ଲମ୍ବା ଲାଇନରେ ଛିଡା ହୋଇ ଭୋଟ ଦେଲେ ଭିକେ ପାଣ୍ଡିଆନ । କହିଲେ, ଗଣତନ୍ତ୍ରର ମହାପର୍ବରେ ସାମିଲ ହୁଅନ୍ତୁ ଏବଂ ନିଜ ମନ ପସନ୍ଦର ପ୍ରାର୍ଥୀ ବାଛନ୍ତୁ ।

501

କନକ ବ୍ୟୁରୋ : ଭୋଟ ଦେଲେ ଭିକେ ପାଣ୍ଡିଆନ । ସକାଳୁ ସକାଳୁ ବୁଥରେ ପହଞ୍ଚି ଭୋଟ ଦେଇଛନ୍ତି ବିଜେଡି ନେତା ପାଣ୍ଡିଆନ । ଲମ୍ବା ଧାଡିରେ ଲାଇନରେ ଛିଡା ହୋଇ ଭୋଟ ଦେଇଛନ୍ତି ବିଜେଡିର ଏହି ଷ୍ଟାର ପ୍ରଚାରକ । ୟୁନିଟ୍-୬ର ୪୪ ନମ୍ବର ବୁଥରେ ପହଞ୍ଚି ଭୋଟ ଦେଇଛନ୍ତି ପାଣ୍ଡିଆନ ।

ଭୋଟ ଦେବା ପରେ ପାଣ୍ଡିଆନ କହିଛନ୍ତି, ସମସ୍ତେ ଆସି ବହୁ ସଂଖ୍ୟାରେ ଭୋଟ ଦିଅନ୍ତୁ ଏବଂ ଗଣତନ୍ତ୍ରର ମହାପର୍ବରେ ସାମିଲ ହୁଅନ୍ତୁ । ଭାରତ ନିଜର ଗଣତନ୍ତ୍ରକୁ ନେଇ ପରିଚିତ । ତେଣୁ ଅଧିକରୁ ଅଧିକ ସଂଖ୍ୟାରେ ଆସି ଭୋଟ ଦିଅନ୍ତୁ । ଅଟୋ ଚାଳକ ସଂଘ ମୋତେ ଆଟୋରେ ବସିବାକୁ ଅନୁରୋଧ କରିଥିଲେ, ତେଣୁ ଅଟୋରେ ଆସି ଭୋଟ ଦେଲି । ଛାତ୍ରଜୀବନ ସମୟରେ ଅଟୋରେ ଯାଉଥିଲୁ, ସେ ପୁରୁଣା ସ୍ମୃତି ମନେ ପଡିଲା ।

ଏହାପୂର୍ବରୁ ଏକ ଅଟୋରେ ବସି ବୁଥକୁ ଆସିଥିଲେ ପାଣ୍ଡିଆନ । ବୁଥରେ ସାଧାରଣ ଲୋକଙ୍କ ପରି ସେ ଲମ୍ବା ଲାଇନରେ ଛିଡା ହୋଇ ଭୋଟ ଦେଇଛନ୍ତି । ଏହାପୂର୍ବରୁ ନିର୍ବାଚନ ପ୍ରଚାର ସମୟରେ ମଧ୍ୟ ଅଧିକରୁ ଅଧିକ ଲୋକ ଭୋଟ ଦେବାକୁ ଆସନ୍ତୁ ବୋଲି ଅପିଲ କରିଥିଲେ ଭିକେ ପାଣ୍ଡିଆନ । ଖରା ହେଉ କି ବର୍ଷା, ସମସ୍ତଙ୍କୁ ଭୋଟ ଦେବାକୁ କହିଥିଲେ ପାଣ୍ଡିଆନ । ଭିକେ ପାଣ୍ଡିଆନଙ୍କ ପୂର୍ବରୁ ପତ୍ନୀ ସୁଜାତା ପାଣ୍ଡିଆନ ମଧ୍ୟ ୪୪ ନମ୍ବର ବୁଥରେ ପହଞ୍ଚି ନିଜର ମତାଧିକାର ସାବ୍ୟସ୍ତ କରିଥିଲେ ।