେନ୍ସି ମୁତାବକ, ଉକ୍ତ ଆତଙ୍କବାଦୀ ଜଣକ ଏପ୍ରିଲରୁ ଜୁନ୍ ପର୍ଯ୍ୟନ୍ତ ତୁର୍କୀରେ ଆତଙ୍କୀ ଟ୍ରେନିଂ ନେଇ ଫେରିଥିଲା । ଏପରିକି ଆଇଏସଆଇଏସ ଉକ୍ତ ଯୁବକକୁ ଆତ୍ମଘାତୀ ଆକ୍ରମଣକାରୀ ଦଳରେ ସାମିଲ କରିଥିଲା । ଟେଲିଗ୍ରାମ ଜରିଆରେ ଉକ୍ତ ଯୁବକ ଜଣକ ଆତଙ୍କବାଦୀ ସଙ୍ଗଠନରେ ସାମିଲ ହୋଇଥିଲେ । ଟ୍ରେନିଂ ନେବା ପରେ ଉକ୍ତ ଆତଙ୍କବାଦୀ ଜଣକ ଜରୁରୀ କାଗଜପତ୍ର ସହ ଋଷକୁ ଆସିଥିଲା । ଆଉ କିଛି ଦିନ ଋଷରେ ରହିବା ପରେ ଉକ୍ତ ଯୁବକ ଜଣକ ଭାରତ ଆସିଥାନ୍ତେ । ଆଉ ଭାରତ ଆସିବା ପରେ କୌଣସି ବିଜେପି ନେତାଙ୍କୁ ହତ୍ୟା କରିବାକୁ ଆଇଏସ ପକ୍ଷରୁ ଉକ୍ତ ଆତଙ୍କବାଦୀଙ୍କୁ ଟାସ୍କ ଦିଆଯାଇଥିଲା । ତେବେ ଆତଙ୍କବାଦୀଙ୍କ ତାଲିକାରେ ଭାରତର କେଉଁ ନେତା ରହିଥିଲେ ତାହା ଏଯାଏଁ ସ୍ୱଷ୍ଟ ହୋଇନାହିଁ ।

ଏହାପୂର୍ବରୁ ସୁରକ୍ଷା ଏଜେନ୍ସି ପଞ୍ଜାବରେ ଆତଙ୍କବାଦୀ ଆକ୍ରମଣ ନେଇ ଆଲର୍ଟ ଜାରି କରିଥିଲା । ଯେଉଁଥିରେ ଦର୍ଶାଯାଇଥିଲା ଯେ, ପାକିସ୍ତାନର ଗୁଇନ୍ଦା ସଂସ୍ଥା ଆଇଏସଆଇ ପଞ୍ଜାବରେ ବଡ ଧରଣର ଆକ୍ରମଣ କରିବାକୁ ଷଡଯନ୍ତ୍ର କରୁଛି । ଖାସକରି ଚଣ୍ଡିଗଡ ଓ ମୋହାଲିରେ ଥିବା ବସ ଷ୍ଟାଣ୍ଡ ଗୁଡିକରେ ଆକ୍ରମଣ ହୋଇପାରେ ବୋଲି ଗୁଇନ୍ଦା ସୂଚନା ମିଳିଥିଲା ।