ତୃତୀୟ ପର୍ଯ୍ୟାୟ ନିର୍ବାଚନ : ବୁଥରେ ପହଞ୍ଚି ଭୋଟ ଦେଲେ ମୁଖ୍ୟ ଶାସନ ସଚିବ ଓ ମୁଖ୍ୟ ନିର୍ବାଚନ ଅଧିକାରୀ, ସମସ୍ତଙ୍କୁ ଭୋଟ ଦେବାକୁ କଲେ ଅପିଲ ।

133

କନକ ବ୍ୟୁରୋ : ରାଜ୍ୟରେ ତୃତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ଚାଲିଛି ମତଦାନ । ୬ ଲୋକସଭା ଓ ୪୨ ବିଧାନସଭା ଆସନ ପାଇଁ ପଡୁଛି ଭୋଟ । ଏହିକ୍ରମରେ ଆଜି ଭୁବନେଶ୍ୱର ସଂସଦୀୟ କ୍ଷେତ୍ର ଓ ଏହା ଅଧିନରେ ଥିବା ୭ ବିଧାନସଭା ଆସନରେ ଚାଲିଛି ମତଦାନ । ସକାଳୁ ସକାଳୁ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ଓ ମୁଖ୍ୟ ଶାସନ ସଚିବ ଭୋଟ ଦେବାକୁ ବୁଥରେ ପହଞ୍ଚିଛନ୍ତି ।

ଭୋଟ ଦେବାକୁ ବୁଥରେ ପହଞ୍ଚିଥିବା ମୁଖ୍ୟ ନିର୍ବାଚନ ଅଧିକାରୀ ନିକୁଞ୍ଜ ଧଳ କହିଛନ୍ତି, ଗଣତନ୍ତ୍ରର ମହାପର୍ବରେ ସାମିଲ ହୋଇ ଲୋକ ଭୋଟ ଦେବାକୁ ଆସୁଛନ୍ତି ଏହା ଦେଖି ମୋତେ ଖୁସି ଲାଗୁଛି । ଭୋଟ ଦେବାକୁ ଭୟ କରନ୍ତୁ ନାହିଁ । ପ୍ରତ୍ୟେକ ବୁଥରେ ସୁରକ୍ଷା ବ୍ୟବସ୍ଥା କଡାକଡି ରହିଛି । ରାଜନୈତିକ ଦଳ ଗୁଡିକର କହିବା ଅନୁଯାୟୀ, ନିର୍ଦ୍ଦିଷ୍ଟ କିଛି ବୁଥରେ ମଧ୍ୟ ସୁରକ୍ଷାବ୍ୟବସ୍ଥାକୁ ବୃଦ୍ଧି କରାଯାଇଛି । ତେଣୁ ବହୁସଂଖ୍ୟାରେ ଆସି ଭୋଟ ଦେବାକୁ ଅପିଲ କରିଛନ୍ତି ନିକୁଞ୍ଜ ଧଳ ।

ସେହିଭଳି ମୁଖ୍ୟ ଶାସନ ସଚିବ ପିକେ ଜେନା କହିଛନ୍ତି, ଗଣତନ୍ତ୍ରର ମହାପର୍ବରେ ନିଜର ଦାୟିତ୍ୱ ନିର୍ବାହ କରି ଗୌରବାନିତ୍ୱ ମନେ କରୁଛି । ସମସ୍ତେ ଭୋଟ ଦେବା ସହ ଗଣତନ୍ତ୍ରକୁ ଆହୁରି ସୁଦୃଢ କରିବାକୁ ଅପିଲ କରିଛନ୍ତି ମୁଖ୍ୟ ଶାସନ ସଚିବ ।